ଜମି କିଣାବିକାରେ ଆଇନ ଉଲ୍ଲଂଘନ : ତଦନ୍ତ ଆଦେଶ ଦେଲେ ଓରେରା ସମ୍ପାଦକ

କେନ୍ଦୁଝର:  ଓରେରା ନିୟମ ଉଲ୍ଲଙ୍ଘନ କରି କେନ୍ଦୁଝର ଜିଲ୍ଲାର କେନ୍ଦୁଝର, ଚମ୍ପୁଆ, ଆନନ୍ଦପୁର, ବଡବିଲ ମାଷ୍ଟରପ୍ଲାନ ଅଂଚଳରେ ବେଆଇନ ଭାବେ ପାର୍ଟ ପ୍ଲଟ କରି ଜମି କିଣାବିକା ନେଇ ଅଭିଯୋଗ ହେବା ପରେ ରେରା ସମ୍ପାଦକ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ କେନ୍ଦୁଝର ଜିଲ୍ଲାପାଳଙ୍କୁ ପତ୍ର ସଂଖ୍ୟା ୪୬୩୨ ୧୮/୦୮/୨୦୨୫ ତାରିଖରେ ଚିଠି କରିଛନ୍ତି । ଅଭିଯୋଗ ଅନୁଯାୟୀ ବହୁ ବିଲଡର, ରିଏଲ ଇଷ୍ଟେଟ ଡେଭେଲେପର ଏହି ଜମି କିଣା ବିକାରେ ସଂପୃକ୍ତ ଅଛନ୍ତି । ଓଡିଶା ସ୍ଥାବର ନିୟାମକ ପ୍ରାଧିକରଣ (ଓରେରା) ଠାରୁ ପଞ୍ଜିକରଣ ନ ହୋଇ ଜମି କିଣା ବିକା କରାଯାଇଛି । କେନ୍ଦୁଝର ମାଷ୍ଟରପ୍ଲାନ ଅଂଚଳରେ ଗତ ୫ ବର୍ଷରେ ୬୮ଟି ମୌଜାରେ ୨୭୭ ଏକରରୁ ଉଦ୍ଧ୍ୱର୍ ଜମି ବିକ୍ରି ହୋଇଛି । ସେହିପରି ଆନନ୍ଦପୁର, ଚମ୍ପୁଆ, ବଡବିଲ ମାଷ୍ଟର ପ୍ଲାନ ଅଂଚଳରେ ମଧ୍ୟ ଏକର ଏକର ଜମି ବିକ୍ରି ହୋଇଛି । କୌଣସି ପ୍ଲଟେଡ ସ୍କିମ ୫୦୦ ବର୍ଗ ମିଟରରୁ ଅଧିକ ହୋଇଥିଲେ ଓରେରା ଅଧିନରେ ପଞ୍ଜୀକୃତ ହେବା ବିଧେୟ । ମାତ୍ର ଓରେରା ଠାରୁ ପଞ୍ଜିକରଣ ନ କରାଯାଇ ପ୍ଲଟିଂ କରି ଜମି ବିକ୍ରି ହୋଉଛି । ଫଳରେ କ୍ରେତାମାନେ ନାନା ସମସ୍ୟାରେ ପଡୁଛନ୍ତି । ଜମି ବିକ୍ରୀ ସମୟରେ କବଲାରେ ରାସ୍ତା ନ ଦର୍ଶାଇ କେବଳ ପାଟ ପ୍ଲଟ ହେଉଛି । କ୍ରେତା ଜମି କିଣିବା ପରେ ଠକାମିରେ ପଡୁଛନ୍ତି । କେଉଁ ଠାରେ ୨୫ରୁ ୩୦ ଫୁଟ ରାସ୍ତା ଥିବା କହି ଜମି ବିକ୍ରି ହେଉଛି । କିନ୍ତୁ ପରେ ୧୦ ରୁ ୧୫ଫୁଟ ରାସ୍ତା ଦିଆଯାଉଛି । କବଲାରେ ରାସ୍ତା ନଥିବାରୁ କ୍ରେତା ମଧ୍ୟ ଏ ନେଇ ଆଇନଗତ ପଦକ୍ଷେପ ନେବାରେ ସମସ୍ୟା ହେଉଛି । ଜାଗା କିଣିଥିବା ଲୋକମାନଙ୍କର ଘରବାଡି କିସମ ପରିବର୍ତ୍ତନ ହୋଇ ପାରୁନାହିଁ । ଘରବାଡି କିସମ ନଥିଲେ ଗୃହ ନିର୍ମାଣ ଋଣ ମିଳୁନାହିଁ । ଅନେକ ଲୋକ କିସମ ନ ବଦଳାଇ ଘର କରୁଥିବାରୁ ପରବର୍ତ୍ତୀ ସମୟରେ ସମସ୍ୟାରେ ପଡୁଛନ୍ତି ।
ଚାଷ ଜମିକୁ ପ୍ଲଟିଂ କରି ବିକ୍ରି କରାଯାୁଥିବାରୁ ବର୍ଷା ଦିନରେ ଜଳ ନିଷ୍କାସନରେ ସମସ୍ୟା କାରଣରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ମାଷ୍ଟର ପ୍ଲାନ ଅନୁସାରେ ଜମି କିଣାବିକା ପାଇଁ ୟେଲୋ ଜୋନ,ଗ୍ରୀନ ଜୋନ ଓ ରେଡ ଜୋନ ନିର୍ଦ୍ଧାରଣ କରାଯାଇଛି । ମାତ୍ର ଗ୍ରୀନ ଜୋନ ଓ ରେଡ ଜୋନରେ ପାର୍ଟ ପ୍ଲଟ କରାଯାଇ ଏକର ଏକର ଜମି ବିକ୍ରୀ ହେଉଛି । କେନ୍ଦୁଝର ସଦର ତହସିଲର ମାଷ୍ଟରପ୍ଲାନ ଅଂଚଳରେ ଏହି ନିୟମକୁ ନ ମାନି ଜମି କିଣାବିକା ଚାଲିଛି । ବିଶେଷ କରି ସହରର କିଛି ଜମି ଦଲାଲ ଉପ ନିବନ୍ଧକ କାର୍ଯ୍ୟାଳୟର ଜରିଆରେ ଏହି ବେଆଇନ କାମ ବେଧଡକ ଭାବେ କରୁଛନ୍ତି । ଝିଅ ବାହାଘର,ଚିକିସôା,ଉଚ୍ଚ ଶିକ୍ଷା ଆଦି କାରଣ ଦର୍ଶାଇ ଉପନିବନ୍ଧକ କାର୍ଯ୍ୟାଳୟକୁ କେନ୍ଦୁଝରଗଡ ପୌରପାଳିକା ଓ ଟାଉନ ପ୍ଲାନିଂ ଅଥରିଟି ଅନୁମତି ପତ୍ର ପ୍ରଦାନ କରୁଛନ୍ତି । ଏହି ଚିଠି ଆଧାରରେ ଜମି ପ୍ଲଟିଂ ହୋଇ ବିକ୍ରୀ ହେଉଛି । କେନ୍ଦୁଝର ସଦର ତହସିଲର ନିଜଗଡ, କିମିରିଡୋଲି, ରାଙ୍କି,ଗୁମୁରା, ମୁକୁନ୍ଦପୁର, ବ୍ରହ୍ମଣୀଗାଁ, ବାଁପାର, ବଣିଆପାଟ-ଖୁଣ୍ଟାପଡା, ନୂଆଗାଁ, ମାଳିଗାଁ, ଧ୍ରୁର୍ପଦା, କାଶିପୁର-ବଳରାମପୁର, ବୋଦାପଳସା, ଗୋବିନ୍ଦପୁର, ଯମୁନାପଶି, ଘୁଟୁକେଶ୍ୱରୀ, ନରଣପୁର ଆଦି ମୌଜାରେ ଓରେରା ଠାରୁ ଅନୁମତି ନ ନିଆଯାଇ ପ୍ଲଟିଂ କରି ଜମି ବିକ୍ରି କରାଯାଇଛି । ଫଳରେ କେନ୍ଦୁଝର ସହର ଏବଂ ମାଷ୍ଟରପ୍ଲାନ ଅଂଚଳରେ ରାସ୍ତା, ଡ୍ରେନ ହେବାରେ ସମସ୍ୟା ସୃଷ୍ଟି ହେବା ସହ ବର୍ଷା ଦିନରେ ଅନେକ ଅଂଚଳ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି କରୁଛି । ବିନା ପ୍ଲାନରେ ସହରରେ କୋଠାବାଡି ଦିନକୁ ଦିନ ବଢୁଥିବାରୁ ସହରବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ଜମି କିଣା ବିକାରେ ନିୟମ ପାଲନ ହେଉ ନଥିବା ବେଳେ, ଦୋଷୀ ଅଧିକାରୀ ଏବଂ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।