ଟିପିଏନଓଡିଏଲର ଉକ୍ରର୍ଷତା

ଯାଜପୁର: ଟିପିଏନଓଡିଏଲ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ଦିଗରେ ସର୍ବଦା ଗୁରୁତ୍ୱ ଦେବା ସହ ସାମାଜିକ ଦାୟିତ୍ୱବୋଧତା ତଥା ସିଏସଆର ବିନିଯୋଗ କ୍ଷେତ୍ରରେ ମଧ୍ୟ ଗୁରୁଦାୟିତ୍ୱ ବହନ କରୁଛି । ଉପାନ୍ତ ଓ ଗ୍ରାମାଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଆରମ୍ଭ କରାଯାଇଥିବା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଗାଡି ଜନସାଧାରଣଙ୍କ ପାଇଁ ବରଦାନ ସାଜିଛି । ବିଗତ କିଛି ବର୍ଷ ମଧ୍ୟରେ ୨ଲକ୍ଷ ୭୪ହଜାରରୁ ଅଧିକ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଓ ଔଷଧ ଯୋଗାଇଛି ଟିପିଏନଓଡିଏଲ । ଟିପିଏନଓଡିଏଲ ପକ୍ଷରୁ ମାଗଣା ମୋବାଇଲ ସ୍ୱାସ୍ଥ୍ୟ ସେବା ନିମିତ ଭ୍ରାମ୍ୟମାଣ ଆମ୍ବୁଲାନ୍ସ ବାଲେଶ୍ୱର ଜିଲ୍ଲା ସମେତ ଯାଜପୁର, କେନ୍ଦୁଝର, ଭଦ୍ରକ, ଓ ମୟୂରଭଞ୍ଜ ଜିଲାର ଉପଭୋକ୍ତାଙ୍କ ପାଇଁ ଆରମ୍ଭ କରାଯାଇଛି । ପ୍ରତ୍ୟେକ ଜିଲ୍ଲା ପାଇଁ ଗୋଟିଏ ଲେଖାଏଁ ମୋଟ ୫ଟି ଭ୍ରାମ୍ୟମାଣ ଆମ୍ବୁଲାନ୍ସ ଉପଲବ୍ଧ କରାଯାଇଥିବା ବେଳେ ଏଯାବତ ମୋଟ ୧୪୯୫ଟି ସ୍ୱାସ୍ଥ୍ୟ କ୍ୟାମ୍ପ ଆୟୋଜନ କରାଯାଇଛି । ଆମ୍ବୁଲାନ୍ସଗୁଡିକରେ ଅତ୍ୟାବଶ୍ୟକୀୟ ଚିକିତ୍ସା ଉପକରଣ ଓ ଔଷଧ ସହ ଜଣେ ଲେଖାଏଁ ଡାକ୍ତର, ଫାର୍ମାସିଷ୍ଟ, ଏଏନଏମ ଏବଂ ଡ୍ରାଇଭର ନିଯୋଜିତ ହୋଇଛନ୍ତି । ଚିକିତ୍ସା ସେବା ସହିତ ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କିତ ବିଭିନ୍ନ ସଚେତନ କରିବା ଦିଗରେ ମଧ୍ୟ ଏହି ଆମ୍ବୁଲାନ୍ସ କାର୍ଯ୍ୟ କରୁଛି । ଏସମ୍ପର୍କରେ ସୂଚନା ଦେଇ ଟିପିଏନଓଡିଏଲ ସିଇଓ ଦ୍ୱିଜଦାସ ବସାକ କହିଛନ୍ତି ଯେ ଆମେ ଅଭିଜ୍ଞ ଡାକ୍ତର, ଫର୍ମାସିଷ୍ଟ ଏବଂ ଅନ୍ୟ କର୍ମଚାରୀ ପ୍ରତ୍ଯେକ ଆମ୍ବୁଲାନ୍ସରେ ନିୟୋଜିତ କରିଛୁ । ଆମ୍ବୁଲାନ୍ସ ବିଭିନ୍ନ ପଂଚାୟତ ଗସ୍ତ କରି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି । ଆବଶ୍ୟକ ସ୍ଥଳେ ଚିକିତ୍ସା ସେବା ଓ ଔଷଧ ଯୋଗାଉଥିବା ବେଳେ ଏସମସ୍ତ ପ୍ରକ୍ରିୟା ସ୍ଥାନୀୟ ସରପଂଚଙ୍କ ସହଯୋଗରେ ସମ୍ପାଦିତ ହେଉଛି । ସେହିଭଳି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟମାନଙ୍କୁ ଟେଲରିଂ, ବ୍ୟୁଟିସିଆନ ଆଦି ପ୍ରଶିକ୍ଷଣ ଦିଆଯିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଇବା ଦିଗରେ ମଧ୍ୟ ଟିପିଏନଓଡିଏଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।