ଅଖଣ୍ଣ ଭାରତବର୍ଷର ଧ୍ୱନି
ଗୋପାଳ ମହାପାତ୍ର : ବିଶ୍ୱରେ ଭାରତବର୍ଷ ହେଉଛି ଏକମାତ୍ର ଏମିତି ଦେଶ ଯାହାର ଇତିହାସ ଗୌରବମୟ କିନ୍ତୁ ଏଥି ସହ ଅନେକ ଯନ୍ତ୍ରଣା ବି ରହିଛି । ସାରା ବିଶ୍ୱକୁ ଗଣନା ଏବଂ ଜ୍ଞାନ ବିଜ୍ଞାନ ଅବଗତ କରାଇ ଥିବା ଭାରତବର୍ଷ ନିରନ୍ତର ଆକ୍ରମଣ ଓ ଅନେକ ବାର ବିଭାଜନର ଯନ୍ତ୍ରଣା ସହିଛି । ବିଗତ ଅଢ଼େଇ ହଜାର ବର୍ଷ ମଧ୍ୟରେ ୨୪ ଥର ଭାରତବର୍ଷର ବିଭାଜନ ହୋଇଛି ଏବଂ ୧୮୭୩ ରୁ ୧୯୪୭ ମଧ୍ୟରେ କେବଳ ୭୦ ବର୍ଷ ମଧ୍ୟରେ ୭ଥର ଭାରତର ବିଭାଜନ ହୋଇଛି । ଅନ୍ତିମ ବିଭାଜନ ୧୯୪୭ ମସିହାରେ ହୋଇଥିଲା ଯେଉଁ ବିଭାଜନ ପାଇଁ କୋଟି କୋଟି ଲୋକ ଘରଦ୍ୱାରା ହରାଇଥିଲେ ଏବଂ ଲକ୍ଷ ଲକ୍ଷ ନିର୍ଦୋଷ ନାଗରିକଙ୍କର ପ୍ରାଣ ଯାଇଥିଲା । ଆଜି ସ୍ୱାଧୀନ ଭାରତବର୍ଷର ଯେଉଁ ସ୍ୱରୂପ ଏବଂ ସୀମା ଆମେ ଦେଖୁଛେ ତାର ଭୂଗୋଳ ଅତୀତ ଗୌରବର ୧୦ ପ୍ରତିଶତ ମଧ୍ୟ ନୁହେଁ । ବୈଦିକ ସଂସ୍କୃତିରେ ଆଲୋକିତ ଏହି ଭୂଭାଗର ପ୍ରାଚୀନ ନାମ ଥିଲା ଜମ୍ବୁଦ୍ୱୀପ ଯାହାର ସ୍ମରଣ ଆଜି ମଧ୍ୟ ପୂଜା ପାର୍ବଣ ବେଳେ ସଂକଳ୍ପ ରେ କରାଯାଇଥାଏ । ଯେ କୌଣସି ପୂଜା ପୁର୍ବରୁ ସଂକଳ୍ପ ବେଳେ – ଜମ୍ବୁଦ୍ୱୀପେ ଭାରତ ଖଣ୍ଡେ ଆର୍ଯ୍ୟାବର୍ତ୍ତେ ଭଳି ସଂସ୍କୃତ ଶବ୍ଦର ଉଚ୍ଚାରଣ କରାଯାଇଥାଏ । କିନ୍ତୁ ଏହା କେବଳ ଇତିହାସ ମଧ୍ୟରେ ହିଁ ସୀମିତ ହୋଇ ରହିଯାଇଛି ।
ସମୟ ସହ ତାଳ ମିଳାଇ ଭାରତବର୍ଷ କେବେ ଆର୍ଯ୍ୟାବର୍ତ୍ତ ତ ଆଉ କେତେବେଳେ ଭାରତବର୍ଷ ନାମରେ ଖ୍ୟାତ ଥିଲା । ହିମାଳୟ ଏହାର ମଧ୍ୟ ଭାଗରେ ଥିଲା । ଏହାର ଶୀର୍ଷ ଭାଗର ନାମ ଥିଲା ଗୌରୀଶଙ୍କର । କିନ୍ତୁ ଇଂରେଜ ମାନେ ଏହାର ନାମ ଏଭରେଷ୍ଟରେ ପରିବର୍ତ୍ତନ କରିଦେଇଥିଲେ । ନେପାଳ, ଭୂଟାନ, ଶ୍ରୀଲଙ୍କା, ମାଳଦ୍ୱୀପ, ମଂ୍ୟାମାର, ତିବତ, ପାକିସ୍ଥାନ, ବଙ୍ଗଳାଦେଶ ସମେତ କମ୍ବୋଡିଆ, ଇରାକ, ଇରାନ ଏବଂ ଇଣ୍ଡୋନେସିଆ ମଧ୍ୟ ଏକଦା ଭାରତବର୍ଷର ଅଂଶଥିଲା । ସେତେବେଳେ କମ୍ବୋଡିଆର ନାମ କମ୍ବୋଜଥିଲା ଏବଂ ଇଣ୍ଡୋନେସିଆର ନାମ ଦୀପାନ୍ତର ଥିଲା । ବିଶ୍ୱର ପ୍ରାୟ ସବୁ ଦେଶରେ ପ୍ରାଚୀନ ଭାରତୀୟ ସଂସ୍କୃତି ଏବଂ ପରମ୍ପରାର ପ୍ରମାଣ ମିଳିଥାଏ । ଏହାର ଦୁଇଟି କାରଣ ରହିଛି । ପ୍ରଥମ କାରଣ ହେଉଛି ସେଇ ଭୂଭାଗ (ଦେଶ) ଯାହା ଭାରତବର୍ଷର ଅଂଶ ଥିଲା ଓ ଦ୍ୱିତୀୟ କାରଣ ପର୍ଯ୍ୟଟନ କରଣରୁ ଭାରତବର୍ଷର ସଂସ୍କୃତି ସେ ଦେଶରେ ପହଞ୍ଚôଥିଲା । ଭାରତବର୍ଷର ବିଶାଳତାକୁ ବୁଝିବାକୁ ହେଲେ ଜମ୍ବୁଦ୍ୱୀପ, ଭାରତଖଣ୍ଡ ଓ ଆର୍ଯ୍ୟାବର୍ତ୍ତ ଶବ୍ଦକୁ ବୁଝିବାକୁ ହେବ । ଯଦି ଆମେ ବୈଦିକ କାଳର ଜମ୍ପୁଦ୍ୱୀପକୁ ଦେଖିବା ତେବେ ଏହାର ଚତୁର୍ଦିଗରେ ସମୁଦ୍ର ଥିଲା ବୋଲି ଆମେ ଜାଣିପାରିବା । ଏହାକୁ ଆମେ ଆଜିର ଏସିଆ ମହାଦ୍ୱୀପ (ମହାଦେଶ) ବୋଲି ମଧ୍ୟ କହିପାରିବା । ଏହା ଭିତରେ ରହିଥିଲା ଭାରତବର୍ଷ । ବୈଦିକ କାଳରେ ଭାରତବର୍ଷ ୪ଟି ସାମ୍ରାଜ୍ୟରେ ବିଭାଜିତ ଥିଲା । ପ୍ରଥମ ସାମ୍ରାଜ୍ୟ ହେଉଛି ଆନର୍ତ୍ତ ସାମ୍ରାଜ୍ୟ ଯାହା ନର୍ମଦା ନଦୀ ଠାରୁ ସମୁଦ୍ର ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଶ୍ରୀଲଙ୍କା ଆଜି ଦେଶ ଏହି ସାମ୍ରାଜ୍ୟର ଅଂଶ ଥିଲେ । ଦ୍ୱିତୀୟ ସାମ୍ରାଜ୍ୟ ହେଉଛି ବ୍ରହ୍ମବର୍ତ୍ତ ଯାହା ନର୍ମଦାର ଅପର ପାଶ୍ୱର୍ଠାରୁ ଗଙ୍ଗାନଦୀ ପର୍ଯ୍ୟନ୍ତ ଥିବା ଭୂଭାଗ । ତୃତୀୟ ସାମ୍ରାଜ୍ୟ ଥିଲା ଆର୍ଯ୍ୟବର୍ତ୍ତ ଯାହା ଗଙ୍ଗାନଦୀଠାରୁ ହିମାଳୟ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା । ଚତୁର୍ଥ ସାମ୍ରାଜ୍ୟ ଥିଲା ପର୍ସବର୍ତ୍ତ । ପର୍ସବର୍ତ୍ତ ସାମ୍ରାଜ୍ୟକୁ ପରବର୍ତ୍ତୀ କାଳରେ ପାରସ ସାମ୍ରାଜ୍ୟ ବୋଲି କୁହାଗଲା । ସିକନ୍ଦରଙ୍କ ଭାରତବର୍ଷ ଉପରେ ଆକ୍ରମଣ ସମୟରେ ତାର ନାମ ପାରସ ସାମ୍ରାଜ୍ୟ ଥିଲା ଏବଂ ସେଠାରେ ଆର୍ଯ୍ୟ ବୈଦିକ ସଂସ୍କୃତି ଜୀବନ୍ତ ଥିଲା । ଏବେ ଏହି ଅଞ୍ଚଳ (ଭୂଭାଗ)କୁ ଇରାକ ବୋଲି କୁହାଯାଉଛି । ନିଃସନେ୍ଦହ ଯେ ଆର୍ଯ୍ୟାବର୍ତ୍ତ ଜ୍ଞାନ ବିଜ୍ଞାନ ଏବଂ ଅନୁସନ୍ଧାନର କେନ୍ଦ୍ର ଥିଲା କିନ୍ତୁ ସମୁଦାୟ ଭାରତବର୍ଷ ଆର୍ଯ୍ୟବର୍ତ୍ତ ନଥିଲା । ବିଭିନ୍ନ ଜୀବନ ଶୈଳୀ ସବୁ ଭିନ୍ନ ଭିନ୍ନ ଢଙ୍ଗରେ ବିକଶିତ ହେଉଥିଲା । ସବୁପରେ ଗୋଟିଏ କଥା ସ୍ପଷ୍ଟ ଯେ ଆର୍ଯ୍ୟ କୌଣସି ଜାତି/ପ୍ରଜାତି ନୁହେଁ ବରଂ ଏକ ଜୀବନ ଶୈଳୀ ଥିଲା ଓ ଏଇଥିପାଇଁ ଋଗ୍ବେଦରେ ବିଶ୍ୱକୁ ଆର୍ଯ୍ୟରେ ପରିଣତ କରିବାର ସଂକଳ୍ପ କଥା କୁହାଯାଇଛି । ଋଗ୍ବେଦ (୧୦/୭୫)ରେ ଆର୍ଯ୍ୟ ମାନେ ବସବାସ କରୁଥିବା ଅଞ୍ଚଳରେ ପ୍ରବାହିତ ଯେଉଁ ନଦୀ ମାନଙ୍କର ବର୍ଣ୍ଣନା କରାଯାଇଛି ସେସବୁ ହେଲା କୁଭା (କାବୁଲନଦୀ), କୃଗୁ(କୁରେମ), ଗୋମତୀ,ସିନ୍ଧୁ, ପରୁଷ୍ମି (ରାବି), ଶୁତୁଦ୍ରି (ସତଲଜ), ବିତସ୍ତା (ଝେଲମ), ସରସ୍ୱତୀ, ଯମୁନା ଏବଂ ଗଙ୍ଗା । ଏହି ଅଞ୍ଚଳ ଗଙ୍ଗାନଦୀର ତଟବର୍ତ୍ତୀ ଅଞ୍ଚଳଠାରୁ ହିମାଳୟ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ତ୍ରୟୋଦଶ ଶତାବ୍ଦୀ ପର୍ଯ୍ୟନ୍ତ ଇଣ୍ଡୋନେସିଆରେ ବୈଦିକ ଆର୍ଯ୍ୟଧର୍ମ ଏବଂ ବୌଦ୍ଧ ଧର୍ମ ଥିଲା । ଇଣ୍ଡୋନେସିଆରେ ଯେଉଁ ପୁରୁଣା ରାଜବଂଶ ମାନଙ୍କର ରାଜୁତି ଥିଲା ସେମାନଙ୍କର ମଧ୍ୟରେ ଶ୍ରୀବିଜୟ, ଶୈଳେନ୍ଦ୍ର, ମାତାରାମ ନାମରେ ରାଜବଂଶ ଥିଲେ । ସୁମାତ୍ରାରେ ନବମ ଶତାବ୍ଦୀ ପର୍ଯ୍ୟନ୍ତ ବୈଦିକ ଆର୍ଯ୍ୟ ପରମ୍ପରା ଥିଲା । ଏହି ସ୍ଥିତି ଭିଏତନାମ ଏବଂ କାମ୍ବୋଡିଆରେ ମଧ୍ୟ ଥିଲା । ସନାତନି ପରମ୍ପରାର ନାମ ଅନୁସାରେ ଏସବୁ ଦେଶର ରାଜବଂଶର ନାମ ରହିଥିଲା । କିନ୍ତୁ ବିଗତ ଅଢେଇ ହଜାର ବର୍ଷ ମଧ୍ୟରେ ଏମାନେ ସବୁ ଭାରତବର୍ଷରୁ ଦୂରେଇ ଯାଇଥିଲେ ବା ବିଭାଜିତ ହୋଇଯାଇଥିଲେ ।
ଆମେ ଅଧିକ ପୁରୁଣା କଥାକୁ ନଯାଇ ଯଦି କେବଳ ୧୮୭୬ ମସିହାର ପରବର୍ତ୍ତୀ କଥାକୁ ଦେଖିବା ତେବେ ୧୮୭୬ରୁ ୧୯୪୭ ମଧ୍ୟରେ ୭୧ ବର୍ଷ ମଧ୍ୟରେ ଭାରତବର୍ଷ ସମୁଦାୟ ୭ଥର ବିଭାଜିତ ହୋଇଛି ଏବଂ ଭାରତବର୍ଷର ଦୁଇ ତୃତୀୟାଂଶ ଭୂଭାଗ ବିଭାଜିତ ହୋଇଯାଇଛି । ଆଫଗାନିସ୍ଥାନ, ଶ୍ରୀଲଙ୍କା, ମ୍ୟାନମାର ଆଦି ଏହି ୭୧ ବର୍ଷର ଅବଧି ମଧ୍ୟରେ ଭାରତବର୍ଷରୁ ଅଲଗା ହୋଇଛନ୍ତି । ୧୮୫୭ କ୍ରାନ୍ତିରେ ଏହାର ଭୂମିକା ସୃଷ୍ଟି ହୋଇଥିଲା । ଇଂରେଜମାନେ ବିଭାଜନ କର ଏବଂ ଶାସନ କର ସିଦ୍ଧାନ୍ତକୁ ଗୁରୁତ୍ୱ ଦେଉଥିଲେ । ଏହି କାରଣରୁ ଇଂରେଜମାନେ ଭାରତବର୍ଷର ବିଶାଳ ଭୂଖଣ୍ଡକୁ ବିଭାଜିତ କରିବା ଆରମ୍ଭ କରି ଦେଇଥିଲେ ଓ ବଫର ଷ୍ଟେଟ ଗଠନ ଆରମ୍ଭ କରିଦେଲେ । ୧୮୭୬ରେ ଆଫଗାନିସ୍ଥାନକୁ ଭାରତରୁ ଅଲଗା କରିଦେଲେ, ୧୯୦୬ରେ ଭୁଟାନକୁ , ୧୯୩୫ରେ ଶ୍ରୀଲଙ୍କାକୁ, ୧୯୩୭ରେ ବର୍ମା ବା ଆଜିର ମ୍ୟାନମାର ଏବଂ ୧୯୪୭ରେ ପାକିସ୍ଥାନ ଋପରେ ଭାରତକୁ ପୁଣି ବିଭାଜିତ କରିଥିଲେ ଇଂରେଜମାନେ । ୧୯୭୧ରେ ପାକିସ୍ଥାନ ବିଖଣ୍ଡିତ ହୋଇ ବଙ୍ଗଳାଦେଶ ସୃଷ୍ଟି ହେଲା ।
୧୮୫୭ର କ୍ରାନ୍ତି ଯଦିଓ ଅସଫଳ ହୋଇଥିଲା କିନ୍ତୁ ଏହା ପରେ ଇଂରେଜମାନେ ତାଙ୍କ ଶାସନକୁ ଅଧିକ ସଶକ୍ତ କରିବା ଏବଂ ସ୍ଥାୟୀ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ପୁଲିସ ବ୍ୟବସ୍ଥା କରି କେବଳ ଯେ ଜାତି ଧର୍ମ ଏବଂ ଭାଷା ନାମରେ ବିଭାଜନ ଆରମ୍ଭ କରିଥିଲେ ତା ନୁହେଁ ଅପିତୁ ଦେଶାତ୍ମକ ସ୍ଥିତିକୁ ମଧ୍ୟ ବିଭାଜିତ କରିବା ଆରମ୍ଭ କରିଦେଇଥିଲେ । ଇଂରେଜଙ୍କ ଉଦେଶ୍ୟଥିଲା ଯଦି କୌଣସି ଏକ କ୍ଷେତ୍ର(ଅଞ୍ଚଳ)ରେ ସେମାନଙ୍କ ଶାସନ ବ୍ୟବସ୍ଥା ଦୁର୍ବଳ ହୋଇଯାଏ ତେବେ ଅନ୍ୟ କ୍ଷେତ୍ରକୁ ସେନା ନିୟନ୍ତ୍ରଣ କରି ପାରିବ । ଏହି ଉଦେଶ୍ୟ ନେଇ ସେମାନେ ବିଭାଜନ ଆରମ୍ଭ କରି ଦେଇଥିଲେ । ୧୮୭୬ରେ ଭାରତବର୍ଷର ସମୁଦାୟ କ୍ଷେତଫଳ ୮୩ଲକ୍ଷ ବର୍ଗ କିଲୋମିଟର ଥିଲା ଓ କ୍ରମେ କ୍ରମେ ହ୍ରାସ ପାଇ ଏହା ୩୩ଲକ୍ଷ କିଲୋମିଟରରେ ରହିଗଲା । ଯଦି କେବଳ ୧୮୭୪ ରୁ ୧୯୪୭ର କଥା ଦେଖିବା ତେବେ ସେହି ସମୟ ଭିତରେ ଭାରତବର୍ଷର ୫ଲକ୍ଷ ବର୍ଗକିଲୋମିଟର ଭୂଭାଗ ଅଲଗା ହୋଇଯାଇଥିଲା ।
ଭାରତବର୍ଷର ଅନ୍ତିମ ବିଭାଜନ ୧୯୪୭ ମସିହା ଅଗଷ୍ଟ ୧୪ ତାରିଖରେ ହୋଇଥିଲା । ଭାରତବର୍ଷର ଲୋକେ ଏବେବି ଭାବୁଛନ୍ତି ଯେ ପୂଜା ପଦ୍ଧତି ବଦଳିଲେ ପୂର୍ବଜ ବଦଳନ୍ତି ନାହିଁ କିମ୍ବା ରାଜନୈତିକ ପରିସ୍ଥିତି ବଦଳିଲେ ରାଷ୍ଟ୍ରଭାବ ମଧ୍ୟ ବଦଳିବା ଉଚିତ୍ ନୁହେଁ । ଏଇଥିପାଇଁ ଭାରତବର୍ଷର ଲୋକେ ଆଜି ବି ପାକିସ୍ଥାନ, ବଙ୍ଗଳାଦେଶ, ନେପାଳ, ମ୍ୟାମାର, ଶ୍ରୀଲଙ୍କା ଓ ତିବତ୍ ଆଦି ପ୍ରତି ଆତ୍ମୀୟତାର ଭାବ ରଖିଛନ୍ତି । ଭାରତବର୍ଷରେ ଏମିତି ଅନେକ ସାମାଜିକ ସଂଗଠନ ଓ କୋଟି କୋଟି ଲୋକ ଅଛନ୍ତି ଯେଉଁମାନେ ଏବେବି ଆଶା ରଖିଛନ୍ତି ଯେ କେବେ ନା କେବେ ଭାରତବର୍ଷ ଅଖଣ୍ଡ ଭାରତବର୍ଷରେ ପରିଣତ ହେବ । ଏଥିପାଇଁ ଅନେ ସମୟରେ ଗଣମାଧ୍ୟମ ମାନଙ୍କରେ ଅଖଣ୍ଡ ଭାରତବର୍ଷର ଧ୍ୱନି ଶୁଣିବାକୁ ମିଳେ ।
ରାମଚନ୍ଦ୍ରପୁର, ରଣପୁର
ମୋ:୯୪୩୮୪୮୫୦୯୪