ଟୁରିଷ୍ଟ ବସ୍‌ରେ ରାଜ୍ୟ ବାହାରକୁ ଶ୍ରମିକ ଚାଲାଣ

କୋକସରା : ତୀର୍ଥ ଯାତ୍ରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଥିବା ଏକାଧିକ ଟୁରିଷ୍ଟ ବସ୍‌ ସାଧାରଣ ଯାତ୍ରୀବାହୀ ବସ ଭଲି ଟିକେଟ୍‌ କାଟି ପ୍ରତିଦିନ ଶ୍ରମିକଙ୍କୁ ନେଇ ରାଜ୍ୟ ବାହରକୁ ଚାଲାଣ କରୁଥିବା ନଜରକୁ ଆସୁଛି । ହେଲେ ଜିଲ୍ଲା ଶ୍ରମ ବିଭାଗ କିମ୍ବା ଅଞ୍ଚଳିକ ପରିବହନ ବିଭାଗର ନଜର ପଡୁନାହିଁ ଓ ଯାହା ଫଳରେ ବେଫିକର ହୋଇ ଏହି ବସ୍‌ ମାଲିକମାନେ ଟୁରିଷ୍ଟ ବସ୍‌ରେ ଦାଦନ ଶ୍ରମିକ ଚାଲାଣ କରି ଆସୁଛନ୍ତି । କଳାହାଣ୍ଡି ଜିଲ୍ଲା ଆମପାଣିଠାରୁ ନୂଆପଡ଼ା ଜିଲ୍ଲାକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସୱେ ଦେଇ କାଁ ଭାଁ ଗୋଟିଏ କି ଦୁଇଟି ବସ୍‌ ରାଜ୍ୟ ବାହାରକୁ ଯିବା ପାଇଁ ଅନୁମତି ଥିବାବେଳେ ବେଆଇନ୍‌ ଭାବରେ ୨୫ ରୁ ୩୦ଟି ବସ୍‌ ଗଡୁଛି । ଯେଉଁ ବସ୍‌ ଗୁଡ଼ିକ ଗଡୁଛି ତାହା ବି ସାଧାରଣ ଯାତ୍ରୀମାନଙ୍କ ଲାଗି ପରମିଟ୍‌ ପାଇଁ ନଥୁବା ବେଳେ, ଟୁରିଷ୍ଟ ପରମିଟ୍‌ରେ ଚାଲୁଛି । ଏହି ରାସ୍ତା ଦେଇ ପ୍ରତିଦିନ ଦେଭୋଗ, ସିନାପାଲି ଓ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା, ଧର୍ମଗଡ଼, ପର୍ଲା, ବେହେରା, ଗୋତମୁଣ୍ଡା, ଆମପାଣି ବିଜୁ ଏକ୍ସପ୍ରେସୱେ ରାସ୍ତା ଦେଇ ଏକାଧିକ ଟୁରିଷ୍ଟ ବସ୍‌ ଲୋକ ଲଦି ଚେନ୍ନାଇ, ବିଶାଖାପାଟଣା, ଜଗଦଲପୁର, ହାଇଦ୍ରାବାଦ, ତେଲେଙ୍ଗାନା ଭଲି ଅନ୍ୟ ରାଜ୍ୟକୁ ଗଡ଼ୁଛି ଓ ତେବେ ଉକ୍ତ ବସ ଗୁଡ଼ିକରେ ଓଭର ଲୋଡ ସହିତ ଯାତ୍ରୀମାନେ ଠେଲା ପୋଲା ହୋଇ ଯା'ଆସ କରୁଥିବା ମଧ୍ୟ ନଜରକୁ ଆସିଛି । ଏହାକୁ ନେଇ ବସ୍‌ରେ ଯାତାୟାତ କରୁଥିବା ଲୋକେ ପ୍ରତିବାଦ କଲେ ବିଭିନ୍ନ ସମୟରେ କଣ୍ଡକ୍ଟର ଓ ବସ୍‌ କର୍ମଚାରୀ ମାନେ ଯାତ୍ରୀ ଓ ଶ୍ରମିକଙ୍କୁ ଦୁବ୍ୟବହାର କରୁଥିବା ଅନେକ ସମଯରେ ଥାନାକୁ ମଧ୍ୟ ଅଭିଯୋଗ ଆସିଛି । ଧର୍ମଗଡ଼ ବ୍ଲକର ଦଣ୍ଡପାଟ ଓ କୋକସରା ବ୍ଲକର ଗୋତମୁଣ୍ଡା ସମେତ ବିଭିନ୍ନ ଅଞ୍ଚଳରୁ ଶ୍ରମିକମାନେ ପ୍ରତ୍ୟହ କାମ ଧନ୍ଦା ଅନ୍ୱେଷଣରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବାବେଳେ ଏହି ରାସ୍ତାରେ ଆନ୍ତଃରାଜ୍ୟ ଯାତ୍ରୀବାହୀ ବସ ଚଳାଚଳ କମ୍‌ ରହିଛି । ତେବେ ଏହାର ଫାଇଦା ନେଇ ବସ୍‌ ମାଲିକମାନେ ନିଜର ଟୁରିଷ୍ଟ ପରମିଟ ମିଲିଥିବା ବସ୍‌କୁ ଅଧିକ ମୁନାପ । କମେଇବା ଉଦ୍ଦେଶ୍ୟରେ ସରକାରଙ୍କ ନୀତି ନିୟମକୁ ଭଲଂଘନ କରି ସାଧାରଣ ଯାତ୍ରୀବାହୀ ବସ୍‌ ଭଲି ଲୋକ ଲଦି ନେଉଛନ୍ତି । ପ୍ରତିଦିନ ଏହି ଟୁରିଷ୍ଟ ବସ ଗୁଡ଼ିକ ସାଧାରଣ ଯାତ୍ରୀବାହୀ ବସ୍‌ ଭଲି ଲୋକ ଲଦି ନେଉଥିବାବେଳେ ଧର୍ମଗଡ଼ ଥାନା, ଆମପାଣି ଥାନା ସମେତ ପଡୋଶୀ ଜିଲ୍ଲାର ମୈଦଳପୁର, ପାପଡ଼ାହାଣ୍ଡି, ନବରଙ୍ଗପୁର, ଜୟପୁର, ବୋରିଗୁମ୍ମା, ବୈପାରିଗୁଡା, ଗୋବିନ୍ଦପାଲି, ମାଥଲି, ମାଲକାନଗିରି, ପୋଟେରୁ, କାଳିମେଳା, ଏମଭି ୭୯, ମୋଟୁ ଭଲି ଏକାକ ଥାନା ଅତିକ୍ରମ କରି ଦୌନନ୍ଦିନ ଯା' ଆସ କରୁଛି । ତଥାପି ଏଠାକାର ପୁଲିସ, ପରିବହନ ବିଭାଗ କିମ୍ବା ଶ୍ରମ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଶୋଇ ପଡ଼ିଛି । ତେଣୁ ପୁଲିସ ଓ ପରିବହନ ବିଭାଗ ସବୁ ଜାଣି ଶୁଣି ଚୁପ୍‌ ରହୁଥିବା କଥା ଏକ ପ୍ରକାର ସ୍ପଷ୍ଟ ବାରିହୋଇ ପଡୁଛି । ଫଳରେ ଏହି ଟୁରିଷ୍ଟ ବସ ଗୁଡ଼ିକ ସାଧାରଣ ଯାତ୍ରୀବାହୀ ବସ୍‌ ଭଲି ଲୋକ ଲଦି ବେଫିକର ଭାବେ ରାଜ୍ୟ ବାହାରକୁ ଚଳାଚଳ କରି ଚାଲିଛି । ତେଣୁ ଏହା ଉପରେ ସ୍ୱତନ୍ତ୍ର ଭାବେ ରାଜ୍ୟ ପରିବହନ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।