ଟ୍ୱିନ୍‌ ସିଟିରେ ଲାଗିଲା କଟକଣା 

ଭୁବନେଶ୍ୱର : ରାଜ୍ୟରେ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ ମାତ୍ରା । ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏମଧ୍ୟରେ ପ୍ରଦୂଷଣ ରୋକିବା ପାଇଁ ଟ୍ୱିନ୍‌ ସିଟିରେ କଟକଣା ଲାଗିଯାଇଛି । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ଟ୍ୱିନ୍‌ ସିଟିରେ ସନ୍ଧ୍ୟା ୬ ଟାରୁ ସକାଳ ୧୦ ପର୍ଯ୍ୟନ୍ତ ସମସ୍ତ ନିର୍ମାଣ ବନ୍ଧ ରହିବ । ବାହାରେ ଆବର୍ଜନା ଓ ଢ଼ାବାରେ କୋଇଲା ଜାଳିବା ମନା । ରାତିରେ ଭାରି ଯାନ ଚାଲିବା ଉପରେ ବି କଟକଣା ଲଗାଯାଇଛି । ଏନଏଚ୍‌ ଉପରେ ଦିନକୁ ୩ ଥର ପାଣି ସିଞ୍ଚନ କରାଯିବ ଏବଂ କୌଣସି ଭଙ୍ଗାରୁଜା କାମ ହୋଇ ପାରିବ ନାହିଁ ବୋଲି କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି । ଏହି କଟକଣାକୁ ବଳବତ୍ତର ରଖିବା ପାଇଁ ପୁଲିସ ଓ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।