ଧାରୁଆ ଅସ୍ତ୍ରରେ ଆକ୍ରମଣ, ସହପାଠୀ ଗୁରୁତର
ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ତଥା ବେଲଗାଁ ଥାନା ଗଣ୍ଡଳା ଗଣେଶ ଉଚ୍ଚ ବିଦ୍ୟାପୀଠରେ ବୁଧବାର ଏକ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇଛି । ବିଦ୍ୟାଳୟ ଶ୍ରେଣୀ କକ୍ଷ ନିର୍ଦ୍ଧିଷ୍ଟ ବେଞ୍ଚରେ ବସିବାକୁ କେନ୍ଦ୍ର କରି ୨ ସହପାଠୀଙ୍କ ମଧ୍ୟରେ ବଚସା ହୋଇଛି । ପରବର୍ତ୍ତୀ ସମୟରେ ଜୈନିକ ଛାତ୍ର ଉତ୍ୟକ୍ତ ହୋଇ ସହପାଠୀଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛି । ଆକ୍ରମଣକାରୀ ଛାତ୍ର ଜଣଙ୍କ ସହପାଠୀଙ୍କ ପେଟକୁ ଏକ ଧାରୁଆ ଅସ୍ତ୍ରରେ ଭୁସିବା ସହ ବାମ ଗୋଡ, ହାତକୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଛାତ୍ର ଜଣଙ୍କ ଗୁରୁତର ଆହତ ହୋଇଥିଲେ । ଆହତ ଜଣଙ୍କ ହେଲେ ସଂପୃକ୍ତ ବିଦ୍ୟାଳୟର ୧୦ ମ ଶ୍ରେଣୀ ଛାତ୍ର ସୁମନ ବେହେରା (୧୫) । ଉପସ୍ଥିତ ସହପାଠୀଙ୍କ ସମେତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଗୁରୁତର ଆହତ ଛାତ୍ରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଘଟଣା ନେଇ ବେଲଗାଁ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବେଲଗାଁ ଆଇଆଇସି ସ୍ମିତାଞ୍ଜଳି ପ୍ରଧାନ କହିଛନ୍ତି । ଉଭୟ ଆକ୍ରମଣକାରୀ ଓ ଆହତ ଛାତ୍ର ନାବାଳକ ଯୋଗୁଁ ପୁଲିସ ଅଧିକ ସୂଚନା ଦେଇନାହିଁ । ଅନ୍ୟପକ୍ଷରେ ଘଟଣାକୁ ରଫାଦଫା କରିବାକୁ ଉଦ୍ୟମ କରାଯାଉଥିବା ଜଣାପଡିଛି । ଘଟଣା ନେଇ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ପ୍ରଭାତି ମହାପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ କୁହନ୍ତି ଘଟଣା ନେଇ କୌଣସି ଅଭିଯୋଗ ହୋଇନାହିଁ । ଅଭିଯୋଗ ପରେ ଘଟଣାର ତଦନ୍ତ କରାଯିବ ।