ଠିକାଦାରଙ୍କ ମନମାନିରେ ରାସ୍ତା କାମ
ଧାମନଗର : ଧାମନଗର ବ୍ଲକ ବିଭିନ୍ନ ଗ୍ରାମ୍ୟ ରାସ୍ତା ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଠିକାଦାର ଓ ଯନ୍ତ୍ରୀଙ୍କ ମନମାନିରେ କାମ ଚାଲିଥିବାରୁ ଏପରି ଅବସ୍ଥା ଦେଖିବାକୁ ମିଳିଛି । ପ୍ରକାଶ ଯେ, ଧାମନଗରରୁ ଷେଣ୍ଢପୁର ଭାୟା ଦୋବଲ ରାସ୍ତାର କିଛି ଅଂଶ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଦୁଇବର୍ଷ ହେବ ଉକ୍ତ ରାସ୍ତା ମରାମତି ଓ ନିର୍ମାଣ ଚାଲିଥିଲେ ବି ଏ ଯାଏଁ କାମ ସରୁନାହିଁ । ଫଳରେ ଯିବା ଆସିିବା କରୁଥିବା ଲୋକେ ନାକେଦମ ହୋଇ ପଡୁଛନ୍ତି । ବେଦପୁର ଛକରୁ ଷେଣ୍ଢପୁର ରାସ୍ତା ଏମିତି ବିପର୍ଯ୍ୟସ୍ତ ହୋଇଛି ଯେ, ଗାଡ଼ି କଥା ଛାଡନ୍ତୁ ଚାଲିକି ଯିବା କଷ୍ଟକର ହୋଇପଡୁଛି । ଠିକାଦାର କିଛିଦିନ କାମ କରିବା ପରେ କାମ ବନ୍ଦ କରି ଚାଲିଯାଇଥିଲେ ଏବେ ପୁଣି କାର୍ଯ୍ୟ ମନ୍ଥରତା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି । ଧାମନଗରରୁ ଷେଣ୍ଡପୁର ଭାୟା ଦୋବଲ ରାସ୍ତାଟି ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ଦାୟିତ୍ୱରେ ରହିଛି । ରାସ୍ତାଟି ଦୀର୍ଘଦିନ ହେଲା ଖରାପ ହୋଇ ରହିବାରୁ ଏ ନେଇ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ତେବେ ଖୁବଶୀଘ୍ର କାର୍ଯ୍ୟ ଶେଷ ହେବେ ବାଲି ମନ୍ତ୍ରୀ କହିଛନ୍ତି । ସେହିପରି ପ୍ରଥମ ପର୍ଯ୍ୟାୟରେ ଧାମନଗର କଲେଜ ପାଖରୁ ଦୋବଲ ଘୋଡ଼ାଗଣ୍ଡ ନାଳ ଯାଏଁ କଂକ୍ରିଟ ରାସ୍ତା ହୋଇଥିଲା । ସେଠାରେ ମଧ୍ୟ ଅଧା କାମ ପଡି ରହିଛି । ଆଉ ଦୋବଲରୁ ଷେଣ୍ଢପୁର ମଝିରେ ରାସ୍ତାର କିଛି ଅଂଶ ତିଆରି ହୋଇଥିଲେ ବି କାମ ସମ୍ପୂର୍ଣ୍ଣ ହୋଇ ପାରିଲାନାହିଁ । ଯାହା କାମ ବି ହୋଇଛି ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତରେ ନିମ୍ନମାନର କାର୍ଯ୍ୟ ହୋଇଛି । ଏବେ ଦୋବଲ ବଜାରର କାଳୀବଜାର ଠାରୁ ବସ୍ଷ୍ଟାଣ୍ଡ ଯାଏ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମେ ଡ୍ରେନ କାର୍ଯ୍ୟ ଆରମ୍ଭ ହୋଇଛି । ମାତ୍ର ତାହା ନିମ୍ନମାନର ହେଉଛି । ଯାହାକି ଦୂର ଦୃଷ୍ଟି ଅଭାବରୁ ସଧାରଣ ଲୋକଙ୍କ କିଛି ଲାଭ ହେବନି ବରଂ ରାସ୍ତା ସମସ୍ୟା ବଢ଼ବ । ଉଲ୍ଲେଖ ଯେ, ଉକ୍ତ ରାସ୍ତା ଜବରଦଖଲ ଥିବାରୁ ନିକଟରେ ତହସିଲଦାରଙ୍କ ଦ୍ୱାରା ବଜାର ମାପ କରାଯାଇ ଜାଗା ବାହାର କରାଯାଇଥିଲା । ରାସ୍ତାର ଫୁଟେ ଛାଡି ଡ୍ରେନ ତିଆରି ହେବ । ମାତ୍ର ଠିକାଦାର ନିଜମର୍ଜିରେ ରାସ୍ତାର କଂକ୍ରିଟିକୁ ଲଗାଇ ଡ୍ରେନ୍ କରୁଛି । ଯାହାଦ୍ୱାରା ରାସ୍ତା ମଧ୍ୟ ପୁଣି ସଂକୁଚିତ ହେଉଛି । ଅପରପକ୍ଷରେ ଯେଉଁ ଡ୍ରେନ ଖୋଳାଯାଉଛି, ତାହା ଏବେ ବିପଦପୂର୍ଣ୍ଣ ରହିଛି । ରାସ୍ତା ଖୋଳି ଦେଇଥିଲେ ମଧ୍ୟ କାର୍ଯ୍ୟ ବିଳମ୍ୱ ହେଉଛି । ଖୋଳା ଯାଇଥିବା ଡ୍ରେନ୍ ନିକଟରେ କିଛି ସୁରକ୍ଷା ଚିହ୍ନ ଦିଆଯାଉନାହିଁ । ଫଳରେ ପାଦଚଲା ଲୋକ ଓ ଯାନବାହନ ଦୁର୍ଘଟଣାର ଶିକାର ହେବା ନେଇ ଆଶଙ୍କା କରାଯାଉଛି । ତେଣୁ ଉକ୍ତ ବିପଦପୂର୍ଣ୍ଣ ରାସ୍ତାର ସ୍ଥାୟୀ ସମାଧାନ ପାଇଁ ଧାମନଗର ବ୍ଲକ କଂଗ୍ରେସ ନେତା ଅଭିଷେକ ରାଉତ, ପ୍ରଭାତ ପଣ୍ଡା, ରାଜ କିଶୋର ସାହୁ, ସେକ ହାକିମ, ସଂଜୟ ମିଶ୍ର, ସେକ ତରୀମି, ଅଭୟ ସାହୁ, କେଶବ ନାୟକ ପ୍ରମୁଖ ଦାବି କରଛନ୍ତି । ଏ ସଂପର୍କରେ ପୂର୍ତ୍ତ ବିଭାଗର ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ନିଶ୍ଚିତ ଭାବରେ ଡ୍ରେନ ନିକଟର ସୁରକ୍ଷା ଚିହ୍ନ ଲଗାଇବା କଥା । ତେବେ ଖୁବଶୀଘ୍ର ଉକ୍ତ ସମସ୍ୟାର ସମାଧାନ କରାଯିବ ବୋଲି ଅଧିକାରୀ ପ୍ରକାଶ କରିଥିଲେ ।