ଡାନିଙ୍କ ସଣ୍ଢୁଆଶି ଆକ୍ରମଣରେ ଚଳଚଞ୍ଚଳ ଖଣି ଅଞ୍ଚଳ ରାଜନୀତି
ଯାଜପୁର : ଡ଼ବଲ ଇଞ୍ଜିନ ସରକାରକୁ ମାଳ ମାଳ ନେତା । ତଥାପି ଖଣି ଅଞ୍ଚଳରେ ଶାସକ ବିଜେପି ବ୍ୟାକ୍ଫୁଟରେ । ପ୍ରାକ୍ତନ ବିଧାୟକ ପ୍ରୀତିରଂଜନ ଘଡ଼ାଇଙ୍କ ଶଣ୍ଢୁଆସି ଆକ୍ରମଣକୁ ସାମ୍ନା କରି ପାରୁନି ଶାସକ ବିଜେପି । ବିଜେପି ସରକାରକୁ ଆସିବା ପରେ ସୁକିନ୍ଦାର ଖଣି ଅଞ୍ଚଳ ଲଗାମ ବିଜେପି ତଥା ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ହାତରେ ରହିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଥିଲା । କିନ୍ତୁ ସରକାର ଗଠନର ବର୍ଷକ ପରେ ବି ଖଣି ଅଞ୍ଚଳର ବିଜେଡ଼ି କର୍ମୀ, କାର୍ଯ୍ୟକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧି ପ୍ରାକ୍ତନ ବିଧାୟକ ପ୍ରୀତିରଂଜନ ଘଡ଼ାଇ ବା ଡ଼ାନିଙ୍କୁ ହତୋସôାହିତ କରିନାହାନ୍ତି । ଯାହାର ଉଦାହରଣ ବାରମ୍ବାର ଦେଖିବାକୁ ମିଳୁଛି । ନିର୍ବାଚନ ପରେ ପରେ ମାରପିଟ୍ ହେଉ କି ନିକଟରେ ଶ୍ରମିକ ୟୁନିୟନ କାର୍ଯ୍ୟାଳୟ ଭଙ୍ଗାରୁଜା କିମ୍ବା ଦୁଇଦିନ ତଳେ ବିଜେଡ଼ି ପାଇଁ ସୋସିଆଲ ମିଡ଼ିଆ କାର୍ଯ୍ୟ କରୁଥିବା କର୍ମୀଙ୍କୁ ଗିରଫ କରିବା ଭଳି ଘଟଣାରେ ଦଳୀୟ କର୍ମୀଙ୍କ ନିକଟରେ ପହଞ୍ଚି ଡ଼ାନି ସଂଜୀବନୀ ଦେବାରେ ଲାଗିଛନ୍ତି । କେବଳ ପାଖରେ ନୁହେଁ ଥାନାରେ ପହଁଚି ପୁଲିସକୁ ଚେତାବନି ଦେବା ହେଉ କି ଥାନା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସଦଳବଳେ ଏସପିଙ୍କୁ ଭେଟିବା ହେଉ କି ବିଜେପି ସରକାରରେ ଚାଲିଥିବା ଗୁଣ୍ଡାଗର୍ଦିକୁ ନେଇ ମୁଖ୍ୟମନ୍ତ୍ରୀ ଏବଂ ସ୍ଥାନୀୟ ମନ୍ତ୍ରୀଙ୍କୁ ଟାର୍ଗେଟ କରିବା ଖଣି ଅଞ୍ଚଳ ରାଜନୀତିକୁ ସରଗରମ କରିଛି । ହେଲେ ବର୍ଷକ ତଳେ ଖଣି ଅଞ୍ଚଳରେ ଦବଦବା ବିସ୍ଥାର କରିଥିବା ବିଜେପି ଡ଼ାନିଙ୍କୁ କାଉଣ୍ଟର କରିବାରେ ଫେଲ ମାରିଛି । ଯଦି କହିବା ତେବେ ଗଲା ନିର୍ବାଚନ ନିର୍ବାଚନରେ ଘଡ଼ାଇ ପିତା ପୁତ୍ରଙ୍କୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ ତାଡ଼ିବାରେ ଖଣି ଅଞ୍ଚଳର ବିଶେଷ ଭୂମିକା ରହିଥିଲା । ଯେଉଁ ଖଣି ଅଞ୍ଚଳରୁ ଘଡ଼ାଇ ପିତାପୁତ୍ରଙ୍କ ବିଜୟବାନା ଉଡ଼ୁଥିଲା, ସେହି ଖଣି ଅଞ୍ଚଳ ହିଁ ତାଙ୍କୁ ହରାଇବାରେ ଅଗ୍ରଭୂମିକା ନେଇଥିଲା । ବିଜେପି ନେତାଙ୍କ ରଣନୀତି ଆଗରେ ଡ଼ାନିଙ୍କ ସଂଗଠନ ଫେଲ ମାରିଥିଲା । ଆଉ ଦୀର୍ଘ ଦିନପରେ ଗୋଟେ ପରିବାର ବାଦର ପରିସମାପ୍ତି ଘଟିଥିଲା । ହେଲେ ନିର୍ବାଚନ ପରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚର୍ଚ୍ଚାରେ ରହିଛି । ଏହାକୁ ନେଇ ବିଜେଡି ଆନେ୍ଦାଳନକୁ ଓହ୍ଲାଇଛି । ସରକାର ପରିବର୍ତନ ପରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି । ବିଜେପିର ସମର୍ଥôତ କର୍ମୀ ବିଜେଡି କର୍ମୀ ମାନଙ୍କ ଉପରେ ଆକ୍ରମଣ କରୁଛନ୍ତି ଏଭଳି ଅଭିଯୋଗ ଡ଼ାନି ବାରବାର କରିବାରେ ଲାଗିଛନ୍ତି । ନିକଟରେ ଖଣି ଅଞ୍ଚଳରେ ବିଜେଡିର ଶ୍ରମିକ ସଂଗଠନିକ କାର୍ଯ୍ୟାଳୟ ଭଙ୍ଗାରୁଜା ଘଟଣା ପରେ ଡ଼ାନି ବିଜେପି, ରାଜ୍ୟ ସରକାର, ପୁଲିସ ଏବଂ ସ୍ଥାନୀୟ ନେତୃତ୍ୱଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଆକ୍ରମଣରେ ଶୀକାର ହେଉଥିବା କର୍ମୀ ମାନଙ୍କ ମନୋବଳ ବଢାଇବା ପାଇଁ ତାଙ୍କ ପାଖରେ ପହଁଚିଛନ୍ତି । ତାଙ୍କର ସମସ୍ୟାକୁ ନେଇ ନିକଟସ୍ଥ ଥାନା ଠାରୁ ଆରମ୍ଭ କରି ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ ଓ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ପାଖକୁ ଅଭିଯୋଗ ନେଇ ପହଁଚିଛନ୍ତି । ସାମାଜିକ ଗଣମାଧ୍ୟମରେ ମୋହନ ସରକାର, ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ପାର୍ଟି ସହିତ ସମବାୟ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଦୀପ ବଳ ସାମନ୍ତଙ୍କୁ ସମାଲୋଚନା କରୁଛନ୍ତି । ଡ଼ାନିଙ୍କ ଅଭିଯୋଗ ଭତ୍ତିହିନ ସହ ବିଜେଡ଼ି ଖଣି ଅଞ୍ଚଳରେ ଅଶାନ୍ତ ସୃଷ୍ଟି କରୁଛି ବୋଲି ବିଜେପି ପକ୍ଷରୁ ପାଲଟା ଅଭିଯୋଗ କରାଯାଉଥିଲେ ବି ତାହା କିନ୍ତୁ ପ୍ରଭାବୀ ହେଇ ପାରୁନି । ବିଜେପିର କିଛି ଛାମୁଆ ନେତା ଆଗକୁ ଆସୁଥିଲେ ହେଁ ନିର୍ବାଚନ ପରେ ଆମଦାନୀ ହୋଇଥିବା ଛାମୁଆ ନେତା ତୁଣ୍ଡ ଖୋଲୁ ନାହାନ୍ତି । କେବଳ ଏହା ନୁହେଁ ଖଣି ଅଞ୍ଚଳରେ ବିଜେପିକୁ ବଳଶାଳୀ କରିବାରେ ବିଶେଷ ଭୂମିକା ଲିଭାଇଥିବା କର୍ମୀ ଏକ୍ଷେତ୍ରରେ ପୁରା ନିରବ ହୋଇପଡ଼ିଛନ୍ତି ।ଯାହା ଶୁଣାଯାଉଛି ନିର୍ବାଚନ ପରେ ସେମାନଙ୍କୁ ଅଣଦେଖା କରାଯାଇଥିବାରୁ ଅଭିଯୋଗ ପ୍ରତିଅଭିଯୋଗ ବା ମାରପିଟ ଘଟଣାରୁ ନିଜକୁ ଦୂରେଇରଖୁଛନ୍ତି । ସର୍ବୋପରି ଡ଼ାନି ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ଅଙ୍ଗୁୁଳି ଉଠାଉଥିଲେ ବି ତାଙ୍କର ସହଯୋଗୀ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ପାଟି ଖୋଲୁ ନାହାନ୍ତି । ଏହି କାରଣରୁ ସାମାଜିକ ଗଣମାଧ୍ୟମରେ ସମାଲୋଚନା କରିବା କ୍ଷେତ୍ରରେ ବିଜେଡି ଠାରୁ ବିଜେପି ପଛରେ ପଡ଼ିଯାଇଛି । ଏମିତିକି ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କୁ ସମାଲୋଚନା କରିବା ପରେ ମଧ୍ୟ ତାଙ୍କ ଘନିଷ୍ଠ କର୍ମୀ ପାଟି ଖୋଲିବାକୁ ଉଚିତ୍ ଭାବୁ ନାହାଁନ୍ତି । ଆମଦାନୀ ନେତାଙ୍କୁ ବିଶେଷ ଅଗ୍ରାଧିକାର ଦିଆଯିବା କାରଣରୁ ବିଜେପି ସଂଗଠକ ଟୁଟୁଙ୍କ ଠାରୁ ଦୂରେଇ ରହିଥିବାର ଦେଖିବାକୁ ମିଳୁଛି । ଏହି କାରଣରୁ କୈାଣସି ଅଘଟଣକୁ ଏଡ଼ାଇବାକୁ ନିକଟରେ ହେବାକୁ ଥିବା ଏକ ଜନଶୁଣାଣୀକୁ ପ୍ରଶାସନ ବାତିଲ କରିବାକୁ ବାଧ୍ୟ ହୋଇଥିଲା । ଏକଦା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ଘନିଷ୍ଠ ଥିବା ପ୍ରଦୀପ ବଳ ସାମନ୍ତ ଚଳିତ ନିର୍ବାଚନରେ ଖଣି ଅଂଚଳରୁ ସର୍ବାଧିକ ଭୋଟ ନେଇ ନିର୍ବାଚନରେ ବିଜୟୀ ହେବାପରେ ବି ଖଣି ଅଞ୍ଚଳରେ ଦବଦବା ଜାହିର କରିନପାରିବା ଘଟଣା ରାଜନୈତିକ ମହଲକୁ ଆଶ୍ଚର୍ଯ୍ୟ ଚକିତ କରିଛି । ସେହି କାରଣରୁ ଆଲୋଚନା ହେଉଛି ଡ଼ାନିଙ୍କ ରଣନୀତି ଆଗରେ ବିଜେପି କେବଳ ଫେଲ ମାରିନି ବ୍ୟାକ ଫୁଟରେ ରହିଛି ।