ଘରବାରିରେ ପରିବର୍ତ୍ତନ ହେଉଛି ଚାଷ ଜମି  : ଆରଆଇଙ୍କ ପ୍ରୋତ୍ସାହନରେ ଚାଲିଛି ବେଆଇନ କାମ

କେନ୍ଦୁଝର :  ଜଳସେଚନ ପାଇଁ ଉଦ୍ଦିଷ୍ଟ ଆଇକଟ ଏରିଆରେ ବେଆଇନ ଭାବେ ଘରବାରି ପରିବର୍ତ୍ତନ ହୋଇଥିବା ନେଇ ଅଭିଯୋଗ ହୋଇଛି । କେନ୍ଦୁଝର ସଦର ତହସିଲ ରାଇସୁଆଁର ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ କ୍ଷୁଦ୍ର ଜଳସେଚନ ବିଭାଗର ରାଇସୁଆଁ-ଗୋପିନାଥପୁର-ସିଲିସୁଆଁ ମୁଖ୍ୟ କେନାଲ ପାଖ ଆଇକଟ ଜମି ବେଆଇନ୍ କିସମ ପରିବର୍ତ୍ତନ କରି ଘରବାରି କରାଯାଇଛି । ସରକାରଙ୍କ ନିୟମ ଅନୁସାରେ କେନାଲ ଆୟକଟ ଏରିଆରେ କୌଣସି କିସମ ପରିବର୍ତ୍ତନ ହୋଇପାରିବ ନାହିଁ । ତେବେ ରାଇସୁଆଁ ଆରଆଇ ସର୍କଲ ଅନ୍ତର୍ଗତ ଗୋପିନାଥପୁର ମୌଜାରେ କିପରି କିସମ ପରିବର୍ତ୍ତନ କରାଗଲା ତାହା ତଦନ୍ତ ହେଲେ ଜଣାପଡିବ । ଏବେ ଚାଷ ଜମିରେ ବ୍ୟବସାୟ କାମ ହେଉଥବାରୁ ଚାଷ ଜମି ସଙ୍କୁଚିତ ହେଉଛି । ସାନମାଛକାନ୍ଦଣା କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ନିର୍ମିତ ଏହି ମୁଖ୍ୟ କେନାଲ ଉପରେ ପ୍ରାୟ ୩ଟି ଗ୍ରାମର ୩୮୦ହେକ୍ଟର ଜମିକୁ ଜଳସେଚିତ ହେଉଛି । ରାଇସୁଆଁ ପଞ୍ଚାୟତର ଆଂଶିକ ଏବଂ ସିଲିସୁଆଁ ଓ ଗୋପିନାଥପୁର ମୌଜାର ସମସ୍ତ ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇବାକୁ ୧୯୭୨ ମସିହାରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ କେନାଲ ନିର୍ମାଣ କରାଯାଇଥିଲା । ଏହି ଅଂଚଳର ଚାଷୀ କେନାଲ ସୁବିଧା ଥିବାରୁ ରବି ଏବଂ ଖରିଫ୍ରେ ଚାଷ କରିଥାନ୍ତି । ତେବେ ରାଇସୁଆଁ ରାଜସ୍ୱ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଏହି ୩ଟି ମୌଜାର ୧୧ଟି ପ୍ଲଟରେ ସାରଦ ଜଳ (୨) କିସମ ପରିବର୍ତ୍ତନ ହୋଇ ଘରବାଡି କରାଯାଇଥିବା ଅଭିଯୋଗ ହୋଇଛି । ୨୦୧୩ ମସିହାରେ ଗୋପିନାଥପୁର ମୌଜାର ଅନେକ ପ୍ଲଟ୍କୁ ଘରବାରି କରାଯାଇଛି । ସେହିପରି ରାଇସୁଆଁ ମୌଜାର ପ୍ଲଟ ନମ୍ବର ୮୧୭ ବେଆଇନ୍ ଭାବେ କିସମ ପରିବର୍ତ୍ତନ କରାଯାଇଛି । ଘରବାଡରରେ କିସମ ପରିବର୍ତ୍ତନ ପରେ ଜମି ବ୍ୟବସାୟିକ ଉଦେ୍ଦଶ୍ୟରେ ବ୍ୟବହାର ହେଉଥିବାରୁ ନିକଟରେ ଥିବା ଚାଷ ଜମିକୁ ଯିବାଆସବାରେ ସମସ୍ୟା ଦେଖାଦେଇଛି । ବିଶେଷକରି ଟ୍ରାକ୍ଟର ଏବଂ ଅନ୍ୟ କୃଷି ଯନ୍ତ୍ରପାତି ନେବାରେ ସମସ୍ୟା ଦେଖାଦେଇଛି । ସାନମାଛକାନ୍ଦଣା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ରାଇସୁଆଁ-ଗୋପିନାଥପୁର–ସିଲିସୁଆଁ ମୁଖ୍ୟ କେନାଲ ପାଶ୍ୱର୍ରେ ଥିବା ଜମି ସାରଦ ଜଳ(୨) ଥିବାବେଳେ କିଛି ଚାଷୀଙ୍କ ଜମିକୁ ନିୟମ ଉଲ୍ଲଙ୍ଘନ କରି ୧୧ଟି ପ୍ଲଟ କିସମ ପରିବର୍ତ୍ତନ କରାଯାଇ ଘରବାଡି କରି ଦିଆଯାଇଛି । ଫଳରେ ଚାଷ ଉଦେ୍ଦଶ୍ୟରେ ବ୍ୟବହାର ନହୋଇ କିସମ ପରିବତ୍ତନ ହୋଇ ଘରବାଡି ହୋଇଛି । ସରକାର ଚାଷ ଜମିକୁ ଜଳସେଚନ ପାଇଁ କେନାଲ କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହା ସତ୍ୱେ ଜମିରେ ଚାଷ ନ ହୋଇ ବେଆଇନ ଘରବାଡି କିସମ ପରିବର୍ତ୍ତନ ହୋଇ ଇଟା ଫାକ୍ଟ୍ରି, ଗ୍ୟାରେଜ, ଦୋକାନ ଘର ଓ ଘର ନିର୍ମାଣ ହୋଇଛି । ଜିଲ୍ଲାପାଳ ବେଆଇନ ଭାବେ କୃଷି ପାଇଁ ଉଦ୍ଦିଷ୍ଟ ଜମିକୁ କିସମ ପରିବର୍ତ୍ତନ କରାଯାଇ ଅଣକୃଷି କାର୍ଯ୍ୟରେ ବ୍ୟବହାର ହେଉଥିବାରୁ ସଦର ତହସିଲଦାର ଏବଂ ରାଇସୁଆଁ ରାଜସ୍ୱ ନୀରିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି ।