ନାବାଳିକା କୁକର୍ମ ମାମଲାରେ ଭଣଜା-ମାମୁଁଙ୍କୁ କାରାଦଣ୍ଡ

 ଯାଜପୁର ଟାଉନ : ଜନୈକା ୧୫ ବର୍ଷୀୟା ନାବାଳିକାକୁ ଅପହରଣ ପରେ କୁକର୍ମ କରିବା ଅଭିଯୋଗରେ ଗୁରୁବାର ଭଣଜାକୁ ୨୦ବର୍ଷ ଓ ମାମୁଁକୁ ୨ ବର୍ଷ ସଶ୍ରମ କାରାଦଣ୍ଡ ରାୟ ପ୍ରକାଶ ହୋଇଛି । ବିବରଣୀରୁ ପ୍ରକାଶ, ଧର୍ମଶାଳା ଥାନା ମଝିପାଟଣା ଗ୍ରାମର ରଞ୍ଜନ ତରାଇ(୨୫) କୋରେଇ ଥାନା ଅଂଚଳର ଜନୈକା ୧୫ ବର୍ଷ ନାବାଳିକାକୁ ଅପହରଣ କରି ଜେନାପୁର ଥାନା ଏଣ୍ଡଲବା ଗ୍ରାମ ନିଜ ମାମୁଁ ଘର ରବୀନ୍ଦ୍ର ତରାଇ(୬୦) ଘରେ ରଖିଥିଲା । ମାମୁଁଙ୍କ ପରାମର୍ଶ ଓ ସହଯୋଗରେ ଢ଼େଙ୍କାନାଳ ଜିଲା ମେରାମୁୁଣ୍ଡୁଳି ଠାରେ ଏକ ଭଡ଼ା ଘରେ ଦୀର୍ଘ ୪ମାସ ଧରି ନାବାଳିକାକୁ ରଖିବା ସହ ତା ସହିତ ଜୋର ଜବରଦସ୍ତ କୁକର୍ମ କରିବା ସହ ଶାରୀରିକ ଓ ମାନସିିକ ନିର୍ଯ୍ୟାତନା ଦେଇଆସୁଥିଲେ । ସୂଚନା ଯୋଗ୍ୟ ଯେ, ନାବାଳିକା ଧର୍ମଶାଳା ଅଂଚଳରେ ଥିବା ମାମୁଁଘରେ ରହି ପାଠ ପଢୁଥିଲେ । ଏହି ସମୟରେ ଅଭିଯୁକ୍ତ ରଞ୍ଜନ ତରାଇ ନାବାଳିକାର ବାରମ୍ବାର ପିଛା କରୁଥିଲା । ପରେ ମାଟି୍ରକ ପରୀକ୍ଷା ଦେଇ ନାବାଳିକା ନିଜ ଘର କୋରେଇ ଅଂଚଳକୁ ପଳାଇ ଆସି ନିଜ ଘରେ ରହୁଥିଲା । ୨୦୨୪ ମସିହା ଜୁନ ମାସ ୮ ତାରିଖ ବିଳମ୍ବିତ ରାତିରେ ନାବାଳିକାକୁ ରଞ୍ଜନ ଜୋର ଜବରଦସ୍ତ ଅପରହଣ କରିନେଇଥିଲା । ଏ ନେଇ ୯ ତାରିଖରେ ନାବାଳିକାର ପିତା କୋରେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗକୁ ଭିତି କରି କୋରେଇ ଥାନାରେ କେଶ ନଂ.୨୬୨/୨୪ ଏକ ଅପହରଣ ଓ କୁକର୍ମ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ।  ଅଭିଯୁକ୍ତ ରଞ୍ଜନ ନାବାଳିକାକୁ ମାମୁଁଘର ପରେ ଢ଼େଙ୍କାନାଳ ମେରାମୁଣ୍ଡୁଳିରେ ରଖି ଦୁଷ୍କର୍ମ ଓ ଶାରୀରିକ ମାନସିକ ନିର୍ଯ୍ୟାତନା ଦେଉଥିଲା ।

ରଞ୍ଜନର ଅନୁପସ୍ଥିତିରେ କୌଶଳକ୍ରମେ ନାବାଳିିକା ନିଜ ବାପାକୁ ଫୋନ ଯୋଗେ ସୂଚନା ଦେଇଥିଲା । ନାବାଳିକାର ବାପା ପୁଲିସ ସହଯୋଗରେ ଘଟଣା ସ୍ଥଳରେ ପହଂଚି ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା । ଗୁରୁବାର ଦିନ ଏହି ମାମଲାକୁ ବିଚାର କରି ଅତିରିକ୍ତ ଜିଲା ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ ଜଜ୍ ଶରତ କୁମାର ଦେହୁରୀ ୮ଜଣ ସାକ୍ଷୀଙ୍କ ବୟାନ ଓ ପୁଲିସର ଦସ୍ତାବିଜ୍କୁ ଆଧାର କରି ଅଭିଯୁକ୍ତ ଭଣଜା ରଞ୍ଜନ ତରାଇକୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୨୦ ହଜାର ଜରିମାନା, ଅନାଦେୟ ଅଧିକ ୨ବର୍ଷ କାରାଦଣ୍ଡ ଭୋଗିବ ବୋଲି ରାୟ ଶୁଣାଇଥିଲେ । ଅନ୍ୟତମ ଅଭିଯୁକ୍ତ ମାମୁଁ ରବୀନ୍ଦ୍ର ତରାଇକୁ ଅପହରଣରେ ସହଯୋଗ କରିଥିବାରୁ ୨ ବର୍ଷ କାରାଦଣ୍ଡ, ୨ହଜାର ଜରିମାନା ଅର୍ଥ ଅନାଦେୟରେ ଅଧିକ ୬ବର୍ଷ କାରାଦଣ୍ଡ ଭୋଗିବ ବୋଲି ରାୟ ଶୁଣାଇଛନ୍ତି । ଆଇନ ସେବା ପ୍ରାଧିକରଣ ପକ୍ଷରୁ ପୀଡ଼ିତାକୁ ୭ଲକ୍ଷ ଟଙ୍କା ସହାୟତା ପ୍ରଦାନ ନେଇ ରାୟରେ ଉଲ୍ଲେଖ କରାଯାଇଛି । ମାମଲାକୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକୁ୍ୟଟର ପାର୍ଥ ରାୟ ପରିଚାଳନା କରିଥିଲେ ।