ନକଲି ହେଲମେଟ ଓ ସଡ଼କ ସୁରକ୍ଷା
ଅଭୟ କୁମାର ଦାସ : ଦବେଗଜନକ ଭାବେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବଢ଼ୁଛି । ବ୍ୟାପକ ଧନଜୀବନ ହାନି ସହ ମାଳ ମାଳ ମାମଲା ନ୍ୟାୟାଳୟରେ ରୁଜୁ ହେଉଛି । ତେବେ ସଡ଼କ ସୁରକ୍ଷା ଓ ଜୀବନ ରକ୍ଷା କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ହେଲମେଟ ଏବେ ବ୍ୟାପକ ମାତ୍ରାରେ ନକଲି ଭାବରେ ବଜାରକୁ ଆସୁଛି ତାହା ସଡ଼କ ସୁରକ୍ଷା ଦୁର୍ଘଟଣାକୁ ଆହୁରି ବିଗାଡ଼ି ଦେଉଛି । ନିୟମ ଅନୁଯାୟୀ ବାଇକ ଚାଳକମାନେ ନିଜ ନିଜର ସୁରକ୍ଷା ନିମିତ୍ତ ପିନ୍ଧୁଥିବା ହେଲମେଟରେ ବୁ୍ୟରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ଼ର ଆଇଏସଆଇ ମାର୍କ ରହିବା ଅତ୍ୟନ୍ତ ଜରୁରି । ସେହିପରି ଆଇନଗତ ଭାବେ ଆଇଏସଆଇ ମାର୍କ ନଥିଲେ ସେହି ହେଲମେଟ ଗୁଡ଼ିକ ବଜାରରେ ବିକ୍ରି ହେବା ନିଷିଦ୍ଧ ଓ ଏହାକୁ ବିକି୍ର କରୁଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି କିନ୍ତୁ ଏ ସବୁ ସତ୍ତ୍ୱେ ଏବଂ ବ୍ୟାପକ ସଚେତନତା ଜାରି ହେଲେ ବି ବଜାରରେ ଶସ୍ତାରେ ବିନା ଆଇଏସଆଇ ମାର୍କା ହେଲମେଟ ବ୍ୟାପକ ଭାବେ ବିକ୍ରି ହେଉଛି ଯାହାକି ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ପାଇଁ ଦ୍ୱିଧା ଭିତରକୁ ଠେଲି ଦେଉଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ନକଲି ହେଲମେଟ ବା ବିନା ଆଇଏସଆଇ ହେଲମେଟ ଗୁଡ଼ିକ ନିମ୍ନମାନର ହୋଇଥିବାରୁ ଓ ଏଥିରେ ଆଘାତ ପ୍ରତିରୋଧ ଶକ୍ତି ନଥିବାରୁ ଗାଡ଼ି ଚାଳକ ଦୁର୍ଘଟଣା ସମୟରେ ମୃତୁ୍ୟମୁଖରେ ପଡ଼ୁଛନ୍ତି । ଏହି ଘଟଣାଟି କେବଳ ଗାଡ଼ି ଚାଳକ ବା ବୁଦ୍ଧିଜିବୀ ମାନଙ୍କ ନୁହେଁ ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ଫୋରମ ଫର ପ୍ରିଭେନସନ ଅ‘ ରୋଡ଼ ଆକ୍ସିଡେଣ୍ଟ ମଧ୍ୟ ଗୁରୁତର ଭାବେ ତଥ୍ୟ ରଖିଛି ।
ଏଠାରେ ସୂଚନା ଥାଉକି ୨୦୨୧ ମସିହାରେ ନକଲି ହେଲମେଟ ବିରୁଦ୍ଧରେ ଏହାର ବିକ୍ରି ଓ ବ୍ୟବହାରକୁ ନେଇ ଫୋରମ ଫର ପ୍ରିଭେନସନ ଅଫ ରୋଡ଼ ଆକ୍ସିଡେଣ୍ଟ ପକ୍ଷରୁ କଟକ ଓ ସମ୍ବଲପୁର ପରି ବଡ଼ ସହରରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏ ନେଇ ସଂସ୍ଥା ପକ୍ଷରୁ ପରିବହନ ବିଭାଗର ମୁଖ୍ୟ ସଚିବ, କମିଶନର ଓ ଡିସିପିଙ୍କୁ ସାକ୍ଷାତ କରି ତଥ୍ୟଭିତ୍ତିକ ନିବେଦନ କରାଯାଇଥିଲା ଯେ ପ୍ରତି ଥାନା ଅଞ୍ଚଳରେ ଯେପରି ଏହି ନକଲି ଓ ନିମ୍ନମାନର ବିନା ଆଇଏସଆଇ ଯୁକ୍ତ ହେଲମେଟ ନିଜ ନିଜ ଥାନା ଅଞ୍ଚଳରେ ବିକ୍ରି ନହୁଏ ଏ ପ୍ରସଙ୍ଗକୁ କଠୋର ଭାବେ ଦୃଷ୍ଟି ଦେବା ସହ ଏହି ବିକ୍ରି ବିରୁଦ୍ଧରେ ଦୃଢ଼ ଓ ଶିକ୍ଷଣୀୟ କାର୍ଯ୍ୟାନୁଷ୍ଠାନ ନେବେ । ତେବେ ବର୍ତ୍ତମାନ ବଜାରକୁ ଦେଖିଲେ ଯାହା ଜଣାପଡ଼ୁଛି ଏହି ନିୟମ କେବଳ କାଗଜ କଲମରେ ଓ ସରକାରଙ୍କ ନିଦେ୍ର୍ଦଶ ଭିତରେ ସୀମିତ ରହିଯାଇଛି । ବଜାରରେ ବିକ୍ରି ହେଉଥିବା ହେଲମେଟ ବିଷୟରେ ତଥ୍ୟ ନେଲେ ଯାହା ଜଣାପଡ଼ୁଛି ଅସଲି ହେଲମେଟର ମୂଲ୍ୟ ସର୍ବନିମ୍ନ ଏକ ହଜାର ଟଙ୍କା ପାଖାପାଖି ରହିଛି କିନ୍ତୁ ନକଲି ଗୁଡ଼ିକ ତିନିଶହରୁ ଚାରି ଶହ ଟଙ୍କା ଭିତରେ ମିଳିଯାଉଛି । ହେଲମେଟ ଅସଲି କି ନକଲି ଏହାକୁ ପରୀକ୍ଷଣ କରି ଉନ୍ନତମାନର ସାର୍ଟିଫିକେଟ ଦେବା ଦାୟିତ୍ୱ ହେଉଛି କ୍ୱାଲିଟି କଣ୍ଟ୍ରୋଲ ବୁ୍ୟରୋର । ସେହିପରି ହେଲମେଟ କାରବାରକୁ ରୋକିବା, ତଦନ୍ତ ବା ଚଢ଼ଉ କରିବା ଦାୟିତ୍ୱ ପରିବହନ ବିଭାଗର ଅନ୍ତର୍ଗତ ନୁହେଁ । ଅସଲି ହେଲମେଟରେ ଇମପ୍ୟାକ୍ଟ ପ୍ରୁଫ ବ୍ୟବସ୍ଥା ରହିଥାଏ ଯାହାର ଉପର ଭାଗ ଏକ କଠିନ ସ୍ତରରେ ତିଆରି । ଭିତରେ ଏକ ମୋଟା ସ୍ପଞ୍ଜର ଦୃଢ଼ ଆବରଣ ରହିଥାଏ ।
ବୁ୍ୟରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ଼ର ହେଲମେଟ ଚାଳକ ପିନ୍ଧିବା ବା୍ମତାମୂଳକ ବୋଲି ୧୯୮୮ ମୋଟର ଯାନ ଆଇନର ଧାରା ୧୯୪ରେ କୁହାଯାଇଛି । ୨୦୨୦ ନଭେମ୍ବର ୨୬ରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ କୌଣସି ହେଲମେଟ ବିନା ଆଇଏସଆଇ ମାର୍କରେ ବିକ୍ରି କରାଯାଇପାରିବ ନାହିଁ । କିନ୍ତୁ କେବଳ କଟକ, ଭୁବନେଶ୍ୱର ନୁହେଁ ରାଜ୍ୟର ପ୍ରାୟ ପ୍ରତ୍ୟେକ ଅଞ୍ଚଳରେ ଏବେ ନକଲି ହେଲମେଟ କାରବାର ବ୍ୟାପକ ହେବାରେ ଲାଗିଛି । ଆମ ମାନଙ୍କ ଭିତରେ ଅନେକ ବାସ୍ତବରେ ଏହି ଅସଲି ଓ ନକଲିର ପ୍ରଭେଦ ସମ୍ପର୍କରେ ଜାଣି ପାରିନଥାନ୍ତି । କେତେକଙ୍କ କ୍ଷେତ୍ରରେ ଏ ନେଇ ସଚେତନତା ଥିଲେ ମଧ୍ୟ ଶସ୍ତା ଲୋଭରେ ନକଲିକୁ କିଣିବାକୁ ପସନ୍ଦ କରିଥାନ୍ତି । ଏହି ନକଲି ହେଲମେଟ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିମିତ୍ତ ସ୍ୱତନ୍ତ୍ର ଦାୟିତ୍ୱ ବୁ୍ୟରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ଼ର ଯାହାର କାର୍ଯ୍ୟାଳୟ ରାଜଧାନୀ ଭୁବନେଶ୍ୱରରେ ଥିଲାବେଳେ କେବଳ ସଡ଼କ ସୁରକ୍ଷା ସପ୍ତାହଟିକୁ ଛାଡ଼ିଦେଲେ ବର୍ଷର ଅନ୍ୟ ସମସ୍ତ ଦିନରେ ଏହି ସଂସ୍ଥା ଏକ ପ୍ରକାର ନିଷ୍କ୍ରିୟ କହିଲେ ଅତୁ୍ୟକ୍ତି ହେବନାହିଁ । କେବଳ ଦ୍ୱୈତ ନଗରୀ କଟକ-ଭୁବନେଶ୍ୱରରେ ନୁହେଁ ଛତୁ ଫୁଟିଲା ଭଳି ରାଜ୍ୟର ବିଭିନ୍ନ ଛୋଟବଡ଼ ସହରରେ ଏହି ନକଲି ହେଲମେଟର ବଜାର ବହୁତ ଜୋର । ବଡ଼ କଥା ହେଉଛି ସମସ୍ତଙ୍କ ସାମ୍ନାରେ, ସମସ୍ତଙ୍କ ଜଣାତରେ ଏହି କାରବାର ହେଉଥିଲେ ମଧ୍ୟ ଉଦାସିନତା ହିଁ ସବୁଠାରୁ ଉଦବେଗର ପ୍ରସଙ୍ଗ । ଲୋକମାନଙ୍କ ଭିତରେ ସଚେତନତା ସେତେଟା ହୋଇପାରୁ ନାହିଁ । ଶସ୍ତାରୁ ହିନସ୍ତା ଅର୍ଥ ଶସ୍ତା ହେଲମେଟ କିଣିବା ମାନେ ଦୁର୍ଘଟଣାରେ ଅକାଳ ଜୀବନ ହାନି ନିଶ୍ଚିତ । ଆମ୍ଭେମାନେ ନିତିଦିନିଆ ଜୀବନରେ ନିଜ ନିଜର ବ୍ୟକ୍ତିଗତ ଖର୍ଚ୍ଚ ଓ ଅନ୍ୟାନ୍ୟ ବିଳାସ ଖର୍ଚ୍ଚ ପାଇଁ ହାତ ଖୋଲା ପଇସା ଖର୍ଚ୍ଚ କରୁଥିଲେ ବି ହେଲମେଟ କିଣିବା କ୍ଷେତ୍ରରେ ପ୍ରାୟତଃ ଶସ୍ତାକୁ ଆଦରୁ ଥିବାରୁ ଏହା ହିଁ ସବୁଠାରୁ ବଡ଼ ଦୁର୍ଭାଗ୍ୟର କାରଣ । ପରିବହନ ବିଭାଗ, ସରକାର, ପ୍ରଶାସନ, କ୍ୱାଲିଟି କଣ୍ଟ୍ରୋଲ ବୁ୍ୟରୋ, ବୁ୍ୟରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ଼ ଏ ମାନଙ୍କ ଉପରେ କେବଳ ଦୋଷ ଲଦି ଦେଲେ ଆମର ଦାୟିତ୍ୱ ସରିବ ନାହିଁ । ଯେ ପର୍ଯ୍ୟନ୍ତ ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମୁଣ୍ଡର ସୁରକ୍ଷା ପାଇଁ ନିଜେ ନ ଚେତି ନ ବୁଝିଛେ ଏହାର ଅର୍ଥ ଆମ୍ଭେମାନେ ନିଜ ଅଭାବନୀୟ ଦୁର୍ଘଟଣା, ଯନ୍ତ୍ରଣା ଓ ମୃତୁ୍ୟକୁ ନିମନ୍ତ୍ରଣ କରୁଛୁ । ପ୍ରଶାସନ ତା ଦାୟିତ୍ୱ ନିର୍ବାହ କରୁ ଆସନ୍ତୁ ଆମ୍ଭେମାନେ ସଚେତନ ହୋଇ ଅନ୍ତତଃ ପକ୍ଷେ ନକଲି ହେଲମେଟ କିଣିବା ନାହିଁ ଏବଂ ନକଲି ହେଲମେଟ ବିକ୍ରି ହେଉଥିବା ନେଇ ସ୍ଥାନୀୟ ପରିବହନ ବିଭାଗକୁ ତତକ୍ଷଣାତ ତଥ୍ୟ ଭିତ୍ତିକ ସୂଚନା ଦେବା ।
ମୋ : ୯୪୩୭୧୪୨୭୧୭