ଟେଣ୍ଡର ସତ୍ତ୍ୱେ ନିର୍ମାଣ ହୋଇପାରୁନି ଦ୍ୱିତୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର 

 ବ୍ୟାସନଗର : କଳିଙ୍ଗନଗର ଶିଳ୍ପାଂଚଳର ମୁଖଶାଳା ବ୍ୟାସନଗର ସହରର କ୍ରମବର୍ଦ୍ଧିଷ୍ଣୁ ଲୋକ ସଂଖ୍ୟାକୁ ଦୃଷ୍ଟିରେ ରଖି ଓ ଦେଶର ବିଭିନ୍ନ ପ୍ରାନ୍ତରୁ ବସବାସ କରୁଥିବା ବ୍ୟକ୍ତି ବିଶେଷମାନଙ୍କ ଆବଶ୍ୟକତା ଦୃଷ୍ଟିରୁଏଠାରେ ଦ୍ୱିତୀୟ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରିବାକୁ ଆବଶ୍ୟକୀୟ ଜମି ସରକାର ଯୋଗାଇ ଦେଇଛନ୍ତି । ପୈାରାଂଚଳ ଅନ୍ତର୍ଗତ ଚୋରଦା ରାଜସ୍ୱ ଗ୍ରାମର ପାନ୍ଥଶାଳା ପଛପଟେ ରହିଥିବା ପ୍ଲଟ ସଂଖ୍ୟା ୧ ଓ ଖାତା ନମ୍ବର ୧୬୨ ରୁ ୦.୯୯ ହେକ୍ଟର ଝାଟି ଜଙ୍ଗଲ ଜମିକୁ କଟକ ବନଖଣ୍ଡ ଅଧିକାରୀଙ୍କ ଦ୍ୱାରା ତାଙ୍କର ପତ୍ରସଂଖ୍ୟା ୮୧୮୯ ତା ୧୨.୦୯.୨୩ ବଳରେ ଅଣଜଙ୍ଗଳ କିସମରେ ପରିଣତ କରାଯାଇଛି । ଏହି ପ୍ରକଳ୍ପ ପାଇଁ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପତ୍ରସଂଖ୍ୟା ୩୦୨୬୬ ତା ୨୯.୧୨.୨୩ ଦ୍ୱାରା ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟସେବା ମିଶନ ଜରିଆରେ ୯କୋଟି ୯୪ଲକ୍ଷ ଟଙ୍କା ମଂଜୁର କରାଯାଇଛି । ଏହାପରେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ, ରାଜସ୍ୱ ଅଧିକାରୀ ଓ ଜିଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ମିଳିତ ଭାବେ ଚିହ୍ନଟ କରିବା ସହ ତିନିମହଲା ବିଶିଷ୍ଟ ଏକ ଅତ୍ୟାଧୁନିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଏକ ନକ୍ସା ସରକାରଙ୍କ ନିକଟକୁ ପଠାଇଥିଲେ । ତଦନୁଯାୟୀ ଏହାର ଚୂଡାନ୍ତ ସର୍ଭେ ମୁତାବକ ୧୭କୋଟି ୭୫ ଲକ୍ଷ ୭୮ ହଜାର ଟଙ୍କାର ଆକଳନକୁ ସରକାରଙ୍କଦ୍ୱାରା ଅନୁମୋଦିତ ହୋଇଛି । ଏଥିନିମନ୍ତେ ଟେଣ୍ଡର ପ୍ରକ୍ରିୟା ବି ଶେଷ ହୋଇଛି । କିନ୍ତୁ ଅଦ୍ୟାବଧି ଏହି ଜନହିତକର ପ୍ରକଳ୍ପର ନିର୍ମାଣକାର୍ଯ୍ୟ ଆରମ୍ଭ କରାଯାଇ ପାରୁନାହିଁ । ସହରର ଏକମାତ୍ର ସ୍ୱାସ୍ଥ୍ୟକେନ୍ଦ୍ର ରେଳବାଇ ଧାରଣା ଆରପଟେ ଥିବାରୁ ଓ ଏପର୍ଯ୍ୟନ୍ତ ଗଳିପୋଲ ଓ ରେଳବାଇ ପୋଲର ସମ୍ପୂର୍ଣ ହୋଇନପାରିବାରୁ ରେଳବାଇ ଫାଟକ ଅନେକ ସମୟରେ ବନ୍ଦ ରହୁ ଥିବାରୁ ମୁମୁର୍ଷୁ ଅବସ୍ଥାରେ ରୋଗୀମାନଙ୍କର ଅକାରଣେ ଜୀବନ ଯାଉଛି । ଏଣୁ ଏହାର ତୁରନ୍ତ କାର୍ଯ୍ୟ ଆରମ୍ଭ କରିବାକୁ ବ୍ୟାସନଗର ସହରର ବୁଦ୍ଧିଜୀବୀ ମୁଖ୍ୟମନ୍ତ୍ରୀଙ୍କ ସହ ସରକାରଙ୍କ ସ୍ୱାସ୍ଥ୍ୟ, ରାସ୍ତା ଓ ଗୃହନିର୍ମାଣ ବିଭାଗର ଅଧିକାରୀ, ଯାଜପୁର ଜିଲାପାଳ, କୋରେଇ ବିଧାୟକ, ଜିଲା ମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କୁ ନିବେଦନ କରିଛନ୍ତି ।