ଡାଲି ମିଶନ ପାଇଁ ୧୧୪୪୦ କୋଟି
ନୂଆଦିଲ୍ଲୀ : କେନ୍ଦ୍ର କ୍ୟାବିନେଟରେ ୭ଟି ଯୋଜନା ଓ କାର୍ଯ୍ୟକ୍ରମ ଉପରେ ମୋହର ଲାଗିଛି । ନିକଟରେ କେନ୍ଦ୍ର ସରକାର ଡିଏ ଓ ଡିଆର ବୃଦ୍ଧି କରିଥିବାରୁ ସେ ବାବଦରେ ୧୦୦୮୪ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବାର ଥିବାବେଳେ ସେଥିପାଇଁ ୫୮୬୩ କୋଟିର ବ୍ୟୟ ଅଟକଳ କରାଯାଇଛି । ଡାଲିରେ ଆତ୍ମନିର୍ଭରଶୀଳ ହେବା ପାଇଁ ୧୧୪୪୦ କୋଟିର ବ୍ୟୟବରାଦ ହୋଇଥିବାବେଳେ ରବି ଋତୁରେ ଏମଏସପି ପାଇଁ ୮୪୨୪୩ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଅପରପକ୍ଷରେ ଏନଏଚ ୭୧୫ର କାଲିବର-ନୁମାଲିଗଡ଼ ଅର୍ଥାତ୍ ୮୬ କିମି ରାସ୍ତାକୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଥିବାବେଳେ ୬୯୫୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏତଦବ୍ୟତୀତ ବାଇଓମେଡ଼ିକାଲ ରିସର୍ଚ୍ଚ କ୍ୟାରିୟର ପ୍ରୋଗ୍ରାମ ନିମନ୍ତେ ୧୫ ଶହ କୋଟି ଟଙ୍କା ବ୍ୟୟ କରାଯିବ ।
ସୂଚନାଯୋଗ୍ୟଯେ, କ୍ୟାବିନେଟ୍ ଡିଏ ଓ ଡିଆରରେ ୩ % ବୃଦ୍ଧି ପାଇଁ ଅନୁମୋଦନ ପ୍ରଦାନ କରିଥିଲେ । ଜୁଲାଇ ପହିଲାରୁ ଏହା ଲାଗୁ ହୋଇଥିବାବେଳେ ଏହାଦ୍ୱାରା ୪୯.୨ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୮.୭ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ଏଥିପାଇଁ କେନ୍ଦ୍ର ସରକାରଙ୍କ ଉପରେ ୧୦ ହଜାର ୮୪ କୋଟିର ବୋଝ ପଡ଼ିବ । ରାଜ୍ୟ କ୍ୟାବିନେଟରେ ୫୭ ନୂତନ କେନ୍ଦ୍ରୀୟ ବିଦ୍ୟାଳୟକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଗୃହ ମନ୍ତ୍ରଣାଳୟ ଦ୍ୱାରା ୭ ଓ ରାଜ୍ୟ ସରକାରଙ୍କ ଦ୍ୱାରା ୫୦ଟି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯିବ । ୨୦ ବିଦ୍ୟାଳୟ କେଭି ନଥିବା ଜିଲ୍ଳାରେ, ୧୪ ବିଦ୍ୟାଳୟ ଆକାଂକ୍ଷୀ ଜିଲ୍ଲାରେ, ୪ କେଭି ମାଓ ଉପଦ୍ରୁତ ଅଞ୍ଚରେ ଓ ୫ କେଭି ପାର୍ବତ୍ୟାଞ୍ଚଳରେ ସ୍ଥାପନ କରାଯିବ ।
ଡାଲିରେ ଆତ୍ମନିର୍ଭର ହେବା ପାଇଁ ୧୧୪୪୦ କୋଟିର ଯୋଜନାକୁ ଅନୁମୋଦନ କରାଯାଇଛି । ଏହି ମିଶନ ୬ ବର୍ଷ ପାଇଁ ଚାଲିବ । ଅପରପକ୍ଷରେ ପିଏମ ଆଶା ଗ୍ୟାରେଣ୍ଟି ଯୋଜନାରେ ଡାଲି ଜାତୀୟ ଫସଲର ଏମଏସପି ୪୫ ହଜାରରୁ ୬୦ ହଜାର କୋଟିକୁ ବୃଦ୍ଧି କରାଯାଇଛି ।