ଦ୍ୱନ୍ଦ୍ୱରେ ବିଜେଡ଼ି ଓ ବିଜେପି କର୍ମୀ

ବିଜେଡ଼ିର ଟିକେଟ୍ ମନ୍ଥନ : ଦଳରୁ ନା ଦଳ ବାହାରୁ ?
ଜୟ ଢୋଲକିଆଙ୍କୁ ନେଇ ନୂଆପଡ଼ା ବିଜେପିରେ ଅସନ୍ତୋଷ
ବିଜେପି ଆଶାୟୀମାନେ ଗୁମସୁମ୍, ଚାଲିଛି ଗୁପ୍ତ ମନ୍ତ୍ରଣା
ଭୁବନେଶ୍ୱର : ନୂଆପଡ଼ାର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେଡ଼ି ଛାଡ଼ି ବିଜେପିରେ ମିଶିବା ପରେ ଏବେ ବିଜେଡ଼ି ସଂକଟରେ ପଡ଼ିଯାଇଛି । ଆଜି ଦିନ ତମାମ ବିଜେଡ଼ି ନେତାମାନେ ନୂଆପଡ଼ାରେ ଟିକେଟକୁ ନେଇ ମାନସମନ୍ଥନ କରିଛନ୍ତି । ହେଲେ କିଛି ନିଷ୍କର୍ସ ବାହାରି ପାରିନାହିଁ । ଦଳ ଭିତରୁ ନା ଦଳ ବାହାରୁ ନେତାଙ୍କୁ ଟିକେଟ ଦିଆଯିବ ସେନେଇ ଅଙ୍କକଷା ଚାଲିଛି । ସେପଟେ ଜୟ ବିଜେପିରେ ମିଶିଥିଲେବି ସ୍ଥାନୀୟ ବିଜେପି ନେତାମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଆଜି ବିଜେପିର କିଛି କାର୍ଯ୍ୟକର୍ତ୍ତା ରୋଷ ପ୍ରକାଶ କରିବା ସହ ସାମୂହିକ ଇସ୍ତଫା ଦେବାକୁ ବି ଚେତାବନୀ ଦେଇଛନ୍ତି । ସେହିପରି ବସନ୍ତ ପଣ୍ଡାଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇଥିଲେବି ଅଭିନନ୍ଦନ ପଣ୍ଡା, ଯଦୁମଣି ପାଣିଗ୍ରାହୀ ଓ ପ୍ରସନ୍ନ ପାଢ଼ୀଙ୍କ ଭଳି ନେତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ହୋଇପାରିନାହିଁ । ଯାହାକୁ ନେଇ ରାଜ୍ୟ ବିଜେପିରେ ମାନସମନ୍ଥନ ଚାଲିଥିବାବେଳେ ଆଜି କୋର କମିଟି ବୈଠକ ପରେ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ତାଲିକା ଦିଲ୍ଲୀକୁ ପଠାଯାଇଛି ।
ଜୟ ଢୋଲକିଆଙ୍କୁ ବିଜେଡ଼ି ପ୍ରାର୍ଥୀ କରିବ ବୋଲି ସ୍ପଷ୍ଟ ହୋଇ ଯାଇଥିଲା । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ଜୟଙ୍କୁ ଫୋନ୍ କରି ଜଣାଇବା ସହ ବିଜେଡ଼ି ଟିମ୍ ମଧ୍ୟ ଜୟଙ୍କ ସହ ଆଲୋଚନା କରିଥିଲେ । ଏମିତିକି ନୂଆପଡ଼ାରେ ଦଳ ପକ୍ଷରୁ ବଡ଼ ଧରଣର ପଦଯାତ୍ରାର ଆୟୋଜନ କରାଯାଇଥିବାବେଳେ ରାଜେନ୍ଦ୍ରଙ୍କ ପତ୍ନୀ ପଦଯାତ୍ରାର ଆଗଧାଡ଼ିରେ ଥିଲେ । ହେଲେ ଶେଷ ମୁହୂର୍ତ୍ତରେ ଜୟଙ୍କ ପାଇଁ ବିଜେଡ଼ିର ଅଙ୍କ ଗଡ଼ବଡ଼ ହୋଇଯାଇଛି । ଦଳ ଏବେ ବ୍ୟାକଫୁଟକୁ ଚାଲିଯାଇଛି । ଦଳର ମନଲାଖି ପ୍ରାର୍ଥୀ ନଥିବାରୁ ବରିଷ୍ଠ ନେତାମାନେ ନୂଆପଡ଼ାରେ ଡେରା ପକାଇ ଆଲୋଚନା କରିଛନ୍ତି । ନବୀନଙ୍କ ନିର୍ଦ୍ଦେଶରେ ଦେବୀ ପ୍ରସାଦ ମିଶ୍ର ଓ ଅତନୁ ସବ୍ୟସାଚୀ ନାୟକ ନୂଆପଡ଼ା ଯାଇ ସ୍ଥାନୀୟ ବିଜେଡ଼ି ନେତାମାନଙ୍କ ସହ ଆଲୋଚନା କରିଛନ୍ତି । କିଛି ନେତା ଦଳରୁ ଜଣେ ନେତାଙ୍କୁ ପ୍ରାର୍ଥୀ ଦେବାକୁ କହୁଥିବାବେଳେ ଆଉ କିଛି ନେତା ବିଜେପି ନେତାଙ୍କୁ ପୋଚିଂ କରିବା ସପକ୍ଷରେ ମତ ଦେଇଛନ୍ତି । ବିଜେଡ଼ିର ଭୋଟ୍ ଭାଙ୍ଗିଥିବାରୁ ତାହା ଭରଣା କରିବା ପାଇଁ ଯେସାକୁ ତେସା ନୀତି ଆପଣାଇବାକୁ ଯୁକ୍ତି ବଢ଼ାଯାଉଛି । ସମ୍ଭବତଃ ଆସନ୍ତାକାଲି ସବୁଦିଗରୁ ବିଚାର କରି ଭୁବନେଶ୍ୱରରେ ଠୋସ୍ ନିଷ୍ପତ୍ତି ନିଆଯିବ ।
ଯଦି ବିଜେପିରୁ ନେତାଙ୍କୁ ପୋଚିଂ କରି ଦଳ ପ୍ରାର୍ଥୀ କରିବାକୁ ଚିନ୍ତା କରେ, ତେବେ ପ୍ରସନ୍ନ ପାଢ଼ୀ କିମ୍ବା ଯଦୁମଣି ପାଣିଗ୍ରାହୀଙ୍କ କଥା ବିଚାରକୁ ନେଇପାରେ ଅପରପକ୍ଷରେ ଜୟ ଢୋଲକିଆ ବହୁ ଆନନ୍ଦରେ ବିଜେପିରେ ମିଶିଥିଲେବି ନୂଆପଡ଼ା ବିଜେପିରେ କିନ୍ତୁ ଖୁସି ନାହିଁ । କାର୍ଯ୍ୟକର୍ତ୍ତାମାନେ କ୍ଷୁବ୍ଧ ଅଛନ୍ତି । ନେତାମାନଙ୍କ ସହ ଘନଘନ ବୈଠକ ବି ବସୁଛି । ଅଭିନନ୍ଦନ, ଯଦୁମଣି ଓ ପ୍ରସନ୍ନଙ୍କ ଭଳି ନେତାମାନେ ଏବେବି ଜୟଙ୍କୁ ଗ୍ରହଣ କରିପାରିନାହାନ୍ତି । କେହି ନିଜର ସାମାଜିକ ଗଣମାଧ୍ୟମରେ ସ୍ୱାଗତ କରିନାହାନ୍ତି । ବରଂ ସେମାନଙ୍କର ସମର୍ଥକମାନେ ସୋସିଆଲ ମିଡ଼ିଆରେ ରୋଷ ଝାଡୁଛନ୍ତି । ଯାହା ଏବେ ଜୟଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସାଧାରଣତଃ ଦଳରେ ମିଶିବା ପରେ ନେତାମାନେ ନିଜ ନିର୍ବାଚନମଣ୍ଡଳୀରେ ରୋଡ଼ଶୋ’ କରନ୍ତି ଅବା ସ୍ଥାନୀୟ ଅଞ୍ଚଳରେ ସମ୍ବର୍ଦ୍ଧନା ବା ସ୍ୱାଗତ କାର୍ଯ୍ୟକ୍ରମ ହୋଇଥାଏ । ଜୟଙ୍କ ଶିବିର କିନ୍ତୁ ଏବେ ପୂରା ମୌନ ଥିବା ପରିଲକ୍ଷିତ ହେଉଛି । ତାଙ୍କ ନାମ ଘୋଷଣା ପରେ ରାଜ୍ୟ ବିଜେପି ନେତାଙ୍କ ଉପସ୍ଥିତିରେ ସଭାର ଆୟୋଜନ କରିବାକୁ ଯୋଜନା ହେଉଛି । ସେପଟେ ରାଜ୍ୟ ବିଜେପିର କୋର କମିଟି ବୈଠକ ବସିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଠାରୁ ନେଇ ବହୁ ବରିଷ୍ଠ ନେତାମାନେ ବୈଠକରେ ଉପସ୍ଥିତ ଥିଲେ । କୋର ଟିମ୍ ବୈଠକ ପରେ ସମ୍ଭାବ୍ୟ ୩ ନାମ ଦିଲ୍ଲୀକୁ ଯାଇଛି । ଦିଲ୍ଳୀରୁ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ନୂଆପଡ଼ା ବିଜେପିର ମତିଗତି ସ୍ପଷ୍ଟ ହୋଇପାରିବ ।