ଢାକାରେ ବସି ଆସାଦୁର କରୁଥିଲା ଅପରେଟ୍ ; ଫଟୋ ଜାରିକଲା ପୁଲିସ
ଭୁବନେଶ୍ୱର, ୨୨ା୮ : ଆଜି ସରିଛି ରାଜୁ ମଣ୍ଡଳର ୫ ଦିନିଆ ରିମାଣ୍ଡ । ଏହି ୫ ଦିନରେ ରାଜୁ ମଣ୍ଡଳ ଠାରୁ ବହୁ ତଥ୍ୟ ମିଳିଛି । ଢାକାରେ ବସି ମାଷ୍ଟର ମାଇଣ୍ଡ ଆସାଦୁର ଭୁବନେଶ୍ୱର ଓ ରାଞ୍ଚିରେ ବସିଥିବା ସିମ୍ ବକ୍ସକୁ ଅପରେଟ୍ କରିବା ସହ କଣ୍ଟ୍ରୋଲ କରୁଥିଲା । କମିଶନରେଟ ପୁଲିସ ଓ ଏନ୍ଆଇଏ ପକ୍ଷରୁ ପଚରା ଉଚରା ପରେ ଏପରି ସାଂଘାତିକ ତଥ୍ୟ ଉଗାଳିଛି ରାଜୁ ମଣ୍ଡଳ । ତେବେ ରାଜୁ ମଣ୍ଡଳ ଭୁବନେଶ୍ୱରରେ ରହି ଏହାକୁ ସେ କିପରି ନିୟନ୍ତ୍ରଣ କରୁଥିଲା ତାହାର ଡେମୋ ପୁଲିସ ଓ ଏନ୍ଆଇଏ ଦେଖାଇଛି । ରାଜୁ ମଣ୍ଡଳକୁ ପଚରା ଉଚରାରୁ ଏହା ମଧ୍ୟ ଜଣାପଡ଼ିଛି ୩ଟି ଇଣ୍ଟରନେଟ୍ କନେକ୍ସନ ନିଆଯାଇ ୮ଶହରୁ ଊର୍ଦ୍ଧ୍ୱ ସିମ୍ ଅପରେଟ କରାଯାଇଛି । ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ, ଆହୁରି ତଥ୍ୟ ହାସଲ ପାଇ ପୁଣି ଆଉ ୭ ଦିନ ପାଇଁ ରିମାଣ୍ଡ ଆବେଦନ କରିଛି ପୁଲିସ ।
ପୁଲିସ କମିଶନର ସଞ୍ଜୀବ ପଣ୍ଡାଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱର ଓ ରାଞ୍ଚିରେ ବସିଥିବା ସିମ୍ ବକ୍ସରେ ଲାଗିଥିଲା ସ୍କାର୍ଟ ସୁଇଚ୍ । ଆସାଦୁର୍ ଢାକାରେ ରହି ଏହାକୁ କଣ୍ଟ୍ରୋଲ କରୁଥିଲା । ଆସାଦୁର ଅତି ସତର୍କତାର ସହ କଟକ, ଭୁବନେଶ୍ୱର ଓ ରାଞ୍ଚିରେ ଘର ଭଡା ନେଇ ସିମ୍ ବକ୍ସ ଲଗାଇଥିଲା । ଏହାର ବୁଝାଶୁଝା ନିମନ୍ତେ ସେ ପଶ୍ଚିମବଙ୍ଗର ରାଜୁ ମଣ୍ଡଳକୁ ରଖିଥିଲା । ରାଜୁ ଏହି ସମସ୍ତ ସ୍ଥାନକୁ ଭିନ୍ନ ଭିନ୍ନ ସମୟରେ ଯାଇ ବୁଝାଶୁଝା କରିବା ସହ ସମସ୍ତ ସିମ୍ ବକ୍ସର ଦେଖାରଖା କରୁଥିଲେ । ଏଥିସହ ମାଲିକ ମାନଙ୍କର ଯେପରି ସନେ୍ଦହ ନହେବ ନିର୍ଦ୍ଧାରିତ ସମୟରେ ଭଡା ବି ଦେଉଥିଲା । ଆସାଦୁର ଭାରତରେ ୨ ମାସ ରହିଥିଲା । ସେ ଅଗରତାଲା ବାଟେ ଆସି ପଶ୍ଚିମବଙ୍ଗ ଦେଇ ଯାଇଛି । ତେବେ ସେ ଓଡିଶାରେ କେତେ ଦିନ ରହିଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ତେବେ ଆସାଦୁରର ଫଟୋ ମିଳି ସାରିଛି । ରାଜୁ ମଣ୍ଡଳକୁ ପଚରା ଉଚରାରୁ ୩ଟି ଇଣ୍ଟରନେଟ କନେକ୍ସନ ନିଆଯାଇ ୮ଶହରୁ ଊର୍ଦ୍ଧ୍ୱ ସିମ୍ ଅପରେଟ କରାଯାଉଥିବା ଜଣାଯାଇଛି । ତେବେ ଏହି ସିମ୍ ଦ୍ୱାରା କାହା କାହା ପାଖକୁ କଲ୍ ଯାଇଥିଲା ତାହାର ତଦନ୍ତ କରାଯିବ ବୋଲି କହିଛନ୍ତି କମିଶନର ଶ୍ରୀ ପଣ୍ଡା । ଗିରଫ ରାଜୁ ମଣ୍ଡଳର ରିମାଣ୍ଡ ଅବଧୀ ଆଜି ସରିଥିବା ବେଳେ ଆହୁରି ପଚରା ଉଚରା ପାଇଁ କମିଶନରେଟ ପୁଲିସ ଆଉ ୭ ଦିନିଆ ରିମାଣ୍ଡ ଆବେଦନ କରିଥିବା ଜଣାପଡ଼ିଛି । ଏଥିସହ ପୁଲିସ ଆସାଦୁର ବିରୋଧରେ ପ୍ରମାଣ ଯୋଗାଡ କରିବାରେ ଲାଗିଛି । ଯଥେଷ୍ଟ ପ୍ରମାଣ ସଂଗ୍ରହ ହେଲେ ଆସାଦୁରକୁ ଗିରଫ ନିମନ୍ତେ କମିଶନରେଟ ପୁଲିସ ଇଣ୍ଟରପୋଲର ସହାୟତା ଲୋଡିପାରେ ବୋଲି ଚର୍ଚ୍ଚା ହେଉଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ କମିଶନରେଟ ପୁଲିସ ପ୍ରଥମ ଭୁବନେଶ୍ୱରରୁ ଏକ ଭଡା ଘରୁ ସିମ ବକ୍ସ ଜବତ କରିଥିଲା । ଏହି ଘଟଣାରେ ପୁଲିସ ରାଜୁ ମଣ୍ଡଳଙ୍କୁ ଗିରଫ କରିଥିଲା । ଏହାପରେ ତାଙ୍କୁ ପଚରା ଉଚରା କରିବାରୁ ସେ କଟକରେ ଓ ରାଞ୍ଚିରେ ବି ସିମ୍ ବକ୍ସ ଲଗାଇଥିବା କହିଥିଲେ । ଏହାପରେ ପୁଲିସ ତାଙ୍କୁ ଧରି ଉଭୟ ସ୍ଥାନରୁ ସିମ୍ ବକ୍ସ ଜବତ କରିଛି । ଏହି ଘଟଣାରେ ପୁଲିସ ଅଧିକ ଖୋଳତାଡ ଜାରି ରଖିଛି ।