ଜନସେବା ଦିବସରେ ବର୍ଦ୍ଧିତ ଭତ୍ତା ବିତରଣ : ପାଇଲେ ୧୫,୩୨୯, ଅପେକ୍ଷାରେ ୭୦୨୪ ଜଣ

ଭଦ୍ରକ: ଓଡ଼ିଶା ରାଜ୍ୟ ସରକାରଙ୍କ ନିଦେ୍ର୍ଦଶାନୁଯାୟୀ ଭଦ୍ରକ ପଞ୍ଚାୟତ ସମିତି ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଟାଉନହଲରେ ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସାରାରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା କେଉଁଝରରେ ଏହି ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଆଭାସୀ ଜରିଆରେ ଏଠାରେ ପ୍ରଦର୍ଶନ କରାଯିବା ସହିତ ଜିଲ୍ଲାପାଳ ଦିଲୀପ ରାଉରାୟଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଓ ବର୍ଦ୍ଧିତ ଭତ୍ତା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା   । ଏଥିରେ ମୁଖ୍ୟଅତିଥି ଭାବେ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର କାର୍ଯ୍ୟକ୍ରମକୁ ଉଦ୍ଘାଟନକରି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ଭାବେ ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ଭଦ୍ରକ ବିଡିଓ ସୀତାକାନ୍ତ ରାଉତ ଓ ସଂଯୋଜକ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର ଦାସ ଯୋଗଦେଇଥିଲେ । ସୂଚନା ଯୋଗ୍ୟକି, ୮୦ ବର୍ଷ ବୟସ ବା ତହିଁରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ଓ ୮୦% ବା ତହିଁରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗଙ୍କୁ ବର୍ଦ୍ଧିତ ଭତ୍ତା ୩ ହଜାର ୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଗଲା । ଏହି ଭତ୍ତା ସେମାନଙ୍କୁ ପୂର୍ବରୁ ୧୨ ଶହ ଟଙ୍କା ଲେଖାଏଁ ମିଳୁଥିଲା । ପ୍ରକାଶ ଥାଉକି ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳ ମିଶି ସମୁଦାୟ ୧୫,୩୨୯ ଜଣ ଏହି ବର୍ଦ୍ଧିତ ଭତ୍ତା ପାଇବା ପାଈଁ ଅନୁମୋଦିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ୮୦ ବର୍ଷ ବା ତହିଁରୁ ଊର୍ଦ୍ଧ୍ୱ ବୟସର ୭,୩୬୮ ଜଣ, ୮୦% ବା ତହିଁରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗ ବର୍ଗର ୪୧୦ ଜଣ ଏବଂ ମଧୁବାବୁ ଭତ୍ତା ଯାଜନାରେ ୮୦ ବର୍ଷ ବା ତହିଁରୁ  ଊର୍ଦ୍ଧ୍ୱ ବୟସର ୬,୬୨୯ ଜଣ, ୮୦% ବା ତହିଁରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗ ବର୍ଗର ୯୨୨ ଜଣ ଏହି ବର୍ଦ୍ଧିତ ଭତ୍ତା ପାଇବାପାଈଁ ତାଲିକା ଭୁକ୍ତ ହୋଇଛନ୍ତି ।