ଦୁର୍ନୀତିରେ ଡୁବିଛି ପୌର କାର୍ଯ୍ୟାଳୟ : ଘରୋଇ ବ୍ୟବହାରରେ ଗାଡ଼ି ଲଗାଉଛନ୍ତି ଅଧ୍ୟକ୍ଷା

ବ୍ୟାସନଗର : ପୌରାଧ୍ୟକ୍ଷା ଓ ପାରିଷଦଙ୍କ ମଧ୍ୟରେ ଚାଲିଥିବା ତୁ ତୁ ମେଁ ମେଁ କାହାକୁ ଅଛପା ନାହିଁ । ବିଜେଡି ଛତାତଳେ ଏକାଠି ହୋଇ ବାଜିମାତ କରିଥିଲେ ହେଁ ବ୍ୟାସନଗର ପୌରାଧ୍ୟକ୍ଷା ଏବଂ ପାରିଷଦ ପୌର ବିକାଶ କରିବାକୁ ଅସମର୍ଥ ହୋଇଛନ୍ତି । ପୌର ବିକାଶରେ କିଏ ବାଧକ ସାଜୁଛନ୍ତି, ତାହା ତ ଭିତିରି କଥା କିନ୍ତୁ ପୌରପରିଷଦ ଦୁର୍ନୀତିରେ ବୁଡିଥିବା ଏବଂ ଘରୋଇ ବ୍ୟବହାରରେ ଅଧ୍ୟକ୍ଷା ଗାଡ଼ି ଲଗାଉଥିବାର ସାଂଘାତିକ ଅଭିଯୋଗ ଜିଲ୍ଲାପାଳଙ୍କ ପାଖରେ ହେବା ଘଟଣା ଆଲୋଡ଼ନ ଖେଳାଇ ଦେଇଛି । ଅଭିଯୋଗ ଆଣିଥିବା ପାରିଷଦଙ୍କ ମଧ୍ୟରେ ଉପାଧ୍ୟକ୍ଷ ସୁବାସ ବଳ ରହିଥିବା ବେଳେ କଂଗ୍ରେସ ପାରିଷଦ ଅରୁନ୍ଧତି ପରିଡ଼ା ଆଉ ଜଣେ ପାରିଷଦ ମୋନାଲିସା ସାହୁଙ୍କ ସ୍ୱାମୀ ତଥା ବିଜେଡି ଯୁବନେତା ପ୍ରଭାତ ସାହୁ ଆଣିଛନ୍ତି । ବିଜେଡିରୁ ଦୁଇ ଏବଂ ଜଣେ କଂଗ୍ରେସରୁ ପୌରପରିଷଦ ଏବଂ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବା ସହ ତଦନ୍ତ କରି ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି । ଉପାଧ୍ୟକ୍ଷ ସୁୁବାସ ବଳ ଆଣିଥିବା ଅଭିଯୋଗଟି ହେଲା, ପାରିଷଦଙ୍କ ବିନା ରେଜୁଲେସନରେ ଏବଂ ବିନା ଟେଣ୍ଡରରେ ଠିକାଦାର ଚୟନ କରାଯାଇ କାର୍ଯ୍ୟ ପ୍ରଦାନ କରାଯାଉଛି । ଉପାଧ୍ୟକ୍ଷ କଳିଙ୍ଗ ୱାରିୟର ନାମକ ଏକ ସଂସ୍ଥାକୁ ପରିଷଦ ପାରିଷଦଙ୍କ ଅଗୋଚରରେ କାର୍ଯ୍ୟ ପ୍ରଦାନ କରାଯାଇଛି । ଯାହା ଦ୍ୱାରା କାର୍ଯ୍ୟରେ ଦୁର୍ନୀତିର ଗନ୍ଧ ବାରି ହେଇ ପଡୁଛି । ଉପାଧ୍ୟକ୍ଷ ଏକ୍ଷେତ୍ରରେ ପୌରପରିଷଦର କିଛି କର୍ମଚାରୀଙ୍କ ସଂପୃକ୍ତି ଥିବା ଅଭିଯୋଗ ଆଣି ତଦାଦର କରିବାକୁ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି । କେବଳ ଏହା ନୁହେଁ ଉପାଧ୍ୟକ୍ଷ ଆଉ ଏକ ଅଭିଯୋଗ କରିଛନ୍ତି । ଅଭିଯୋଗଟି ହେଲା ବ୍ୟାସନଗର ପୌର ପରିଷଦକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଏନସିଏପିରେ ଆସିଥିବା ୪କୋଟି ୭୦ଲକ୍ଷ ଟଙ୍କା କେଉଁଠି ଏବଂ କିଭଳି ବିନିଯୋଗ ହୋଇଛି । ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ପାରିଷଦଙ୍କ ଏହାଳଜାଣିବାର ଅଧିକାର ହୋଇଥିଲେ ମଧ୍ୟ କେହି କିଛି ଉତର ରଖୁ ନାହାନ୍ତି । ପ୍ରଦୂଷଣ ମୁକ୍ତ ତ ଦୂରର କଥା ଆସିଥିବା ଅର୍ଥକୁ ନେଇ ପାରିଷଦଙ୍କ ମଧ୍ୟରେ ଦ୍ୱନ୍ଦ ଉପୁଜୁଛି । କଂଗ୍ରେସ ପାରିଷଦ ଅରୁନ୍ଧତି ପରିଡ଼ା ଆଣିଥିବା ଅଭିଯୋଗଟି ହେଲା ପୌର ପରିଷଦ ଦ୍ୱାରା ଅଳିଆ ଉଠା ଟାଟା ଏସିଗାଡ଼ି(ବିଓଭି) ସଠିକ୍ ଭାବେ କାର୍ଯ୍ୟ କରୁନି । ବିଗତ ବର୍ଷେ ହେବ ପାରିଷଦବୃନ୍ଧ ବାରମ୍ବାର ଦୃଷ୍ଟି ଆକର୍ଷଣ ଏବଂ ଅଭିଯୋଗ କଲେ ମଧ୍ୟ ସଂପୃକ୍ତ ଗାଡ଼ି ଗୁଡ଼ିକ ସଠିକ ଭାବେ କାର୍ଯ୍ୟ କରୁନି । ଅଫିସ ଅର୍ଡ଼ର ନଂ-୩୯୩/୨୫ା୧ା୨୪ ନିଦେ୍ର୍ଦଶ ଅନୁସାେରେ ବିଭିନ୍ନ ୱାର୍ଡ଼କୁ ଯାଇ ଅଳିଆ ସଂଗ୍ରହ କରିବା କଥା । କିନ୍ତୁ ତାହା ଦେଖାଯାଉନି । ସାଧାରଣ ଜନତା ଏଥିରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । କାଉନସିଲ ବୈଠକରେ ଏହାକୁ ବନ୍ଦ କରି ନୂଆ ଟେଣ୍ଡର କରିବାକୁ ଦିଆଯାଇଥିବା ପ୍ରସ୍ତାବ ଏଯାବଦ କର୍ଯ୍ୟ କରାଯାଉନଥିବା ବେଳେ ଓଲଟି ଗାଡ଼ି ବାବଦରେ ଅଧିକ ବିଲ କରି ଅର୍ଥ ତୋଷରପାତ କରାଯାଉଛି । ଏହା ଉପରେ ଉଚିତ ପଦକ୍ଷେପ ନେବାକୁ ପାରିଷଦ ଶ୍ରୀମତୀ ପରିଡ଼ା ଜିଲାପାଳଙ୍କ ନିକଟରେ ଅପିଲ କରିଛନ୍ତି । ବିଜେଡି ଯୁବ ନେତା ପ୍ରଭାତ ସାହୁ ସିଧା ସିଧା ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୁଦ୍ଧରେ ଆଣିଛନ୍ତି ଅଭିଯୋଗ । ଅଭିଯୋଗଟି ହେଲା ଅଧ୍ୟକ୍ଷା ପୌର ଗାଡ଼ିର ଅପବ୍ୟବହାର କରୁଛନ୍ତି । ଶ୍ରୀ ସାହୁ ଜିଲ୍ଲାପାଳଙ୍କୁ କରିଥିବା ଅଭିଯୋଗଟି ହେଲା ପୈାରଗାଡ଼ି ଅଧ୍ୟକ୍ଷା କିମ୍ବା ଅଫିସ କାର୍ଯ୍ୟରେ ବ୍ୟବହାର କରିବାର ନିୟମ ରହିଛି, କିନ୍ତୁ ଅଧ୍ୟକ୍ଷାଙ୍କୁ ଦିଆଯାଇଥିବା ସରକାରୀ ଗାଡ଼ିକୁ ବ୍ୟକ୍ତିଗତ ବ୍ୟବହାରରେ ଲଗାଉଛନ୍ତି । ଗାଡ଼ିଟି ପୌର କାର୍ଯ୍ୟାଳୟ ବଦଳରେ ତାଙ୍କ ଘରେ ରଖାଯାଉଛି । ପରିବାର ଲୋକେ ବ୍ୟବହାର କରୁଛନ୍ତି । ଫଳରେ ତେଲ ଖର୍ଚ୍ଚର କୌଣସି ହିସାବ ରହୁନି । ଜଣେ ଉପାଧ୍ୟକ୍ଷ, ଜଣେ ପାରିଷଦ ଏବଂ ଜଣେ ପାରିଷଦଙ୍କ ସ୍ୱାମୀଙ୍କ ଅଭିଯୋଗ ସମ୍ପର୍କରେ ଅଧ୍ୟକ୍ଷାଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲା । ହେଲେ ଅଧ୍ୟକ୍ଷାଙ୍କ ଫୋନ ସୁଇଚଅପ୍ ରହିଥିବାରୁ ତାଙ୍କ ମତ ନିଆଯାଇପାରି ନଥିଲା । ତେବେ ଜିଲ୍ଲାପାଳଙ୍କ ପାଖରେ ହୋଇଥିବା ଅଭିଯୋଗର ତଦନ୍ତ କରାଯାଇ ପଦକ୍ଷେପ ନିଆଯାଉଛି କି ନାହିଁ ତାହା ଦେଖିବାର ଅଛି ।