ଠିକା ଶ୍ରମିକଙ୍କ ବିକ୍ଷୋଭ ପ୍ରଦର୍ଶନ
ତାଳଚେର : ଏଲଏଲପିଏଲ ଏବଂ ଟିଏଲପିଏଲ କମ୍ପାନୀରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କର ଚାରି ଦଫା ଦାବି ପୂରଣ ନେଇ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୂଚନା ଅନୁସାରେ, ତାଳଚେର ସ୍ଥିତ ଅନନ୍ତ ଏବଂ ଜଗନ୍ନାଥ ଖୋଲା ଖାଦାନରେ କାର୍ଯ୍ୟରତ ଲାନ୍ସର ଲଜିଷ୍ଟିକ୍ସ ପ୍ରାଇଭେଟ ଲିଃ (ଏଲଏଲପିଏଲ) ଏବଂ ଟକ୍ସାଲି ଲଜିଷ୍ଟିକ୍ସ ପ୍ରାଇଭେଟ ଲିଃ (ଟିଏଲପିଏଲ) କମ୍ପାନୀ ଦ୍ୱୟର କାମ ସରିବାକୁ ଯାଉଛି । ତେଣୁ ଏହି କମ୍ପାନୀ ଗୁଡିକରେ କାର୍ଯ୍ୟ କରୁଥିବା ସମସ୍ତ ଠିକା ଶ୍ରମିକମାନଙ୍କୁ ତା ୩୧.୦୪.୨୦୨୫ ରିଖ ପର୍ଯ୍ୟନ୍ତ ସେମାନଙ୍କର ସଂପୂର୍ଣ୍ଣ ସିଏମପିଏଫ୍ ସ୍ଲିପ୍ ପ୍ରଦାନ କରାଯିବା, ୫ ବର୍ଷରୁ ଅଧିକ କାମ କରିଥିବା ଠିକା ଶ୍ରମିକମାନଙ୍କୁ ଗ୍ରାଚୁଏଟି ପ୍ରଦାନ କରାଯିବା,ଏହି ଦୁଇଟି କମ୍ପାନୀରେ କାମ କରୁଥିବା ସମସ୍ତ ଠିକା ଶ୍ରମିକମାନଙ୍କୁ କୋଲ ଇଣ୍ଡିଆ ନିୟମ ଅନୁସାରେ ଏହା ବଦଳରେ ଆସୁଥିବା କଂପାନୀ ଗୁଡ଼ିକରେ ପୁନଃ ନିଯୁକ୍ତି ଦିଆଯିବା, ସମସ୍ତ ଠିକା ଶ୍ରମିକମାନଙ୍କୁ ପିଏଲଆଇ ବୋନସ୍ ଏବଂ ଗିଫ୍ଟ କାର୍ଡ଼ ପ୍ରଦାନ କରାଯିବା ଇତ୍ୟାଦି ୪ ଦଫା ସମ୍ବଳିତ ଦାବିକୁ ନେଇ ତାଳଚେର ଶିଳ୍ପାଂଚଳ ଶ୍ରମିକ ସଂଘର ସଭାପତି ତଥା ବିଜେପି ଜିଲ୍ଲା ଉପସଭାପତି ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ଶହ ଶହ ଠିକା ଶ୍ରମିକ ଭାଇମାନଙ୍କ ଦ୍ୱାରା ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜଗନ୍ନାଥ କ୍ଷେତ୍ରର ଏପିଏମଙ୍କୁ ଏକ ଚାରିଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା । ଯଦି ଆସନ୍ତା ୧୫ ଦିନ ମଧ୍ୟରେ ଏହାର ସ୍ଥାୟୀ ସମାଧାନ ନ ହୁଏ, ତା’ହାଲେ ଆଗାମୀ ଦିନରେ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ଖଣିବନ୍ଦ ଆନେ୍ଦାଳନ କରାଯିବ ବୋଲି ସଂଘ ପକ୍ଷରୁ ଦୃଢ ଚେତାବନୀ ଦିଆଯାଇଛି ।