ଅମର ସହିଦ ଜୟୀ ରାଜଗୁରୁ


ପରାଧୀନତାର ଶୃଙ୍ଖଳରୁ ଦେଶମାତୃକାକୁ ରକ୍ଷା କରିବା ପାଇଁ ଇଂରେଜ ଶକ୍ତି ବିରୋଧରେ ବିଦ୍ରୋହ କରି ନିଜ ଦେହର ଟୋପା ଟୋପା ରକ୍ତକୁ ନିଗାଡି ଭୟଙ୍କର ଯନ୍ତ୍ରଣାସିକ୍ତ ମୃତୁ୍ୟକୁ ସାମନା କରି ବିପ୍ଲବର ଅଗ୍ରଦୂତ ସାଜିଥିବା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ଜୟୀ ରାଜଗୁରୁ ହେଉଛନ୍ତି ପ୍ରଥମ  ।
ସେ ଥିଲେ ଏକାଧାରରେ ଜଣେ ନିର୍ଭୀକ, ବୀର, ଦେଶଭକ୍ତ, ସ୍ୱାଧୀନତା ସଂଗ୍ରାମୀ, ମାତୃଭୂମିର ଯଥାର୍ଥ ସେବକ, ଜାତୀୟ ଆନେ୍ଦାଳନର ପଥ ପ୍ରଦର୍ଶକ, ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ, ରାଜାଙ୍କ କୂଳ ପୁରୋହିତ, ପରୋପକାରୀ ଓ ବ୍ରହ୍ମଚାରୀ ତଥା ବହୁମୁଖୀ ପ୍ରତିଭାର ଅଧିକାରୀ  । 
ସଂପ୍ରତି ତାଙ୍କ ସ୍ମୃତିରେ ପାର୍ଲାମେଣ୍ଟ ଭବନରେ ତାଙ୍କର ଏକ ତୈଳ ଚିତ୍ର ସ୍ଥାନିତ ହେବା ଗର୍ବର ବିଷୟ  ।  ତାଙ୍କର ପୁରାନାମ ଥିଲା ଜୟକୃଷ୍ଣ ରାଜଗୁରୁ ମହାପାତ୍ର  । ସେ ୧୭୩୯ ମସିହା କାର୍ତ୍ତିକ ଚବିଶ ଦିନ ଶୁକ୍ଳ ନବମୀ (ଅଁଳା ନବମୀ) ତିଥିରେ ପୁରୀ ସହର ନିକଟ ବୀର ହରେକୃଷ୍ଣପୁର ଶାସନରେ ତା ୨୯.୧୦. ୧୭୩୯ ସୋମବାର ଦିନ ଭୂମିଷ୍ଠ ହୋଇଥିଲେ  । ତାଙ୍କ ପିତାଙ୍କ ନାମ ଚାନ୍ଦ ମହାପାତ୍ର ଏବଂ ମାତାଙ୍କ ନାମ ହୀରାମଣୀ ଦେବୀ  । ସେ ଥିଲେ ଜଣେ ଧର୍ମପ୍ରାଣା ମହିଳା   । ତାଙ୍କ ପିତା ଓ ପିତାମହ ଖୋର୍ଦ୍ଧା ରାଜାଙ୍କର ରାଜଗୁରୁ ଥିଲେ  । ତାଙ୍କର ପିତାମହ ସାମନ୍ତ ଗଦାଧର ରାଜଗୁରୁ ମହାପାତ୍ର ସ୍ମୃତିଶାସ୍ତ୍ର ଗଦାଧର ପଦ୍ଧତି ରଚନା କରି ଯଶସ୍ୱୀ ହୋଇଥିଲେ  । ଗଦାଧରଙ୍କ ବଡଭାଇ ହଳଧର ମହାପାତ୍ର ଭାରତ ବର୍ଷର ଜଣେ ବିଖ୍ୟାତ ପଣ୍ଡିତ ତଥା ତାନ୍ତ୍ରିକ ଥିଲେ  । ତାଙ୍କର ପିତା ଚାନ୍ଦଗୁରୁ ମହାପାତ୍ର ମଧ୍ୟ ଜଣେ ବିଶିଷ୍ଟ ଜ୍ୟୋତିଷ, ଦେବୀ ସାଧକ, ନ୍ୟାୟ ଦର୍ଶନ ଶାସ୍ତ୍ରୀ ଓ ବେଦଜ୍ଞ ବ୍ରାହ୍ମଣ ଥିଲେ  । ସେ ପୁରୀର ଗଜପତି ବୀର କିଶୋର ଦେବଙ୍କର କୂଳ ପୁରୋହିତ ତଥା ଯାଜ୍ଞିକ ବ୍ରାହ୍ମଣ ରୂପେ ପ୍ରସିଦ୍ଧି ଲାଭ କରିଥିଲେ  । ପୂର୍ଣ୍ଣମୀ ତିଥିକୁ ଅମାବାସ୍ୟା ବୋଲି ଭ୍ରମରେ କହିଥିବାରୁ ସେ ସେହି ଦିନ ଅମାବାସ୍ୟା କରାଇ ପୁରସ୍କୃତ ହୋଇଥିଲେ  ।
ଏକୋଇଶିଆ ସମୟରେ ତାଙ୍କୁ ‘ଅମୂଲ୍ୟ’ ବୋଲି ନାମ ଦିଆଯାଇଥିଲା  । ପରେ ପରିବର୍ତ୍ତନ କରି ଜୟକୃଷ୍ଣ ନାମ ରଖାଯାଇଥିଲା  । ଚାରି ଅକ୍ଷର ନାଁରେ ଡାକିବାକୁ ମା’ଙ୍କୁ ଅସୁବିଧା ଲାଗିବାରୁ ସେ ଜୟୀ ବୋଲି ଶ୍ରଦ୍ଧାରେ ଡାକୁଥିଲେ  । ଏହି ନାଁଟି ବହୁଳ ପ୍ରସାର ଯୋଗୁ ସେ ଜୟୀ ରାଜଗୁରୁ ନାମରେ ସାଧାରଣରେ ପରିଚିତ ହୋଇଥିଲେ  । ତାଙ୍କର ବ୍ରତ ଉପନୟନ ସମାପନ ହେଲା ପରେ ସେ ପୁରୀ ଏମାର ମଠ ଓ ଗୋବର୍ଦ୍ଧନ ମଠ ସଂସ୍କୃତି ଟୋଲରେ  ଅଧ୍ୟୟନ କରିଥିଲେ  । ସେ ସଂସ୍କୃତି, ବେଦ, ବେଦାନ୍ତ ଗଣିତ ଆଦି ଶାସ୍ତ୍ର ଅଧ୍ୟୟନ କରି ଜଣେ ବିଶିଷ୍ଟ ପଣ୍ଡିତ ହୋଇପାରିଥିଲେ  ।  ବାଲ୍ୟକାଳରୁ ତାଙ୍କର ଧୀଶକ୍ତି, ପ୍ରତିଭା, ଆଚାର ବ୍ୟବହାର ଅତି ଉନ୍ନତ  ଧରଣର ଥିଲା  । ସେଥିପାଇଁ ସେ ସର୍ବତ୍ର ଆଦୃତ  ହେଉଥିଲେ  ।
ଉନବିଂଶ ଶତାବ୍ଦୀର ପ୍ରଥମ ଦଶନ୍ଧି କାଳରେ ଦ୍ୱିତୀୟ ମୁକୁନ୍ଦ ଦେବ ଥାଆନ୍ତି ଖୋର୍ଦ୍ଧାର ଗଜପତି  । ସେ ଅପ୍ରାପ୍ତ ବୟସରେ ସିଂହାସନ ଆରୋହଣ କରିଥିବାରୁ ମୁରବି ବା ଅଭିଭାବକ ସଦୃଶ ରାଜକାର୍ଯ୍ୟ ପରିଚାଳନା ଭାର ନ୍ୟସ୍ତ ଥିଲା  ଜୟକୃଷ୍ଣ  ରାଜଗୁରୁଙ୍କ ଉପରେ  । ୧୭୭୯ ମସିହାରେ ବଡମ୍ବା ଗଡ଼ଠାରେ ମରାଠାଙ୍କ ସହ ଯୁଦ୍ଧରେ ନରସିଂହ ରାଜଗୁରୁଙ୍କ ମୃତୁ୍ୟ ହେବାରୁ ଜୟୀ ରାଜଗୁରୁଙ୍କୁ ଗଜପତି ମହାରାଜାଙ୍କ ସେନାର ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଥିଲା  । ୧୭୮୦ରେ ଗଜପତି ମହାରାଜା ଦିବ୍ୟସିଂହଦେବ ତାଙ୍କୁ ମୁଖ୍ୟମନ୍ତ୍ରୀ ତଥା ରାଜଗୁରୁ ଭାବେ ନିଯୁକ୍ତି ଦେଇଥିଲେ  । ୧୭୬୫ରେ  ବ୍ରିଟିଶମାନେ ଆନ୍ଧ୍ରପ୍ରଦେଶର ଏକ ଅଂଶ ଅଧିକାର କରି ଗଞ୍ଜାମକୁ ପ୍ରବେଶ କରିବା ସହ ଏକ ଦୁର୍ଗ ନିର୍ମାଣ କରିଥିଲେ  । ପୂର୍ବରୁ ମେଦିନୀପୁର ସେମାନଙ୍କ ଅଧିକାରକୁ ଆସି ସାରିଥିଲା  । ଗଞ୍ଜାମ ମେଦିନୀପୁର ଯାତାୟାତ ପଥ ଅଧିକାର କରିବା ଥିଲା ପରବର୍ତ୍ତୀ ଲକ୍ଷ୍ୟ  । ସେତେବେଳେ ଓଡ଼ିଶାରେ ମରହଟ୍ଟାମାନେ ଶାସନ କରୁଥିଲେ  । ୧୮୦୩ ଖ୍ରୀ: ରେ ଇଂରେଜମାନେ ମରହଟ୍ଟାମାନଙ୍କୁ ପରାଜିତ କରି ସେମାନଙ୍କ  ଠାରୁ ଓଡ଼ିଶା ଅଧିକାର ପୂର୍ବକ ନିଜର ବିଜୟ ଯାତ୍ରା ଅବ୍ୟାହତ ରଖିଥିଲେ  । ଖୋର୍ଦ୍ଧା ସମତେ ଅନ୍ୟାନ୍ୟ ଗଡ଼ଜାତ ରାଜ୍ୟକୁ ଇଂରେଜମାନେ ପ୍ରତ୍ୟକ୍ଷ ଶାସନାଧୀନ ନକରି ନିଜ ନିଜର ରାଜାମାନଙ୍କୁ ଶାସନ କରିବାର କ୍ଷମତା ପ୍ରଦାନ  କରିଥିଲେ  । କିନ୍ତୁ ପ୍ରତ୍ୟେକ ରାଜ୍ୟ ନିର୍ଦ୍ଦିଷ୍ଟ ପରିମାଣରେ ବାର୍ଷିକ କର ଇଂରେଜ ସରକାରଙ୍କୁ ଦେବାର ବ୍ୟବସ୍ଥା ଥିଲା  । ତେଣୁ ସେମାନେ ଇଂରେଜମାନଙ୍କର କରଦ ରାଜ୍ୟ ହୋଇ ରହିଲେ  । ୧୮୦୪ ଖ୍ରୀ :ରେ ଇଂରେଜମାନଙ୍କର ଖୋର୍ଦ୍ଧା ରାଜ୍ୟ ସହିତ ମତାନ୍ତର ହେତୁ ପରସ୍ପର ମଧ୍ୟରେ ଏକ ସଂଗ୍ରାମର ସୂତ୍ରପାତ ହେଲା  । ଖୋର୍ଦ୍ଧା ଏଥିରେ ପରାଜୟ ହେଲା  । ତତ୍ପରେ  ପରେ ଇଂରେଜମାନେ ଏହାକୁ କରଦ ରାଜ୍ୟ ରୂପେ ନରଖି ମୋଗଲବନ୍ଦି ପରି ନିଜର ପ୍ରତ୍ୟକ୍ଷ ଶାସନରେ ରଖିଲେ  । ପୁରୀ ଜିଲ୍ଲାର ଏହା ଏକ ସବଡିଭିଜନ ହୋଇ ରହିଲା  । ଇଂରେଜମାନଙ୍କ ସହିତ ସଂଘଠିତ ସଂଗ୍ରାମର କେନ୍ଦ୍ର ବିନ୍ଦୁ ଥିଲେ ଜୟୀ ରାଜଗୁରୁ  । ଏହା ଏକ ଇତିହାସ ପ୍ରସିଦ୍ଧ ସଂଗ୍ରାମ ଥିଲା  । ରାଜ୍ୟ ପ୍ରାପ୍ତ ବୟସ୍କ ହୋଇନଥିବାରୁ ତାଙ୍କର କୋ÷ଣସି ନିଷ୍ପତ୍ତି ନେବାର ନଥିଲା  ।  ଇଂରେଜମାନେ ଜୟୀ ରାଜଗୁରୁଙ୍କୁ ଏହି ସଂଗ୍ରାମ ପାଇଁ ଦାୟୀ କରିଥିଲେ ହେଁ ସେମାନେ ଥିଲେ ମୁଖ୍ୟତଃ ଦାୟୀ  । ଓଡ଼ିଶାକୁ କରାୟତ୍ତ କରିବା ପୂର୍ବରୁ ଇଂରେଜ ସେନାଧ୍ୟକ୍ଷ କର୍ଣ୍ଣେଲ ହାରକୋଟ ଦେଖିଲେ ଯେ ମରହଟ୍ଟାମାନଙ୍କ ସହିତ ସଂଘର୍ଷ କରିବାକୁ ହେଲେ ଇଂରେଜ ସେନାମାନଙ୍କୁ ପ୍ରଧାନତଃ ଖୋର୍ଦ୍ଧା ରାଜ୍ୟ ଦେଇ ଗତ କରିବାକୁ ପଡିବ  । ସେପରି ସ୍ଥଳେ ଖୋର୍ଦ୍ଧା ରାଜା ଯଦି ମରହଟ୍ଟାମାନଙ୍କ ସହିତ ହାତ ମିଳାଇ ଶତ୍ରୁତା ଆଚରଣ କରନ୍ତି, ତା ହେଲେ ସେମାନଙ୍କର ବିଜୟର ଆଶା କ୍ଷୀଣ ହୋଇ ପଡିବ  । ତେଣୁ ସେ ଖୋର୍ଦ୍ଧା ରାଜାଙ୍କୁ ପ୍ରସ୍ତାବଟିଏ ଦେଲେ ଯେ ଯଦି ସେ ମରହଟ୍ଟାମାନଙ୍କୁ ସାହାଯ୍ୟ ନଦେଇ ଇଂରେଜମାନଙ୍କୁ ସାହାଯ୍ୟ କରନ୍ତି, ତେବେ ଓଡ଼ିଶା ଅଧିକାର ପରେ ଉକ୍ତ ସାହାଯ୍ୟର ପୁରସ୍କାର ସ୍ୱରୂପ ତାଙ୍କୁ ଏକ ଲକ୍ଷ ଟଙ୍କା ଦେବା ସଙ୍ଗେ ସଙ୍ଗେ ସେ ହରାଇଥିବା ଚାରୋଟି ପ୍ରଗଣା ତାଙ୍କୁ ଫେରସ୍ତ କରାଯିବ  । ମୁକୁନ୍ଦଦେବ ଏହାକୁ ଏକ ଭଲ ସୁଯୋଗ ମଣିରାଜି ହୋଇଯାଇଥିଲେ  । ଚୁକ୍ତିର ପ୍ରଥମ କିସ୍ତି ସ୍ୱରୂପ ଇଂରେଜମାନେ ତାଙ୍କ ନିକଟକୁ ଦଶହଜାର ଟଙ୍କା ପଠାଇଥିଲେ  । କିନ୍ତୁ ଜୟୀ ରାଜଗୁରୁ ଇଂରେଜମାନଙ୍କର ଏହି ଚାଲ୍ ବୁଝିପାରି ପ୍ରସ୍ତାବ ଅଭିସନ୍ଧି ମୂଳକ ବୋଲି କହି ଏହାକୁ ସମ୍ମତି ନ ଦେବା ପାଇଁ ରାଜାଙ୍କୁ ପରାମର୍ଶ ଦେଇଥିଲେ  । ମାତ୍ର ପ୍ରଗଣା ଫେରି ପାଇବା ଆଶା ବଳବତ୍ତର ଥିବାରୁ ସେ ଏହାକୁ କର୍ଣ୍ଣପାତ କରିନଥିଲେ  ।
ଇଂରେଜମାନଙ୍କର ଏତାଦୃଶ କାର୍ଯ୍ୟ ଦେଖି ନୀରବଦ୍ରଷ୍ଟା ରହିପାରିବା ବ୍ୟକ୍ତିନଥିଲେ ଜୟୀ ରାଜଗୁରୁ  । ସେ ଥିଲେ ପ୍ରଚଣ୍ଡ ସ୍ୱାଭିମାନୀ  । ତତ୍ପରେ ଜୟୀ ରାଜଗୁରୁଙ୍କ ପରାମର୍ଶ କ୍ରମେ ଗଜପତି ଇଂରେଜ ପ୍ରଶାସନଙ୍କର ଆଦେଶ ଗୁଡିକୁ ଗୋଟିଏ ପରେ ଗୋଟିଏ ପ୍ରତ୍ୟାଖ୍ୟାନ କଲେ  । ଫଳରେ ସେମାନେ ଜୟୀ ରାଜଗୁରୁଙ୍କୁ ପଦବୀରୁ ହଟାଇବା ପାଇଁ ରାଜାଙ୍କ ଉପରେ ପ୍ରବଳ ଚାପ ପ୍ରୟୋଗ କଲେ  । ମାତ୍ର ଫଳ କିଛି ହେଲା ନାହିଁ  । ବରଂ ଜୟୀ ରାଜଗୁରୁ ଅଧିକ ପ୍ରତିହିଂସା ପରାୟଣ ହୋଇ ଉଠିଲେ ଏବଂ ଇଂରେଜମାନଙ୍କ ବିରୋଧରେ ଲଢିବା ପାଇଁ ସବୁ ପ୍ରକାର ଆୟୋଜନ କଲେ  । ଶମ୍ଭୁଭାରତୀ ନାମକ ଜଣେ ସନ୍ନ୍ୟାସୀଙ୍କୁ ସାଥି କରି ସେ ଗାଁ ଗାଁରେ ଲୋକଙ୍କୁ ଇଂରେଜ ବିରୋଧୀ ଜନମତ ସୃଷ୍ଟି କଲେ  । ଫଳରେ ପାଇକ ପୁଅ, ଖଣ୍ଡାୟତ ପୁଅ, ବୀର ଯୋଦ୍ଧାମାନେ ମାତି ଉଠିଲେ  । ପାଇକମାନଙ୍କୁ ନେଇ ମେଳି ତିଆରି ହେଲା, ମେଳି ହୋଇ ବୀର ଯୋଦ୍ଧାମାନେ ଜୟୀଙ୍କ ସୈନ୍ୟମାନଙ୍କୁ ତାଲିମ ଦେଲେ  । ହଠାତ୍ ଦୁଇହଜାର ସୈନ୍ୟ ସାମନ୍ତଙ୍କୁ ନେଇ ସେ ବାରବାଟୀ ଦୁର୍ଗକୁ ଘେରାଉ କରି କର୍ଣ୍ଣେଲଙ୍କୁ ଚୁକ୍ତି ପତ୍ର ଅନୁଯାୟୀ ଟଙ୍କା ଦାବି କଲେ  । କର୍ଣ୍ଣେଲ ଏଭଳି ଅତର୍କିତ ଆକ୍ରମଣରେ ଭୟଭୀତ ହୋଇ ନଗଦ ଚାଳିଶ ହଜାର ଟଙ୍କା ଦେଲେ ମାତ୍ର ଚାରିଗୋଟି ପ୍ରଗଣା ଫେରସ୍ତ ପାଇଁ ରାଜି ହେଲେ ନାହିଁ  । ଜୟୀ ଚାଳିଶ ହଜାର ଟଙ୍କା ନେଇ ପାଇକମାନଙ୍କ ଉନ୍ନତି ନିମନ୍ତେ ଖର୍ଚ୍ଚ କଲେ ଓ ଇଂରେଜ ଶାସକ ବିରୋଧରେ ଯୁଦ୍ଧ ପ୍ରସ୍ତୁତିରେ ଲାଗି ପଡିଲେ  । ଖୋର୍ଦ୍ଧାର ଗ୍ରାମାଞ୍ଚଳରୁ ବଛା ବଛା ବୀର ଯୁବକମାନଙ୍କୁ ଆଣି ବରୁଣେଇ ଗଡରେ ଯୁଦ୍ଧ ତାଲିମ ପ୍ରଦାନ କଲେ  ।
ପାଇକ ସେନାମାନେ ଜଳଧର ବୁ୍ୟହ, ଚକ୍ରବୁ୍ୟହ, ଅର୍ଦ୍ଧଚକ୍ରବୁ୍ୟହ, ସୂଚୀବୁ୍ୟହ ଓ ସେନାଶାୟୀ ବୁ୍ୟହ ରଚନା କରି ଚମକା ଦେଖାଇବାରେ ନିପୁଣ ଥିଲେ  । ଏତଦ୍ ବ୍ୟତୀତ ମା’ ବରୁଣେଇଙ୍କ କୃପାରୁ ତନ୍ତ୍ର ସାଧକ ଓ ମନ୍ତ୍ରସାଧକ ଆଜନ୍ମ ବ୍ରହ୍ମଚାରୀ ନିଜର ସାଧନା ଓ ନିଷ୍ଠା ବଳରେ ଖୋର୍ଦ୍ଧା ଗଡ଼କୁ ଦୈବୀ ଶକ୍ତିରେ ବନ୍ଧନ କରି ରଖିଥିଲେ  । ଖୋର୍ଦ୍ଧା ଗଡ଼କୁ ପ୍ରବେଶ ପାଇଁ ଚାରିଗୋଟି ଗୁପ୍ତ ପ୍ରବେଶ ପଥ ଥିଲା  ।
ରାଜାଙ୍କର ପାଇକ ବାହିନୀ ପ୍ରଥମେ ୧୮୦୪ ମସିହା ଅକ୍ଟୋବର ମାସରେ ପିପିଲିଠାରେ ଇଂରେଜ ଶାସନାଧୀନ କେତୋଟି ଗ୍ରାମ ଆକ୍ରମଣ କରି ବହୁ କ୍ଷୟକ୍ଷତି କରିବା ସାଙ୍ଗକୁ ଇଂରେଜ ସୈନ୍ୟମାନଙ୍କୁ ହତ୍ୟା କଲେ ଓ ବହୁ ପରିମାଣ ଗୁଳିଗୋଳା ବନ୍ଧୁକ ଆଧୁନିକ ଅସ୍ତ୍ରଶସ୍ତ୍ର ଅକ୍ତିଆର କରି ଆଣିଲେ  । ନଭେମ୍ବର ମାସରେ ଗଜପତିଙ୍କର ପ୍ରତିରୋଧ ଏକ ଭୟାଭୟ ରୂପ ନେଲା  । ଏହାର ସାଧନା କରିବା ପାଇଁ କର୍ଣ୍ଣେଲ ହାରକୋର୍ଟ ମାନ୍ଦ୍ରାଜ ସୈନ୍ୟବାହିନୀରୁ ମେଜର ଫ୍ଲେଚରଙ୍କୁ ଡକାଇ ଖୋର୍ଦ୍ଧା ରାଜାଙ୍କ ଦୁର୍ଗ ଅଧିକାର କରିବା ପାଇଁ ଆଦେଶ ଦେଲେ  । ଇଂରେଜ ସେନା ଓ ପାଇକ ସେନା ମଧ୍ୟରେ ତିନିସପ୍ତାହ ଧରି ଘମାଘୋଟ ଲଢେଇ ଲାଗିଥିଲା  । ରାଜାଙ୍କ ସୈନ୍ୟମାନେ ଅଭୂତପୂର୍ବ  ବୀରତ୍ୱ ପ୍ରଦର୍ଶନ କରି ବ୍ରିଟିଶ  ସୈନ୍ୟଙ୍କର କଡ଼ା ମୁକାବିଲା କରିଥିଲେ  । ସେନାଧ୍ୟକ୍ଷ ରାଜଗୁରୁ ସୁଡଙ୍ଗ ମଧ୍ୟରେ  ରହି ବୁ୍ୟହ ରଚନା କରିବା ସାଙ୍ଗକୁ ମା’ ବରୁଣେଇଙ୍କ ପୀଠରେ ମନ୍ତ୍ର, ତନ୍ତ୍ର, ସାଧନାରେ ନିମଜ୍ଜିତ ଥିଲେ  । ଗଜପତିଙ୍କୁ ସୁରକ୍ଷା ନିମନ୍ତେ ଗୁପ୍ତ ସୁଡଙ୍ଗ ବାଟ ଦେଇ ବାହାରକୁ ପଠାଇ ଦେଲେ  । ପରିଶେଷରେ ଡିସେମ୍ବର ଚାରି ତାରିଖରେ ମେଜର ଫ୍ଲେଚର ରାଜାଙ୍କ ଦୁର୍ଗ ଅଧିକାର କରିନେଲେ  । ଗଡକୁ ପ୍ରବେଶ କରିବା ବାଟ, ଜୟୀଙ୍କର ଦୈବୀସାଧନା, ବୁ୍ୟହ ଭାଙ୍ଗିବାର କୋ÷ଶଳ ସାଙ୍ଗକୁ ସାମାନ୍ୟ କେତେ ଟଙ୍କା  ପାଇଁ ଗୁଗୁଲିଆ ଚରଣ, କଳଙ୍କିନୀ କାଞ୍ଚô ବେୱା, ବିଶ୍ୱାସଘାତକ ଫତେ ଅହମ୍ମଦଙ୍କ ଭଳି ଖଳ ଚରିତ୍ରମାନେ ଘରକଥା ପଦାରେ ପକାଇ ଓଡିଆ ଜାତି ପାଇଁ ଯୁଗେ ଯୁଗେ ନିନ୍ଦନୀୟ  । ସେତେବେଳକୁ ଗଜପତି ଓ ଜୟୀ ରାଜଗୁରୁ ଦୁର୍ଗଛାଡି ଜଙ୍ଗଲ ଭିତରେ ଆଶ୍ରୟ ନେଲେ  । ତତ୍ପରଦିନ ଡିସେମ୍ବର ପାଞ୍ଚ ତାରିଖରେ ମୁକୁନ୍ଦଦେବ ଖୋର୍ଦ୍ଧାର ରାଜା ଆଉ ନାହାନ୍ତି ବୋଲି ଘୋଷଣା ନାମ ଜାରି କରି ତାଙ୍କୁ ଓ ରାଜଗୁରୁଙ୍କୁ ଧରିବା ପାଇଁ ପଦକ୍ଷେପ ନେଲେ  । ଫତେମହମ୍ମଦ ନାମକ ବ୍ୟକ୍ତିଙ୍କ ବିଶ୍ୱାସ ଘାତକତା ଫଳରେ ୧୮୦୫ ମସିହା ଜାନୁଆରୀ ମାସ ତିନି ତାରିଖ ଦିନ ତାଙ୍କୁ ଜଙ୍ଗଲ ମଧ୍ୟରୁ ଗିରଫ କରାଯାଇ ବାରବାଟୀ ଦୁର୍ଗରେ ବନ୍ଦୀ କରି ରଖାଗଲା  । ବ୍ରିଟିଶ ଚେତାବନୀକୁ  ଖାତିରି ନକରି ଯେଉଁ ଜମିଦାର ଦଳବେହେରା ଏବଂ ଅନ୍ୟାନ୍ୟ ଅଞ୍ଚଳ ଅଧିକାରୀମାନେ ଖୋର୍ଦ୍ଧା ରାଜାଙ୍କୁ ବିଦ୍ରୋହରେ ସାହାଯ୍ୟ ପ୍ରଦାନ କରିଥିଲେ ସେମାନଙ୍କୁ ଶାସ୍ତି ପ୍ରଦାନ କରାଗଲା  । ଜୟୀ ରାଜଗୁରୁ, ଯେକି ଖୋର୍ଦ୍ଧା ଦୁର୍ଗର ପତନ ପରେ ରାଜାଙ୍କ ସହିତ ଜଙ୍ଗଲରେ ଆଶ୍ରୟ ନେଇଥିଲେ, ବ୍ରିଟିଶ ସୈନ୍ୟମାନଙ୍କ ଦ୍ୱାରା ଧରାପଡି ବନ୍ଦୀ ହେଲେ  ।
ଏମ.ଆଇ.ଜି.ୱାନ ୪୨/୧
ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀ
ଭୁବନେଶ୍ୱର, ମୋ-୯୧୭୮୯୦୮୭୬୩