ଜବତ ଗାଡ଼ି ଓ ବାଲିରେ ଥାନା ପରିସର ପୂର୍ଣ୍ଣ

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଥାନା ପରିସରରେ ଜବତ ଗାଡିରେ ଭର୍ତ୍ତି ହୋଇଛି । ପ୍ରତିଦିନ ଜବତ ଗାଡି ସଂଖ୍ୟା ବୃଦ୍ଧି ପାଉଛି । ବିଶେଷ କରି ଜବତ ହୋଇଥିବା ବଡ ଟ୍ରକ, ହାଇୱା ଭଳି ଭାରି ଯାନ ସହ ଟ୍ରାକ୍ଟର ଆଦି ଯାନ ଥାନାର କ୍ଷୁଦ୍ର ପରିସରକୁ ଆଚ୍ଛାଦିତ କରି ପକାଇଛି । ଏହି ସମସ୍ତ ଜବତ ଗାଡି ବ୍ୟତୀତ ଏବେ ବହୁଳ ମାତ୍ରା ଜବତ ହେଉଥିବା ବାଲି ଗାଡିଗୁଡିକ ଥାନାରୁ ଖଲାସ ହେବା ସମୟରେ ବାଲି ଢାଳିଦେଇ ଯାଉଥିବାରୁ ଥାନା ପରିସର ଏବେ ବାଲୁକାସ୍ତୁପରେ ପରିଣତ ହୋଇଛି । କାରଣ ଜବତ ବାଲି ବୋଝେଇ ଗାଡି ନ୍ୟାୟାଳୟରୁ ଖଲାସ ପାଇଁ ନ୍ୟାୟାଳୟରୁ ହାସଲ କରୁଥିବା ଆଦେଶରେ ବୋଝେଇ ହୋଇଥିବା ବାଲି ନେବାକୁ ବାରଣ ରହିଛି । ଫଳରେ ଜବତ ବାଲି ବୋଝେଇ ଗାଡିଗୁଡିକ ଥାନା ଛାଡିବା ସମୟରେ ବାଲି ଢାଳିଦେଇ ଯାଉଥିବାରୁ ଦିନକୁ ଦିନ ବାଲି ପରିମାଣ ବୃଦ୍ଧି ପାଉଥିବା ଚିନ୍ତାଜନକ ହୋଇଛି । ଏହି ସମସ୍ୟା ନିରାକରଣ ପାଇଁ ପୁଲିସ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି ।