ଟଙ୍କା ଆଣିଲାନି ବୋଲି ..... ସ୍ତ୍ରୀ ଆଗରେ ଶ୍ୱଶୁର ଓ ଶଳାକୁ ହାଣିଲା

ଟଙ୍କା ଆଣିଲାନି ବୋଲି ..... ସ୍ତ୍ରୀ ଆଗରେ ଶ୍ୱଶୁର ଓ ଶଳାକୁ ହାଣିଲା


 ଭୁବନେଶ୍ୱର, ୨୩ା୫ : ବାପ ଘରୁ ଟଙ୍କା ଆଣିଲାନି ବୋଲି ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ । ରାଗରେ ସ୍ତ୍ରୀ ବାପା ଘରକୁ ଚାଲିଯିବାରୁ ଶ୍ୱଶୁର ଘରକୁ ଯାଇ ଶଳା ଓ ଶ୍ୱଶୁରକୁ ଖଣ୍ଡାରେ ହାଣିଲା ଅଭିଯୁକ୍ତ ଜ୍ୱାଇଁ । ଏନେଇ ଏୟାରପୋର୍ଟ ଥାନାରେ ଅଭିଯୋଗ ପରେ ପୁଲିସ ୧୪୮ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଅଭିଯୁକ୍ତ ସଞ୍ଜୟ ଦେବନାଥକୁ କେଳାସାହିରୁ ଗିରଫ କରିବା ସହ ତାଠାରୁ । ପରେ ଦଫା ୪୯୮(ଏ), ୨୯୪, ୩୦୭, ୩୨୩ ଆଇପିସି ଧାରାରେ କୋର୍ଟ ଚାଲାଣ କରିଛି ।
 ସୂଚନାଯୋଗ୍ୟଯେ, ଅଭିଯୋଗକାରିଣୀ ଜଣକ ଅଭିଯୁକ୍ତକୁ ଗତ ୧୦ ବର୍ଷ ତଳେ ବିବାହ କରି ଏୟାରପୋର୍ଟ ଥାନା ଅଧିନ କାର୍ଗିଲ ବସ୍ତି ନିକଟ କେଳାସାହିରେ ରହୁଥିଲେ । ବିବାହର କିଛି ବର୍ଷ ପରେ ଅଭିଯୁକ୍ତ ସ୍ତ୍ରୀକୁ ତାଙ୍କ ବାପା ଘରୁ ୩ଲକ୍ଷ ଟଙ୍କା ଆଣିବାକୁ କହିଥିଲେ । ହେଲେ ସେ ଟଙ୍କା ନଆଣିବାରୁ ପ୍ରତେକ ଦିନ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ଼ ମାଡ ମାରୁଥିଲେ । ସବୁଦିନ ପରି ଗତ କାଲି ପୂର୍ବାହ୍ନରେ ଅଭିଯୁକ୍ତର ଅତ୍ୟାଚାରରେ ଅତିଷ୍ଠ ହୋଇ ଅଭିଯୋଗକାରିଣୀ ତାଙ୍କ ବାପ ଘରକୁ ପଳାଇ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ମଧ୍ୟାହ୍ନ ସମୟରେ ହାତରେ ଏକ ଖଣ୍ଡା ଓ ଏକ କଟୁରୀ ଧରି ଶ୍ୱଶୁର ଘରକୁ ଯାଇ ସେଠାରେ ସ୍ତ୍ରୀକୁ ଓ ତାଙ୍କ ପରିବାରଙ୍କୁ ଗାଳି ଗୁଲଜ କରିବା ଆରମ୍ଭ କରିଦେଇଥିଲା । ଏହି ସମୟରେ ଅଭିଯୋଗକାରିଣୀଙ୍କ ଭାଇ ବାହାରକୁ ଆସି ତାକୁ ବିରୋଧ କରିଥିଲେ । ଏତିକି ବେଳେ ଅଭିଯୁକ୍ତ ରାଗିଯାଇ ହାତରେ ଧରିଥିବା ଖଣ୍ଡାରେ ଶଳାଙ୍କ ବେକକୁ ଏକ ଚୋଟ ପକାଇଥିଲା । ଫଳରେ ତାଙ୍କ ବେକରେ ଗଭୀର ଆଘାତ ଲାଗିଥିଲା । ଏହା ଦେଖି ଅଭିଯୋଗକାରିଣୀଙ୍କ ବାପା ପୁଅକୁ ବଞ୍ଚାଇବାକୁ ଦୌଡ଼ି ଆସିବାରୁ ଅଭିଯୁକ୍ତ ତାଙ୍କୁ ମଧ୍ୟ ଏକ ଚୋଟ ପକାଇ ଫେରାର ହୋଇଯାଇଥିଲା । ଏନେଇ ଅଭିଯୋଗକାରିଣୀ ଏୟାରପୋର୍ଟ ଥାନାକୁ ଯାଇ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁକରି ଆଜି ଅଭିଯୁକ୍ତକୁ ଗିରଫ କରିଛି ।