ଟ୍ରକଚାଳକଙ୍କ ପାଇଁ ଚିକିତ୍ସା ଶିବିର

ଟ୍ରକଚାଳକଙ୍କ ପାଇଁ ଚିକିତ୍ସା ଶିବିର

ସାରସକଣାା : ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ତିନି ରାଜ୍ୟ ସୀମାନ୍ତ ଅଞ୍ଚଳ ଜାମଶଳା ଠାରେ ଟ୍ରକ ଚାଳକମାନଙ୍କ ପାଇଁ ନିଶୁଳ୍କ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ରାସଗୋବିନ୍ଦପୁର ରଙ୍ଗାମାଟିଆ ସ୍ଥିତ ମହାତ୍ମାଗାନ୍ଧି ଚକ୍ଷୁ ଚିକିତ୍ସାଳୟ ଆନୁକୂଲ୍ୟରେ ଜାତୀୟ ଯୁବ ପ୍ରକଳ୍ପ ମୟୂରଭଞ୍ଜ ୟୁନିଟ୍ ସହଯୋଗରେ ଏହି ଶିବିର ସେବା  ଆୟୋଜିତ ହୋଇଥିଲା । ନିତିଦିନ ସୀମାନ୍ତ ଅଞ୍ଚଳ ଜାମଶଳା ଠାରେ ଦୈନନ୍ଦିନ ହଜାର ହଜାର ଭାରିଯାନ ବା ଟ୍ରକ ଯାତାୟାତ କରିଥାଏ । ଗୋଟିଏ ମାଲିକର ଲାଭ କ୍ଷତି ଯେପରି ଚାଳକ ଉପରେ ନିର୍ଭର କରିଥାଏ, ସେହିପରି ରାଜପଥରେ ଗାଡି ଚାଲିଥିବା ସମୟରେ ଆଖପାଖ ପରିସ୍ଥିତି ଓ ଯାତାୟାତ କରୁଥିବା ପଥଚାରୀମାନଙ୍କ ସୁରକ୍ଷା ଜଣେ ଚାଳକ ଉପରେ ନିର୍ଭର କରେ । ମାତ୍ର ବହୁ ସମୟରେ ଟ୍ରକ ଚାଳକଙ୍କ ଦୃଷ୍ଟିଶକ୍ତି ହ୍ରାସ କାରଣରୁ ବହୁ ସମୟ ଦୁର୍ଘଟଣା ହୋଇଥାଏ । ଏଣୁ ତାଙ୍କ ପାଇଁ ମହାତ୍ମାଗାନ୍ଧି ଚକ୍ଷୁ ଚିକିତ୍ସାଳୟ ରଙ୍ଗାମାଟିଆ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ଚାଳକମାନଙ୍କ ଆଖି ପରୀକ୍ଷା କରାଯାଇ ଆବଶ୍ୟକ ସ୍ଥଳେ ସେମାନଙ୍କୁ ନିଃଶୁଳ୍କ ଚଷମା ପ୍ରଦାନ କରାଯାଇଛି । ଏହି ନିଃଶୁଳ୍କ ଶିବିରକୁ ପରିଚାଳନା କରିବାରେ ଝାରପୋଖରିଆ ପୁଲିସ୍ ପକ୍ଷରୁ ମଧ୍ୟ ସହଯୋଗ କରାଯାଇଥିଲା । ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ରଙ୍ଗାମାଟିଆର ମୋବାଇଲ ୟୁନିଟ୍ର ପରୀକ୍ଷକ ରଞ୍ଜିତ ମୁର୍ମୁ, କାବ୍ୟଶ୍ରୀ ମହାନ୍ତ, ଉର୍ମିଳା ମହାନ୍ତ, ତାପଶ୍ୱନୀ ପାତ୍ର ପ୍ରମୁଖ ଚକ୍ଷୁ ପରୀକ୍ଷା କରି ଡ୍ରାଇଭରମାନଙ୍କୁ ନିଃଶୁଳ୍କ ଚଷମା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ଯୁବ ପ୍ରକଳ୍ପ ମୟୂରଭଞ୍ଜ ୟୁନିଟର ସଂଯୋଜକ ମଳୟ କୁମାର ନାୟକ, ଅଶୋକ କୁମାର ପୃଷ୍ଟି, ଶିଶିର ପଟ୍ଟନାୟକ, ବାସୁଦେବ ପାତ୍ର, ଦୁର୍ଗା ପ୍ରାସାଦ ମହାପାତ୍ର, ମାନସ କୁମାର ପୃଷ୍ଟି, ଦିପୁ ମହାପାତ୍ର, ଟନିକ ପାଇକରାୟ, ଲମ୍ବଦର ନାଏକ, ଅକ୍ଷୟ ସାହୁ, ବିକେକ ଦାସ, ମିନାକ୍ଷୀ ମହାନ୍ତ, ସାହିଲ ମହାନ୍ତ, ଅଶ୍ୱନି ମହାନ୍ତ ପ୍ରମୁଖ ସାମିଲ ହୋଇ ଏହି ଶିବିରକୁ ସହଯୋଗ କରିଥିଲେ ।