ତମାଣ୍ଡୋ କପ୍ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍
ଭୁବନେଶ୍ୱର : ତମାଣ୍ଡୋ କ୍ରିକେଟ୍ କ୍ଲବ୍ ପକ୍ଷରୁ ଚାଲିଥିବା ୭ମ ତମାଣ୍ଡୋ କପ୍ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ର ଆଜିର ଖେଳରେ ବିବିବି ୱାରିୟର୍ସ ଭୁବନେଶ୍ୱରକୁ ସାଇ ଏକାଦଶ ଭୁବନେଶ୍ୱର ୧୭୧ ରନ୍ ବ୍ୟବଧାନରେ ପରାସ୍ତ କରିଛି । ସାଇ ଏକାଦଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୨୬୮ ରନ୍ କରିଥିଲା । ଦଳ ପକ୍ଷରୁ ଆଦିତ୍ୟ ରାଉତ ବିସ୍ଫୋରକ ବ୍ୟାଟିଂ କରି ୫୯ ବଲ୍ରେ ୧୫ ଚୌକା ଓ ୧୬ ଛକା ସହ ୧୭୧ ରନ୍ କରିଥିଲେ । ଦଳର ରଣଜୀ ଖେଳାଳି ସନ୍ଦୀପ କେ. ପଟ୍ଟନାୟକ ୪୭ ରନ୍ କରିଥିଲେ । ବିପକ୍ଷ ଦଳର ଆଇଏସ୍ ଗିରି ଗୋଟିଏ ୱିକେଟ୍ ଅକ୍ତିଆର କରିଥିଲେ । ୨୬୯ ରନ୍ର ବିଜୟଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ବିବିବି ୱାରିୟର୍ସ ଦଳ ୧୬.୩ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୯୭ ରନ୍ କରିବାକୁ ସମର୍ଥ ହୋଇଥିଲା । ଦଳ ପକ୍ଷରୁ ଆକ୍ରମ ଖାଁ ସର୍ବାଧିକ ୨୨ ରନ୍ କରିଥିଲେ । ସାଇ ଏକାଦଶ ପକ୍ଷରୁ ପ୍ରୀତମ ଜେ. ଦାଶ ୩ ଓଭରରେ ୧୦ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ । ମ୍ୟାଚ୍ ପରିଚାଳନା କରିଥିଲେ ଦୁର୍ଗାଦତ୍ତ ଦାସ ଏବଂ ଧୀରଜ ସିଂହ । ବିଜୟୀ ଦଳର ଆଦିତ୍ୟ ରାଉତ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ବିବେଚିତ ହୋଇ ଆଜିର ଅତିଥି ତମାଣ୍ଡୋ ମିନି ବ୍ୟାଙ୍କର ସଭାପତି ମହେନ୍ଦ୍ର କୁମାର ବଳଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଆସନ୍ତାକାଲି ଟିସିସି ଭୁବନେଶ୍ୱର ଏବଂ ରୁବି ରକ୍ଷ୍ଟାର ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ ।