ଜେଡ ଇଷ୍ଟେଟରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳ ପକ୍ଷରୁ ୯ଟି ସ୍ଥାନରେ ଚଢ଼ଉ

୧କୋଟି ୩୯ ଲକ୍ଷ ଟଙ୍କା ଜବତ
ଭୁବନେଶ୍ୱର,୨୫ା୧୧ : ରିୟଲିଷ୍ଟେଟ ସଂସ୍ଥା ଜେଡ଼ ଇଷ୍ଟେଟ ଉପରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟର ଭୁବନେଶ୍ୱର ଶାଖା ପକ୍ଷରୁ ଗତ ୨୨ ତାରିଖ ଦିନ ଚଢ଼ଉ କରାଯାଇଥିଲା । ଏନେଇ ସୋମବାର ସନ୍ଧ୍ୟାରେ ଇଡ଼ି ପକ୍ଷରୁ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦିଆଯାଇଛି । ଇଡ଼ି ପକ୍ଷରୁ ସଂସ୍ଥାର ଦିଲ୍ଲୀ, ଗୁରଗାଁଓ ଓ ଭୁବନେଶ୍ୱର ଭଳି ୯ଟି ସ୍ଥାନରେ ଚଢ଼ଉ କରାଯାଇଥିବା ନେଇ କୁହାଯାଇଛି । ବିଦେଶୀ ମୁଦ୍ରାକୁ ନିଜ ସଂସ୍ଥାରେ ବିନିଯୋଗ କରିଥିବା ଅଭିଯୋଗରେ ଜେଡ ଇଷ୍ଟେଟ କମ୍ପାନୀ ଉପରେ ଇଡ଼ି ପକ୍ଷରୁ ଏହି ଚଢ଼ଉ କରାଯାଇଥିବା ଦର୍ଶାଯାଇଛି । ଚଢ଼ଉ ବେଳେ ଇଡ଼ି ଅଧିକାରୀମାନେ ନଗଦ ୧ କୋଟି ୩୯ ଲକ୍ଷ ଟଙ୍କା ସହ ବିଦେଶୀ ପୁଞ୍ଜି ନିବେଶ ସଂକ୍ରାନ୍ତୀୟ ବ୍ୟାପକ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି । ଜେଡ ଇଷ୍ଟେଟ ହାୱାଲା ଟ୍ରାଜେକ୍ସନ ଦ୍ୱାରା ବିଦେଶରୁ ଶହଶହ କୋଟି ଟଙ୍କା ପାଣ୍ଠି ସଂଗ୍ରହ କରି ନିଜ ସଂସ୍ଥାରେ ପୁଞ୍ଜି ନିବେଶ କରିଥିବା ନେଇ ଅଭିଯୋଗ ଆସିବା ପରେ ଇଡ଼ି ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା ।  
ମିଳିଥିବା ସୂଚନା ଅନୁଯାୟୀ, ୨୦୦୭ ମସିହାରୁ ଜେଡ କମ୍ପାନୀ ଫେମା (ଫରେନ ଏକ୍ସଚେଜ ମ୍ୟାନେଜମେଣ୍ଟ ଆକ୍ଟ) ଅନୁଯାୟୀ ପଞ୍ଜିକୃତ ହୋଇଛି । ଏହି ଆକ୍ଟରେ ପଞ୍ଜିକୃତ ହେଲେ କୌଣସି ବି କମ୍ପାନୀ ବିଦେଶୀ ମୁଦ୍ରାକୁ ନିଜ କମ୍ପାନୀରେ ବିନିଯୋଗ କରିପାରିବ । କିନ୍ତୁ ଏହି ଆକ୍ଟରେ ଜେଡ କମ୍ପାନୀ ପଞ୍ଜିକୃତ ହୋଇଥିଲେ ମଧ୍ୟ ବେଆଇନ ଭାବେ ଅଧିକରୁ ଅଧିକ ବିଦେଶୀ ଟଙ୍କା ଆଣି ନିଜ କମ୍ପାନୀରେ ନିବେଶ କରୁଛନ୍ତି । ଯାହାର ସଠିକ ହିସାବ କମ୍ପାନୀ ପକ୍ଷରୁ ଫେମାକୁ ଦିଆଯାଉନାହିଁ । ଯାହା ଆରବିଆଇ ଗାଇଡଲାଇନକୁ ଉଲଂଘନ କରୁଛି । ଏହା ନଜରକୁ ଆସିବା ପରେ ଇଡ଼ି ପକ୍ଷରୁ ଏନେଇ ସଂସ୍ଥାର ମୁଖ୍ୟ ତପନ ମହାନ୍ତିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ନାମରେ ମାମଲା ରୁଜୁ କରାଯିବା ସହ ଏହି ଚଢ଼ଉ କରାଯାଇଥିଲା । ଏହି ଘଟଣା ଇଡ଼ି ନଜରକୁ ଆସିବା ପରେ ବେଶ କିଛିଦିନ ଧରି ତଦନ୍ତକାରୀ ସଂସ୍ଥା ପକ୍ଷରୁ ଏହାର ଯାଞ୍ଚ କରାଯାଇଥିଲା । ତଦନ୍ତକାରୀ ସଂସ୍ଥା ଏନେଇ ସଠିକ ତଥ୍ୟ ପାଇବା ପରେ ଶନିବାର ଏହି ଚଢ଼ଉ କରିଥିବା ଇଡ଼ିର ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି । ଏହିଭଳି ଭାବେ ହେରଫେର କରି ଜେଡ କମ୍ପାନୀ ଶହଶହ କୋଟି ବିଦେଶୀ ମୁଦ୍ରାକୁ ବେଆଇନ ଭାବେ ନିଜ କମ୍ପାନୀରେ ନିବେଶ କରିଥିବା ଜଣାପଡ଼ିଛି । ଇଡ଼ି ପକ୍ଷରୁ ୯ଟି ଟିମ ସ୍ୱତନ୍ତ୍ର ଭାବେ ଏକକାଳୀନ ଦିଲ୍ଲୀ, ଗୁରଗାଁଓ, କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିବା ଜଣାପଡ଼ିଛି । ତେବେ ୨୨ ତାରିଖ ଇଡ଼ିର ଚଢ଼ଉ ନେଇ ସଂସ୍ଥାର ମୁଖ୍ୟ ମୁଖ୍ୟ ତପନ ମହାନ୍ତି କହିଥିଲେ ଯେ, ଏହା ଚଢ଼ଉ ନୁହେଁ, ଏହା ଏକ ନିୟମିତ ଯାଞ୍ଚ ପ୍ରକ୍ରିୟା । ତେବେ ସୋମବାର ଇଡ଼ିର ପ୍ରେସ ରିଲିଜ ଜାରି ପରେ ଜେଡ ମୁଖ୍ୟଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।