ଡ.ଗୋବିନ୍ଦ ଚନ୍ଦ୍ର ଉଦ୍ଗାତା
ଆମ ରାଜ୍ୟର ବିଶିଷ୍ଟ ସଂପାଦକ, ଶିକ୍ଷାବିତ୍ ଓ ସାହିତି୍ୟକଙ୍କ ମଧ୍ୟରେ ଡ.ଗୋବିନ୍ଦ ଚନ୍ଦ୍ର ଉଦ୍ଗାତା ଅନ୍ୟତମ । ତାଙ୍କ ସଂପାଦକ ଜୀବନ ଶୈଶବରେ ଆରମ୍ଭ ହୋଇଥିଲା । ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ସେ ମଞ୍ଜରୀ ନାମକ ହାତଲେଖା ପତ୍ରିକା ସଂପାଦନ କରୁଥିଲେ । ପରବର୍ତ୍ତୀ କାଳରେ ସେ ଚତ୍ତୁରଙ୍ଗ, ଦ ରାଭେନ୍ସାଭିଆନ୍, ଶାଶ୍ୱତୀ, ସପ୍ତର୍ଷି ଓ ହୀରାଖଣ୍ଡ ଆଦିର ସଂପାଦନା କରିଥିବା ଜଣାଯାଏ । ତାଙ୍କ ସଂପର୍କରେ ଏକ ଉଲ୍ଲେଖନୀୟ କଥା ହେଉଛି, ସେ ବିଧିବଦ୍ଧ ଭାବେ ମହାବିଦ୍ୟାଳୟରେ ନ ପଢ଼ି ଘରୋଇ ଭାବେ ସ୍ନାତକ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ତାହା ପରେ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ପାଇଥିଲେ । ଏଭଳି ଗୌରବ କ୍ୱଚିତ କେହି ହାସଲ କରିଥିବେ । ସେ ନାଗପୁର ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ମଧ୍ୟ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଥିଲେ । ପାରିବାରିକ ଆର୍ଥିକ ଦୁରବସ୍ଥା ଯୋଗୁଁ ସେ ବିଧିବଦ୍ଧ ମହାବିଦ୍ୟାଳୟ ଶିକ୍ଷାରୁ ବଞ୍ଚôତ ହୋଇଥିବା ଜଣାଯାଏ । ବିଦ୍ୟାଳୟ ଶିକ୍ଷକ ଭାବେ ଡ.ଉଦ୍ଗାତାଙ୍କ କର୍ମମୟ ଜୀବନ ଆରମ୍ଭ ହୋଇଥିଲା । ଉଚ୍ଚ ଶିକ୍ଷା ପରେ ସେ ମହାବିଦ୍ୟାଳୟ ଅଧ୍ୟାପକ ହୋଇଥିଲେ । ସାହିତି୍ୟକ ଜୀବନରେ ସେ ଏକାଧାରରେ କବି, ପ୍ରାବନ୍ଧିକ, ଅନୁବାଦକ ଓ ନାଟ୍ୟକାର । ଅଳଙ୍କାର ପ୍ରସଙ୍ଗ ପାଇଁ ସେ ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାର ଏବଂ କାବ୍ୟଶିଳ୍ପୀ ଗଙ୍ଗାଧର ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଥିଲେ । ରମାକାନ୍ତ ରଥଙ୍କ ପ୍ରସିଦ୍ଧ କାବ୍ୟ ଶ୍ରୀରାଧାର ସେ ସଂସ୍କୃତ ଅନୁବାଦ କରିଥିଲେ । ଏହା ଥିଲା, ତାଙ୍କର ଶେଷକୃତି । ଓଡ଼ିଶା ସାହିତ୍ୟ ଏକାଡ଼େମୀ ପ୍ରକାଶିତ ଓଡ଼ିଆ ଲେଖକ ପରିଚୟ ପୁସ୍ତକ ଅନୁଯାୟୀ ୧୯୨୦ ମସିହାରେ ବଲାଙ୍ଗୀରର ଟିକରପଡ଼ାରେ ଜନ୍ମ ହୋଇଥିଲେ ଡ.ଉଦ୍ଗାତା ।
ଡ.ଅରୁନ୍ଧତୀ ଦେବୀ
ମୋ: ୯୯୩୭୧୭୨୮୧୦