ତାଳଚେରକୁ ଅଣଦେଖା : ଆନେ୍ଦାଳନକୁ ଓହ୍ଲାଇବ କଂଗ୍ରେସ
ତାଳଚେର : ଦୀର୍ଘ ୨୫ ବର୍ଷ ଧରି ବିଜେପି ଓ ବିଜେଡି ଦଳ ମିଳିତ ସରକାରଙ୍କୁ ତାଳଚେରବାସୀ ନିଜର ସମର୍ଥନ ଅବ୍ୟାହତ ରଖିବା ସତ୍ତ୍ୱେ ତାଳଚେରବାସୀଙ୍କ ସମୂହ ସ୍ୱାର୍ଥକୁ ମିଳିତ ସରକାର କୁଠାରଘାତ କରି ଆସୁଛନ୍ତି । ତାଳଚେରବାସୀଙ୍କ ଦୀର୍ଘ ଦିନର ସପ୍ନ ତାଳଚେର ସରକାରୀ ମେଡିକାଲ୍ କଲେଜ୍ କଂଗ୍ରେସ୍ ଦ୍ୱାରା ଆରମ୍ଭ ହୋଇଥିବା ବେଳେ ବିଜେପି-ବିଜେଡି ସରକାର ଟାଳଟୁଳ ନୀତି ଅବଲମ୍ବନ କରି ବାରମ୍ବାର ଉଦ୍ଘାଟନ କରିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ ତାଳଚେରବାସୀଙ୍କୁ ସାସ୍ଥ୍ୟସେବା ମିଳିଲା ନାହିଁ କିମ୍ବା ମେଡିକାଲ୍ କଲେଜ୍ର ପାଠ୍ୟକ୍ରମ ଆରମ୍ଭ ହୋଇପାରିଲା ନାହିଁ । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏବଂ ସ୍ଥାନୀୟ ଲୋକ ପ୍ରତିନିଧିଙ୍କର ମିଳିତ ଚକ୍ରାନ୍ତରେ ପବିତ୍ର ମୋହନ ମେଡିକାଲ୍ କଲେଜ୍ଟି ଅନୁଗୋଳକୁ ସ୍ଥାନାନ୍ତରିତ ହେବାକୁ ଯାଉଛି । ଏପରିକି ତାଳଚେରରୁ ଏଡିଏମ୍ ଅଫିସ୍, ଆଡିସିନାଲ୍ ଏସ୍ପି ଅଫିସ୍ ବନ୍ଦ କରି ଦିଆଗଲା । ବର୍ତ୍ତମାନ ଡିଆଇଜି ଅଫିସକୁ ଅନୁଗୋଳକୁ ଉଠାଇ ନେବାର ଚକ୍ରାନ୍ତ ଚାଲିଛି । ଫଳରେ ତାଳଚେର ଆଜି ଶ୍ରୀହୀନ ହୋଇପଡ଼ିଛି । ତାଳଚେରରେ ପ୍ରଦୂଷଣ, ସ୍ୱାସ୍ଥ୍ୟ ସେବା, ରାସ୍ତାଘାଟ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ପାନୀୟ ଜଳ ସମସ୍ୟା, ନାରୀ ନିର୍ଯାତନା, ନିଶା କାରବାର ଆଦି ବଢ଼ି ଚାଲିଛି । ବର୍ତ୍ତମାନର ଶାସକ ଦଳର ନେତା ଓ ମନ୍ତ୍ରୀଙ୍କର ତାଳଚେର ପ୍ରତି ସାମାନ୍ୟତମ ଦରଦ ନାହିଁ ବୋଲି ଭାରତୀୟ ଜାତୀୟ କଂଗ୍ରେସ ତାଳଚେର ନିର୍ବାଚନମଣ୍ଡଳୀ ପକ୍ଷରୁ ହୋଟେଲ ବୃନ୍ଦାବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରାର୍ଥୀ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ କୁମାର ଦାସ ଅଭିଯୋଗ କରିଛନ୍ତି ।
କଂଗ୍ରେସର ଅଭିଯୋଗ ଅନୁସାରେ ତାଳଚେର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ଗତିପଥ ପରିବର୍ତ୍ତନ କରାଗଲା ଏବଂ ତାଳଚେର ଅଂଚଳର କୌଣସି ରାସ୍ତାଘାଟର ଉନ୍ନତି କରାଯାଉ ନାହିଁ । ସହରର ଚତୁର୍ଦ୍ଦିଗରେ ରେଳ ଲାଇନ୍ ଛନ୍ଦି ହୋଇଥିବା ବେଳେ ଗୋଟିଏ ମଧ୍ୟ ଓଭରବ୍ରିଜ୍ କରାଗଲା ନାହିଁ । ତେଣୁ ସାଧାରଣ ଲୋକଙ୍କ ଯାତାୟତରେ ବହୁ ଅସୁବିଧା ହେବା ସହିତ ହଜାର ହଜାର କୋଇଲା ଟ୍ରକ୍ ଚାଲୁଥିବା ବେଳେ ଦୈନନ୍ଦିନ ଅନେକ ଦୁର୍ଘଟଣା ଘଟିବା ସହିତ ଅନେକ ଲୋକ ମୃତୁ୍ୟବରଣ କରୁଛନ୍ତି । ତାଳଚେର ଓ ଆଖପାଖ ଅଞ୍ଚଳରୁ ଭିଟାମାଟି ହରାଉଥିବା ତଥା ବିସ୍ଥାପିତ ଜନସାଧାରଣଙ୍କୁ ଉପଯୁକ୍ତ ଥଇଥାନ କରାଯାଉନାହିଁ । ସ୍ଥାନୀୟ ବେକାରଙ୍କୁ କୌଣସି ନିଯୁକ୍ତି ସୁବିଧା ଦିଆଯାଉ ନଥିବା ବେଳେ ଏଠାରେ ଥିବା ଏମ୍ସିଏଲ୍ ଓ ଅନ୍ୟାନ୍ୟ ଘରୋଇ କଂପାନୀ ଗୁଡିକରେ ବାହାର ଲୋକଙ୍କୁ ନିଯୁକ୍ତି ମିଳୁଛି । ନିର୍ବାଚିତ ବିଧାୟକ ଓ ସାଂସଦ ସେମାନଙ୍କୁ ସୁରକ୍ଷା ଦେଉଥିବାର ନଜିର ରହିଥିବାବେଳେ ଅଂଚଳବାସୀଙ୍କୁ କୌଣସି ଗୁରୁତ୍ୱ ଦିଆଯାଉନାହିଁ । ସେହିପରି ତାଳଚେରରେ ଆଇନ୍ ଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡିଛି । ସାଧାରଣ ଜନତା ଆବଶ୍ୟକ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି । ଅନ୍ୟପକ୍ଷରେ ତାଳଚେରବାସୀଙ୍କ ଏକାନ୍ତ ଆବଶ୍ୟକ ହେଉଥିବା ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍କୁ ତାଳଚେର ଠାରେ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ । ନିଯୁକ୍ତ ହୋଇଥିବା ବିଶେଷଜ୍ଞ, ଡାକ୍ତର ମାନଙ୍କୁ ଏଠାରେ ଜନସାଧାରଣଙ୍କ ସେବା ନିମନ୍ତେ କାର୍ଯ୍ୟ ଭାର ଦିଆଯାଉ ଏବଂ ସହରରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ସରକାର କୌଣସି ପ୍ରତିଶ୍ରୁତି ତୁରନ୍ତ ନ ଦେଲେ ଆଗାମୀ ୧୫ ଦିନରେ ବିରାଟ ଜନଆନେ୍ଦାଳନ ଓ ଧର୍ମଘଟ କଂଗ୍ରେସ୍ ପକ୍ଷରୁ ଅନୁଷ୍ଠିତ ହେବା ନେଇ ସୂଚନା ଦିଆଯାଇଛି । ଏବଂ ଏ ନେଇ ପରବର୍ତ୍ତୀ ସମୟରେ କୌଣସି ଆଇନ୍ ବିଶୃଙ୍ଖଳା ପରିସ୍ଥିତି ଦେଖା ଦେଲେ, ସେଥିପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି । ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ରାଣୀ ଧୀର, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଜିନେସ ସାହୁ, ବରିଷ୍ଠ କଂଗ୍ରେସ ନେତା ଦିଗାମ୍ବର ଗଡ଼ନାୟକ, କେଶବ ଭୂତିଆ, ଦାଶରଥି ସାହୁ, ବିରଞ୍ଚô ଧର, ହରେକୃଷ୍ଣ ମହାପାତ୍ର, ଗଣପତି ସାହୁ, ସୈାମ୍ୟ ସଞ୍ଜୀବ ମିଶ୍ର, ଗିରିଜା ଶଙ୍କର ମିଶ୍ର, ସନ୍ତୋଷ ମହାରଣା,ପୁଷ୍ପକ ସ୍ୱାଇଁ,ଧୀରେନ ସାହୁ, ସଞ୍ଜୟ ସଂଖାରି, ସଂଗ୍ରାମ କେଶରୀ କୁଅଁର, ଡିଲେଶ୍ୱର ବେହେରାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।