ନାହିଁ ନାହିଁରେ ଚାଲିଛି ସଦର ଥାନା : ବିଗୁଡୁଛି ଆଇନ୍ ଶୃଙ୍ଖଳା ପରିସ୍ଥିତି
ଯାଜପୁର ଜିଲାରେ ସଦର ଥାନାର ଏକ ସ୍ୱତନ୍ତ୍ର ପରିଚୟ ରହିଥିବା ବେଳେ ଏଠାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଦିନକୁଦିନ ବିଗିଡ଼ିବାରେ ଲାଗିଛି । ଗତ ୨୦୦୯ ମସିହାରେ ବରୁଆଁ ଫାଣ୍ଡିଟି ଥାନାର ମାନ୍ୟତା ପାଇଥିଲା । ଇତି ମଧ୍ୟରେ ଏହି ଥାନାକୁ ୧୫ବର୍ଷ ହୋଇଥିବା ବେଳେ୧୫ଜଣ ଥାନା ଅଧିକାରୀଙ୍କ ବଦଳି ହୋଇଛି । ଏହି ଥାନାରେ ୩ଜଣ ଏଏସଆଇ ଓ ଜଣେ ଏସଆଇଙ୍କୁ ନେଇ ଥାନା ଚାଲିଛି । ଭୌଗଳିକ ଦୃଷ୍ଟି କୋଣରୁ ଏହା ୧୮ଗୋଟି ପଂଚାୟତର ସୁରକ୍ଷା କାନ୍ଥ ହୋଇଥିଲେ ମଧ୍ୟ କର୍ମଚାରୀ ଅଭାବରୁ ଅନେକ ସମୟରେ ବିଭିନ୍ନ ସ୍ଥାନରେ ଅଭାବନୀୟ ଘଟଣାମାନ ଘଟୁଛି । ପୁଲିସ ପାଟ୍ରୋଲିଂ ହେଉନଥିବାରୁ ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଥାନାରେ ପାନୀୟ ଜଳର ଅଭାବ ସାଙ୍ଗକୁ ଜେନେରେଟର କିମ୍ବା ଏନଭରଟର ଅଚଳାବସ୍ଥା ଯୋଗୁ ବିଦୁ୍ୟତ୍ କାଟ୍ ସମୟରେ ଥାନା ସମ୍ପୂର୍ଣ୍ଣ ଅନ୍ଧାର ସହିତ ଏଠାରେ ମଧ୍ୟ ଆହୁରି ବିଭିନ୍ନ ଆଭ୍ୟନ୍ତରୀଣ ସମସ୍ୟା ଦେଖାଯାଇଛି ।୨୦ନମ୍ୱର୍ ଜାତୀୟ ରାଜପଥ ଠାରୁ ଥାନା ପର୍ଯ୍ୟନ୍ତ ରାସ୍ତାରେ ଆଲୋକ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ବର୍ତ୍ତମାନ ତାହା ସମ୍ପୂର୍ଣ୍ଣ ଅନ୍ଧକାର । ଯାହାଫଳରେ ରାତିରେ ସାଧାରଣ ଲୋକେ କେଉଁଠାରେ ସଦର ଥାନା ଜାଣିପାରୁନାହାନ୍ତି । ଗତ କିଛିଦିନ ପୂର୍ବରୁ ଏଠାରୁ ଜଣେ ଏସଆଇଙ୍କ ପଦନ୍ନୋତି ହୋଇଥିବା ବେଳେ ଯାଜପୁର ଆରକ୍ଷୀ ଅଧିକ୍ଷକଙ୍କ ବଦଳି ଆଦେଶ କ୍ରମାଙ୍କ ୧୫୫ ତା ୨୭ା୧ା୨୦୨୫ ରିଖ ଅନୁଯାୟୀ ଜଣେ ମହିଳା ଏସଆଇ ଓ ଜଣେ ଏଏସ୍ଆଇ ଭାବେ ସ୍ମତିମଂଜରୀ ବଡ଼ଜେନା ଓ ରଂଜିତା ମହାରଣାକୁ ଥାନାକୁ ବଦଳି କରାଯାଇଥିଲା । ଇତିମଧ୍ୟରେ ୧୫ ଦିନ ବିତିଯାଇଥିଲେ ମଧ୍ୟ କେହି ଜଣେ ହେଲେ ବି ଏଠାରେ କାର୍ଯ୍ୟରେ ଯୋଗ ଦେଇନାହାଁନ୍ତି । ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଏହି ବଦଳି ଆଦେଶକୁ ତଳିଆ କର୍ମଚାରୀ ମାନୁନଥିବା ଜଣାପଡ଼ିଯାଉଛି । ସଦର ଥାନାରେ ନିଯୁକ୍ତ ହୋଇଥିବା ଦୁଇଜଣ ଅଫିସରଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦାନ କରାଇବା ସହିତ ଥାନାର ସମସ୍ତ ପଦ ପଦବୀ ପୂରଣ କରି ଆବଶ୍ୟକତାକୁ ଖୁବ୍ଶୀଘ୍ର ପୂରଣ କରିବାକୁ ସାଧାରଣରେ ଦାବି ହେଉଛି ।