ଧର୍ମ ଧାରଣୀୟ ନା ପାଳନୀୟ?

ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ଧର୍ମ ଆମର ଧାରଣୀୟ ହେଉଛି ସତ; ମାତ୍ର ବାସ୍ତବ ଜୀବନରେ ତାହା କାହିଁକି ପାଳନୀୟ ହୋଇପାରୁନାହିଁ, ସେ ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା । 
ମନୁଷ୍ୟ ଶିଶୁ ପୃଥିବୀ ପୃଷ୍ଠରେ ଯେଉଁଠି ବି ଜନ୍ମ ହେଉନା କାହିଁକି କୌଣସି ନା କୌଣସି ଧର୍ମରେ ବିଶ୍ୱାସ କରୁଥିବା ଏକ ପରିବାରରେ ଜନ୍ମ ନିଏ । ପରିବାରର ଏହି ଧର୍ମବିଶ୍ୱାସ ଶୈଶବରୁ ଶିଶୁଟିର ମନ ଉପରେ ପଡ଼େ । ବୟସ ବଢ଼ିଲେ ଶିଶୁ ଏହି ଧର୍ମକୁ ଗ୍ରହଣ କରିଯାଏ । ହେଲେ ସବୁ କ୍ଷେତ୍ରରେ ଏହା ହେବ ବୋଲି କୌଣସି ନିଶ୍ଚିତତା ନାହିଁ । ଶିଶୁ ଜନ୍ମ ହୋଇ ଲାଳନପାଳନ ଓ ବୟସ ବୃଦ୍ଧି ପରେ ପିତାମାତାଙ୍କ ଧର୍ମକୁ ପରିତ୍ୟାଗ କରି ଆଉ ଅନ୍ୟ କୌଣସି ଏକ ଧର୍ମକୁ ଗ୍ରହଣ କରିପାରେ ଏବଂ କରୁଛନ୍ତି ମଧ୍ୟ । ଧର୍ମ ଏକ କରଣୀୟ କାର୍ଯ୍ୟ । ଧର୍ମର ପରିସୀମା ଭିତରେ ଜଣେ ବାନ୍ଧି ହୋଇ ରହିବ ବୋଲି ଏକ ବିଶ୍ୱାସ ଥାଏ, କିନ୍ତୁ ଧର୍ମ ନବଦଳାଇ ମଧ୍ୟ ମନୁଷ୍ୟ ଧର୍ମ ଦ୍ୱାରା ନିଦେ୍ର୍ଦଶିତ କାର୍ଯ୍ୟକୁ ପାଳନ କରିପାରେ ନାହିଁ । ଏଥିପାଇଁ ପରିସ୍ଥିତି, ସାମାଜିକ ସମସ୍ୟା, ଆର୍ଥôକ ଅବସ୍ଥା, ଦୃଢ଼ ଇଚ୍ଛାଶକ୍ତିର ଅଭାବ ଆଦି ଅନେକ କାରଣ ରହିଛି । ଧର୍ମ ପାଳନୀୟ-ଏହା ସତ୍ୟ । ଅଥଚ ଯେଉଁଭଳି ଭାବରେ ଧର୍ମକୁ ପାଳନ କରାଯିବା ପାଇଁ ନୀତିଶାସ୍ତ୍ର ଗୁଡ଼ିକରେ ନିଦେ୍ର୍ଦଶ ରହିଛି ସେଭଳି ଭାବରେ ପାଳନ କରିବା ସବୁ ବ୍ୟକ୍ତିଙ୍କ ପକ୍ଷେ ସମ୍ଭବ ନୁହେଁ । 
ଅନେକ ବ୍ୟକ୍ତି ଧର୍ମ ପରିବର୍ତ୍ତନ କରି ସୁଖଶାନ୍ତିରେ ଅଛନ୍ତି ବୋଲି କହନ୍ତି । ତାହା ସେମାନଙ୍କର ବ୍ୟକ୍ତିଗତ ମତ । କାହାରି ବ୍ୟକ୍ତିଗତ ମତ ଉପରେ କେହି ଯୁକ୍ତିତର୍କ କରିପାରିବେ ନାହିଁ । ଜଣେ କଣ ବିଶ୍ୱାସ କରିବ, ଜଣେ କିଭଳି ଭାବରେ ନିଜ ଜୀବନଟା ବଞ୍ଚିବ ତାହା ବ୍ୟକ୍ତି ଉପରେ ନିର୍ଭର କରେ । ଏ କ୍ଷେତ୍ରରେ ବ୍ୟକ୍ତିକୁ ଏକ ବାଧ୍ୟବାଧକତା ଭିତରେ ଛନ୍ଦି ଜୀବନର ଗତିପଥକୁ ବଦଳାଇବା ସମ୍ଭବ ନୁହେଁ । ଜୀବନର ଗତିପଥ ହେଉଛି ବଢ଼ିଲା ନଈ । ଯାହାର ଗତିପଥ କେହି ନିୟନ୍ତ୍ରଣ କରିପାରନ୍ତି ନାହିଁ । କେତେବେଳେ କେଉଁ କୂଳ ଖାଇବ କେହି କହିପାରିବେ ନାହିଁ । ଠିକ୍ ସେହିପରି ଧର୍ମ । ଧର୍ମକୁ ହୁଏତ ଜଣେ ତ୍ୟାଗ କରିନପାରେ; ମାତ୍ର ଧର୍ମର ନିଦେ୍ର୍ଦଶକୁ ପାଳନ କରିବା କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ରହିଥିବାରୁ ତାକୁ ପାଳନ କରିବା ସବୁବେଳେ ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । 
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।