ଠିକାଦାରଙ୍କ ମନମାନିରେ ଚାଲିଛି ବାଇପାସ୍ ରାସ୍ତା 

 ଖଣ୍ଡପଡ଼ା : ଗତ ୨ ବର୍ଷ ହେଲା ଠିକାଦାରଙ୍କ ଇଛାରେ ଚାଲିଛି ଖଣ୍ଡପଡା ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ । ଖଣ୍ଡପଡ଼ା ପୂର୍ତ୍ତବିଭାଗ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତାର ସୁଯୋଗ ନେଇ ଯେଉଁ ଭଳି ଢଙ୍ଗରେ ରାସ୍ତା କାର୍ଯ୍ୟ କରାଯାଉଛି । ଆସନ୍ତା ୨ ବର୍ଷ ମଧ୍ୟରେ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବା ନେଇ ସାଧାରଣରେ ସନେ୍ଦହଜାତ ହୋଇଛି । ବାଇପାସ ରାସ୍ତା କାର୍ଯ୍ୟରେ ନିୟୋଜିତ ଠିକାଦାରଙ୍କ ପ୍ରତି ଖଣ୍ଡପଡା ପୂର୍ତ୍ତବିଭାଗ କର୍ତ୍ତୃପକ୍ଷ ଅହେତୁକ ଅନୁକମ୍ପା ଦେଖାଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି । ବାଇପାସ ରାସ୍ତାରେ ଅବସ୍ଥିତ କଲଭର୍ଟ ସ୍ଥାନର ଉଭୟ ପାର୍ଶ୍ୱ ରାସ୍ତା ପିଚୁ ହୋଇନଥିବା ବେଳେ, ନିମ୍ନମାନର କାର୍ଯ୍ୟ ଯୋଗୁଁ ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉଠିଯାଇଥିବା ନଜରକୁ ଆସୁଛି ।
ସେହିପରି ରାସ୍ତାର ଉଭୟ ପାର୍ଶ୍ୱରେ ପକାଯାଇଥିବା ଫେଭର ବ୍ଲକ ଗୁଡିକ ବର୍ଷା ପାଣି ମାଡରେ ଦବିଯାଇ ରାସ୍ତା ପାର୍ଶ୍ୱ ବିପଦଶଙ୍କୁଳ ହୋଇଛି । ଠିକାଦାରଙ୍କ ମନମାନି ଯୋଗୁଁ ଅଧାରେ ଅଟକିଥିବା ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହୋଇଥିବା ଖଣ୍ଡପଡା ସହରବାସୀ ଅଭିଯୋଗ କରିଛନ୍ତି । ପୂର୍ତ୍ତବିଭାଗ କର୍ତ୍ତୃପକ୍ଷ ଏ ସମ୍ପକରେ ଅବଗତ ଥିଲେ ହେଁ, କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ବାଇପାସ ରାସ୍ତା କାର୍ଯ୍ୟରେ ନିୟୋଜିତ ଠିକାଦାରଙ୍କୁ ଘଣ୍ଟ ଘୋଡାଇ ଥିବା ଅଭିଯୋଗ ହେଉଛି । ଏବେ ଏହି ରାସ୍ତା ଦେଇ ଯାନବାହାନ ଚଳା ଚଳରେ ସମସ୍ୟା ସୃଷ୍ଟି ହେଉଛି । ନୟାଗଡ ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ ଉଚ୍ଚ କର୍ତ୍ତୃପକ୍ଷ ଏହି ବାଇପାସ ରାସ୍ତା ପ୍ରତି ଦୃଷ୍ଟିଦେଇ ଯୁଦ୍ଧକାଳୀନ ଭିତ୍ତିରେ ବାଇପାସ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସାଧାରଣରେ ଦାବି ହେଉଛି । ପୂର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଧେଶ୍ୟାମ କାଲୋଙ୍କୁ ଏ ସମ୍ପକରେ ପଚାରିବାରେ ବାଇପାସ ରାସ୍ତା କାର୍ଯ୍ୟରେ ନିୟୋଜିତ ଠିକାଦାରଙ୍କୁ ଏ ନେଇ ତାଗିଦ କରାଯାଇଥିବା କଥା ନେଇ ସୂଚନା ଦେବାସହ ଖୁବଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ।