ଜିଲ୍ଲାସ୍ତରୀୟ ଭଏସ ଅଫ୍ ମିଡିଆର ବୈଠକ : ‘ସାମ୍ବାଦିକ ସୁରକ୍ଷା ପାଇଁ ହେଉ ଆଇନ ପ୍ରଣୟନ’
ବେତନଟୀ : ଭଏସ୍ ଅଫ ମିଡ଼ିଆ ଓଡିଶା ସାମ୍ବାଦିକ ସଂଘ ଶାଖାର ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ବୈଠକ ବେତନଟୀ ଧର୍ମଶାଳ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାକାର୍ଯ୍ୟ ଆରମ୍ଭରେ ଅହମ୍ମଦାବାଦର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ଯାତ୍ରୀମାନଙ୍କ ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ବୈଠକକୁ ଭଏସ୍ ଅଫ ମିଡ଼ିଆ ମୟୂରଭଞ୍ଜ ଶାଖାର ସଭାପତି ସାମ୍ବାଦିକ ରାଜେଶ କୁମାର ଖଣ୍ଡେଲୱାଲ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବ ଭଏସ୍ ଅଫ ମିଡ଼ିଆ ରାଜ୍ୟ ଶାଖା ସଭାପତି ପ୍ରଭାତ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଉପସଭାପତି ସଂଜୀବ ସାଏ, ଉପସଭାପତି ଟି ବାଲାଜୀ ପାତ୍ର, କୋଷାଧ୍ୟକ୍ଷ ସରୋଜ କୁମାର ମୁଦୁଲି ପ୍ରମୁଖ ମଞ୍ଚାସୀନ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ବୈଠକରେ ଜିଲ୍ଲା ଅଧୀନରେ ବେତନଟୀ, ବଡ଼ସାହି, ମୋରଡା ଅଞ୍ଚଳରୁ କୋଡିଏରୁ ଊଦ୍ଧ୍ୱର୍ ସାମ୍ବାଦିକ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଭାତ ମିଶ୍ର ସଭାରେ ସାମ୍ବାଦିକମାନଙ୍କର ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ବିଭିନ୍ନ ସ୍ଥାନରେ ସାମ୍ବାଦିକମାନଙ୍କୁ ଖବର ଲେଖାକୁ ନେଇ ବିରୋଧ ଓ ଆକ୍ରମଣ ହେଉଥିବାରୁ ଓଡିଶାରେ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବା ଉଚିତ ବୋଲି ବକ୍ତବ୍ୟ ଦେଇଥିଲେ । ଏଥିସହ ଭଏସ୍ ଅଫ ମିଡ଼ିଆ ଶାଖା ପକ୍ଷରୁ ପ୍ରତ୍ୟେକ ସାମ୍ବାଦିକମାନଙ୍କ ଲାଗି ଦଶଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସୁବିଧା ପାଇବା ସହିତ ଦୁସ୍ଥ ସାମ୍ବାଦିମାନଙ୍କୁ ବାସଗୃହ ତିଆରି ପାଇଁ ସାହାଯ୍ୟ ଯୋଗାଇବା ଉପରେ ଆଲୋକପାତ କରିଥିଲେ । ଆଗାମୀ ଦିନରେ ଜିଲ୍ଲା ସଂଗଠନକୁ କେମିତି ସୁଦୃଢ କରିବା ପାଇଁ ପ୍ରତି ବ୍ଲକରେ ଭଏସ୍ ଅଫ ମିଡ଼ିଆର ବ୍ଲକ ସଂଘ ଗଠନ ପାଇଁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ସାମ୍ବାଦିକ ଧରଣୀଧର ମହାନ୍ତି, ଭବାନୀ ଶଙ୍କର ପରିଡା, ସତୀଶ କୁମାର ସାହୁ, ଉଦିତ କୁମାର ପରିଡା, ହରିଶ ଚନ୍ଦ୍ର ସାମଲ, ଚିନ୍ମୟ କୁମାର ମିଶ୍ର, ନିରଞ୍ଜନ ମହାନ୍ତ, ଲାଲମୋହନ ନାଏକ, ଦୀପକ ମହାନ୍ତ, ଅଜିତ ମହାରଣା, ମନୋଜ କୁମାର ମହାନ୍ତ ପ୍ରମୁଖ ସାମ୍ବାଦିକ ଉପସ୍ଥିତ ରହିଥିଲେ ।