ଜେଲ୍ ପ୍ରତିଷ୍ଠା ଦିବସରେ ବଡ଼ ନିଷ୍ପତ୍ତି
୪୦୦ରୁ ଅଧିକ କଏଦୀଙ୍କ ହେବ ସଜ୍ଜା କୋହଳ(ଜେଲ ଡ଼ିଜି)
ଭୁବନେଶ୍ୱର, ୧୦ା୧୨ : ଜେଲ୍ ପ୍ରତିଷ୍ଠା ଦିବସ ଅବସରରେ ଦୃଷ୍ଟିକୁ ରଖି ଜେଲ୍ ବିଭାଗ ପକ୍ଷରୁ ବଡ ନିଷ୍ପତ୍ତି ନିଆଯାଇଛି । ବିଭାଗୀୟ ଡିଜିଙ୍କ କ୍ଷମତା ବଳରେ ରାଜ୍ୟର ୮୭ ଜେଲ୍ରେ ଥିବା ୪୦୦ରୁ ଅଧିକ କଏଦୀଙ୍କ ସଜ୍ଜା କମ୍ ହେବାକୁ ଯାଉଛି । ଜେଲ୍ରେ ଉତ୍ତମ ଆଚରଣ ପ୍ରଦର୍ଶନ କରିଆସୁଥିବା ଏହି କଏଦୀ ମାନଙ୍କ ସଜ୍ଜା କୋହଳ କରାଯିବ । ଫଳରେ ସେମାନେ ଧାର୍ଯ୍ୟ ଜେଲ୍ ଦଣ୍ଡ ପୂର୍ବରୁ ମୁକ୍ତିର ଆନନ୍ଦ ପାଇବେ । ମୁକ୍ତି ପାଇବାକୁ ଯାଉଥିବା କଏଦୀ ମାନଙ୍କ ଭିତରେ କିଛି କଏଦୀ ଆଜୀବନ ସଜ୍ଜା ଭୋଗୁଥିବା ବେଳେ, ଆଉ କିଛି ୧ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ ।
ଜେଲ୍ ମାନୁଆଲ ରୁଲ ଅନୁଯାୟୀ, କଏଦୀମାନଙ୍କ ସଜ୍ଜା କୋହଳ କରିବାର କ୍ଷମତା ଜେଲ୍ ଡିଜିଙ୍କର ରହିଛି । ଜେଲ୍ରେ ସଜ୍ଜା କାଟୁଥିବା କଏଦୀଙ୍କ ଉତ୍ତମ ବ୍ୟବହାର ପ୍ରଦର୍ଶନ କ୍ଷେତ୍ରରେ ଡିଜି ତାଙ୍କ କ୍ଷମତା ପ୍ରୟୋଗ କରି ୬୦ଦିନର ସଜା କମାଇ ପାରିବେ । ସେହିପରି ଜେଲ୍ ଅଧୀକ୍ଷକ ୭ ଦିନର କାରାଦଣ୍ଡ କୋହଳ କରିପାରିବେ । ଏଥିପାଇଁ କଏଦୀଙ୍କର ବର୍ଷକର ଆଚରଣ ଉପରେ ନୀରିକ୍ଷଣ କରାଯିବ ।
ଜେଲ୍ ଡିଜି ଅରୁଣ ରାୟଙ୍କ ସୂଚନା ମୁତାବକ ଏଥର ୪୦୦ରୁ ଅଧିକ କଏଦୀଙ୍କ ପାଇଁ ସଜ୍ଜା କୋହଳ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ବର୍ଷ ୨୦୨୫ ଏପ୍ରିଲ୍ରେ ଦ୍ୱିତୀୟ ପର୍ଯ୍ୟାୟରେ ଆଉ କିଛି କଏଦୀଙ୍କ ସଜା କୋହଳ କରାଯିବ । ଜେଲ୍ ସଂସ୍କାର କାର୍ଯ୍ୟକ୍ରମର ଏହା ଏକ ବଡ କାମ । ଏହାଦ୍ୱାରା କଏଦୀଙ୍କ ମନୋଭାବ ପରିବର୍ତ୍ତନ ହେବା ସମ୍ଭାବନା ରହିଛି । ଫଳରେ ସେମାନେ ପୁଣି ଥରେ ସାମାଜିକ ସ୍ରୋତକୁ ଫେରିବା ଆଶା ରହିଛି ।