‘ଜନଜାତିଙ୍କ ବିକାଶରେ ଜିଲ୍ଲାର ବିକାଶ ସମ୍ଭବ’

 ମାଲକାନଗିରି : ମାଲକାନଗିରି ଜିଲ୍ଲା ଜନଜାତି ବହୁଳ ଜିଲ୍ଲା । ଜନଜାତିଙ୍କ ବିକାଶ ହେଲେ ଜିଲ୍ଲାର ବିକାଶ ହୋଇପାରିବ ବୋଲି ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବିକାଶ ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତି ମାଲକାନଗିରି ଜିଲ୍ଲା ପ୍ରଭାରୀ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ  ଗୋକୁଳାନନ୍ଦ ମଲ୍ଲିକ । ମାତ୍ର ଏକ ବର୍ଷ ମଧ୍ୟରେ ରାଜ୍ୟ ସରକାର କୃଷକ, ମହିଳା, ଜନଜାତି, ଯୁବଶକ୍ତି, ଛାତ୍ରଛାତ୍ରୀ, ଭିନ୍ନକ୍ଷମ, ଗରିବ ଆଦି ସବୁ ବର୍ଗ ଲୋକଙ୍କର ସର୍ବସ୍ପର୍ଶୀ ଓ ସମାବେଶୀ ଉନ୍ନତି ପାଇଁ  ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଆଜି ଆମ ରାଜ୍ୟ ସଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭର ହୋଇପାରିଛି ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ନବରଙ୍ଗପୁର ଲୋକସଭା ସାଂସଦ ଇଂ ବଳଭଦ୍ର ମାଝୀ  କହିଛନ୍ତି ଯେ ସ୍ୱଚ୍ଛ, ଉତ୍ତରଦାୟୀ ଓ ଲୋକାଭିମୁଖୀ ଶାସନର ଏକ ବର୍ଷ ପୂରଣ ଅବସରରେ, ଜନ ସାଧାରଣଙ୍କ ଦ୍ୱାର ନିକଟରେ ବିକାଶର ବାର୍ତ୍ତା ପହଞ୍ଚାଇବା ପାଇଁ  ‘ବିକାଶ ବାହନ’ ର ଶୁଭାରମ୍ଭ କରାଯାଇଛି । ଏହି ବିକାଶ ବାହନ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଗାଁ ଗାଁ ବୁଲି ଲୋକଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବ । ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ଯୋଗ ଦେଇ  ବିଭିନ୍ନ ଯୋଜାନ ବିଷୟରେ ମତବ୍ୟକ୍ତ କରିଥିଲେ । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ବିକାଶ ମେଳାର ଆଭିମୁଖ୍ୟ ସଂପର୍କରେ ଉଦ୍ବୋଧନ ଦେଇ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ୨୫ଜଣ ହିତାଧୀକାରୀମାନଙ୍କୁ ବିଭିନ୍ନ ବିଭାଗର ସହାୟତା ବଣ୍ଟନ କରାଯାଇଥିଲା । ସେହିପରି ବିକାଶ ମେଳାରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଆର୍ଥିକ ରାଶି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା । ପରିଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଧନ୍ୟବାଦ ଅର୍ପଣ କରିଥିଲେ । ସଭା କାର୍ଯ୍ୟକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପଟେଲ ଏଚ୍, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଉପ ଜିଲ୍ଲାପାଳ ଦୁର୍ଯେ୍ୟାଧନ ଭୋଇ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଲୋକ ପ୍ରତିନିଧି ଉପସ୍ଥିତ ଥିଲେ ।