ଟାଇକନ୍ ଭୁବନେଶ୍ୱର - ୨୦୨୫ : ‘ନିବେଶ ଓ ନବ ଉନ୍ମେଷ ପାଇଁ ଆହ୍ୱାନ’
ଭୁବନେଶ୍ୱର : ଉଦ୍ୟୋଗୀ, ନବ ଉନ୍ମେଷ ଓ ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଆଉ କେଇପାଦ ଆଗକୁ ଯିବ । ନିବେଶକମାନେ ରାଜ୍ୟରେ ନିବେଶ କରନ୍ତୁ । ଟାଇକନ୍ ଭୁବନେଶ୍ୱର ୨୦୨୫ର ଉଦ୍ୟାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରଗତିଶୀଳ ନୀତି, ବିଶ୍ୱସ୍ତରୀୟ ଭିତ୍ତିଭୂମି, ସହଭାଗିତାର ମାନସିକତା ଆଦି ସମ୍ପର୍କରେ ଆଲୋକପାତ କରିବା ସହ ବିକଶିତ ଓଡ଼ିଶା ଗଠନରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଭାରତର ଅଭିବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଏକ ପ୍ରମୁଖ କେନ୍ଦ୍ର ପାଲଟିବ । ଏଆଇରେ ଆମ ଯୁବବର୍ଗ ଯେଭଳି ଦକ୍ଷ ଓ ସମର୍ଥ ହୋଇପାରିବେ ସେଦିଗରେ ଗୁରୁତ୍ୱ ଦିଆଯାଉଛି । ଖାଲି ଭୁବନେଶ୍ୱର ନୁହେଁ, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରକୁ ମଧ୍ୟ ଡିଜିଟାଲ ହବ୍ ଭାବେ ବିକଶିତ କରାଯିବ । କେବଳ ଜିଡ଼ିପି ଅଭିବୃଦ୍ଧି ନୁହେଁ, ନିଯୁକ୍ତି ସୁଯୋଗ ବୃଦ୍ଧି ଉପରେ ବି ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ରବୀନ୍ଦ୍ର ବେହେରା, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ଶିଳ୍ପ ବିଭାଗର ଏସିଏସ ହେମନ୍ତ ଶର୍ମା, ଆଇଟି ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ଓ ପ୍ରମୁଖ ଶିଳ୍ପ ଉଦ୍ୟୋଗୀମାନେ ଉପସ୍ଥିତ ଥିଲେ ।