ନିବନ୍ଧନ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ‘ଅଧିକାରୀମାନେ ସ୍ୱଚ୍ଛ ହୋଇ ପଞ୍ଜୀକରଣ କରନ୍ତୁ’
ଭୁବନେଶ୍ୱର: ସରକାର ରାଜ୍ୟରେ ପଞ୍ଜୀକରଣ ବ୍ୟବସ୍ଥାରେ ପ୍ରଯୁକ୍ତି ବିଦ୍ୟା, ପ୍ରଣାଳୀଗତ ପ୍ରକ୍ରିୟାର ପୁନର୍ଗଠନ ଓ ସେବା ପ୍ରଦାନ ପଦ୍ଧତିରେ ଆନ୍ତରିକତା ଓ ସ୍ୱଚ୍ଛତାର ସହ ଉତ୍ତମ ରାଜସ୍ୱ ପ୍ରଶାସନର ଯୁଗ ଆରମ୍ଭ କରିଛନ୍ତି । ପୂର୍ବରୁ ସବ୍ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟକୁ ପଞ୍ଜିକରଣ କାର୍ଯ୍ୟ ପାଇଁ ଆସୁଥିବା ସାଧାରଣ ଲୋକଙ୍କ ପ୍ରତିକ୍ରିୟା ଯଥେଷ୍ଟ ସନ୍ତୋଷଜନକ ନ ଥିଲା । ବର୍ତ୍ତମାନର ବ୍ୟବସ୍ଥା ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରିଛି । ପରିବର୍ତ୍ତନ ଉପରେ ଆଧାରିତ ନିବନ୍ଧନ ବ୍ୟବସ୍ଥା ସାଧାରଣ ଜନତାଙ୍କ ମତାମତ ଦୃଷ୍ଟିକୋଣରୁ ସନ୍ତୋଷଜନକ ପ୍ରତ୍ୟୟ ହେଉଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଆୟୋଜିତ ନିବନ୍ଧନ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ଓ କର୍ମଶାଳାରେ ମୁଖ୍ୟଅତିଥି ରୂପେ ଯୋଗ ଦେଇ ଏହା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ସାରା ରାଜ୍ୟରେ ନିବନ୍ଧନ କାର୍ଯ୍ୟରେ ବର୍ତ୍ତମାନ ଲୋକଙ୍କ ଠାରୁ ଅନ୍ଲାଇନ ମତାମତ ଗ୍ରହଣ କରାଯାଉଛି । ଏହି ଆଧାରରେ ଜନସାଧାରଣ ୮୮ % ଅନୁକୁଳ ମତ ଦେଇଥିବା ବେଳେ ମାତ୍ର ୧୨ % ନକରାତ୍ମକ ମତ ଦେଇଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲା ମଧ୍ୟରୁ ପଞ୍ଜୀକରଣ କାର୍ଯ୍ୟରେ ଦେବଗଡ଼ ଓ ସୁବର୍ଣ୍ଣପୁରରେ ଜନସାଧାରଣଙ୍କ ଫିଡ୍ବ୍ୟାକ ଆଧାରରେ ସନ୍ତୋଷହାର ୧୦୦% ଥିବାବେଳେ ବୌଦ୍ଧ, ସୁନ୍ଦରଗଡ, ନୟାଗଡ, ନବରଙ୍ଗପୁର, କଳାହାଣ୍ଡି, ଢେଙ୍କାନାଳ, ଜଗତସିଂହପୂର, ଝାରସୁଗୁଡା, ସମ୍ବଲପୂର ଓ କେନ୍ଦ୍ରାପଡାରେ ଏହି ଆଧାରିତ ହାର ୯୦%ରୁ ଊର୍ଦ୍ଧ୍ୱ ରହିଛି ବୋଲି ମନ୍ତ୍ରୀ କହିଥିଲେ । ତେବେ ଆମକୁ ଆଗାମୀ ଦିନରେ ସମସ୍ତ ଜିଲ୍ଲାରେ ଜନସାଧାରଣଙ୍କୁ ଶତପ୍ରତିଶତ ସନ୍ତୋଷ ଜନକ ସେବା ଯୋଗାଇଦେବାକୁ ପଡିବ ବୋଲି ପରାମର୍ଶ ଦେଇଥିଲେ । ସମ୍ମାନିତଅତିଥି ଭାବେ ଗୃହନିର୍ମାଣ, ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ଲୋକଙ୍କ ସରକାର ୨୦୩୬ ମସିହା ସୁଦ୍ଧା ଓଡିଶାକୁ ସମୃଦ୍ଧ, ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସଂକଳ୍ପବଦ୍ଧ ବୋଲି କହିଥିଲେ ।