ପୁଷ୍ପମିତ୍ର ମହାପାତ୍ର : ଚରାଚର ବ୍ରହ୍ମାଣ୍ଡ ସର୍ବେସର୍ବା ହେତୁ ନାରାୟଣଙ୍କୁ ଜଗନ୍ନାଥ ସମ୍ବୋଧନ କରାଯାଏ । ଜଗନ୍ନାଥ ବାହ୍ୟ ଇନ୍ଦ୍ରିୟ ମାନଙ୍କ ଦ୍ୱାରା ଅନୁଭବ ସାଧ୍ୟ ନୁହଁନ୍ତି, ତାଙ୍କର ଉତ୍ପତ୍ତି ନାହିଁ କି ବିନାଶ ନାହିଁ । ତାଙ୍କ ପ୍ରଣୀତ ନୀତି ନିୟମ ଅନୁଯାୟୀ ପ୍ରକୃତି ଆତଯାତ ହୁଏ । ସେ ସର୍ବ ଶକ୍ତିମାନ, ସର୍ବବିଦ୍ୟମାନ, ସର୍ବଜ୍ଞ ଓ ସମସ୍ତ ଜୀବର ଭାଗ୍ୟ ନିୟନ୍ତା । ସେ ଅସମ୍ଭବକୁ ସମ୍ଭବ ତଥା ସମ୍ଭବକୁ ଅସମ୍ଭବ କରିପାରନ୍ତି । ତାଙ୍କ ଇଛାରେ ସାରା ବିଶ୍ୱ ପରିଚାଳିତ ହୁଏ ।
ଏଣୁ ଶ୍ରୀଜଗନ୍ନାଥଙ୍କ ପୂଜାରେ ବହୁ ସମନ୍ୱୟ ଓ ବହୁ ବିରୋଧାଭାସ ରହିଛି । ସ୍ୱୟଂ ଶ୍ରୀକ୍ଷେତ୍ର ପୁଣି ବିଚ୍ଛୁରିତ ହୋଇଛି ସାରା ସଂସାରରେ । ଉଭୟ ଶୁଖିଲି ଓ ସଙ୍ଖୁଡ଼ି ଭୋଗର ପ୍ରଚଳନ ଏଠାରେ ରହିଛି । ଏପରିିକି ସଙ୍ଖୁଡ଼ି ମାହାର୍ଦ୍ଦକୁ ଶୁଖେଇ "ନିର୍ମାଲ୍ୟ' କରାଯାଏ । ଏଠି ନିର୍ମାଲ୍ୟ ଅଛି, ଆଉ ଅଛି "କୈବଲ୍ୟ' ଯୋଡ଼ିଯାକର ସହାବସ୍ଥାନ ଏହି କ୍ଷେତ୍ରକୁ କେବଳ ଜୈନ-ବୌଦ୍ଧ ସମୀକରଣର କଥାର ଅନ୍ତର୍ଭୁକ୍ତ କରିଛି ତାହା ନୁହେଁ, ସେଥି ସହିତ ଯୋଡ଼ିଛି ଆହୁରି ଅନେକ ଭାବାବେଗ, ଆଧ୍ୟାତ୍ମିକ ଆବେଗକୁ । ମନ୍ଦିରର ଗର୍ଭଗୃହର ରତ୍ନସିଂହାସନ ଠାକୁରର ଯେଉଁ ବିଭୂତି ବୈଭବ ଆଉ ଐଶ୍ୱର୍ଯ୍ୟ ଦେଖିଥିବେ ସେ କେବେ କଳ୍ପନା କରିପାରିବ କି ଅଣସର ଆରମ୍ଭରୁ ଦେବତା ଲୌକିକ ଆଚରଣ, ଜ୍ୱର-ପାଚନ ଟଣାଘୋଷଣା, ଭିଡ଼ାଓଟରା ପହଣ୍ଡିର ଭିଡ଼ ଭିତରର ଜଗାକାଳିଆକୁ; କିନ୍ତୁ ଏଠି ଉଭୟ ଅଛି । ଏଠି କିଏ ହୁଏତ ସିଂହଦ୍ୱାରରେ ପଚାରିପାରେ ତୁମେ କିଏ, କ'ଣ ତୁମର ଜାତି ବୋଲି; କିନ୍ତୁ ବଡ଼ଦାଣ୍ଡରେ କାହାର ସାହାସ ଅଛି ଯେ ଅଟକାଇବ ଭକ୍ତକୁ । ଏଠି ଉଭୟ ଅଛି । ସିଂହାସନ ଉପରେ ସେ ଯେତିକି ରାଜକୀୟ, ଲୋକଭିଡ଼ ଭିତରେ ସେ ସେତିକି ଲୋକପ୍ରିୟ । ଯୋଉଠି ରାଜା ନିଜେ ସେବକ ଛେରାପହଁରାରେ, ସେଠି ସେବକ ରାଜାସ୍ତରକୁ ଉଠିଯିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ସିଂହଦ୍ୱାରରେ ନାନା ଆକଟ ଥିଲାବେଳେ ଶରଧାବାଲିରେ ସେ ସବୁ କିଛି ନାହିଁ । ଏ ବିରାଟ ବ୍ରହ୍ମାଣ୍ଡରେ ମଣିଷ ଏକ କ୍ଷୁଦ୍ର ଅଂଶ ଅଟେ । ମଣିଷ ବ୍ୟତୀତ ଅନ୍ୟ କୌଣସି ଜୀବ ଠାରେ ବିଶ୍ୱକର୍ତ୍ତାଙ୍କୁ ଅନୁଭବ କରିବାର କ୍ଷମତା ନଥାଏ । ଯେଉଁ ବ୍ୟକ୍ତି ଭଗବାନଙ୍କ ଅସ୍ତିତ୍ୱ ପ୍ରତି ସନ୍ଦିହାନ ଓଐଶ୍ୱରୀୟ ପ୍ରଭାବରୁ ଭ୍ରୂକ୍ଷେପ କରିନଥାଏ ସେ ହୁଏତ ମଣିଷ ରୂପଧାରୀ ଗୋଟିଏ ନିର୍ବୋଧ ପଶୁ । ଧନ, ମାନ, ଜ୍ଞାନର ପ୍ରାଚୁର୍ଯ୍ୟ ମଧ୍ୟରେ ଥାଇ ଯଦି ମଣିଷ ଠାରେ ଭଗବତ୍ ଚେତନା ଉଦ୍ରେକ ନହୁଏ ତେବେ ବିବେକର ବିକାଶ ନ ହୋଇ ତା' ଜୀବନ କ୍ରମଶଃ ଅଶାନ୍ତ ପରିବେଷ୍ଟନୀ ମଧ୍ୟକୁ ଠେଲି ହୋଇଯାଏ । ଏ ଜଗତ ସତ୍ୟ ଜଗତକର୍ତ୍ତା ମଧ୍ୟ ସତ୍ୟ । ଜଗତକର୍ତ୍ତାଙ୍କ ଇଛା ବିନା ମଣିଷର କୌଣସି ବି ପ୍ରଚେଷ୍ଟା ଫଳପ୍ରସୂ ହୋଇପାରେ ନାହିଁ । ଧନବଳ, ଜନବଳ, ମନୋବଳ, ବାହୁବଳ ସବୁକିଛି ସୁଦୃଢ଼ ଥାଇ ମଧ୍ୟ କୌଣସି ଏକ କ୍ଷୁଦ୍ର ଅଘଟଣ ମୁହୂର୍ତ୍ତକ ମଧ୍ୟରେ ସବୁକୁ ଯେ ଓଲଟପାଲଟ କରିଦେଇପାରେ ଏହା ଅନସ୍ୱୀକାର୍ଯ୍ୟ । ନିଷ୍କର୍ଷରେ ଏତିକି କୁହାଯାଇପାରେ ଯେ ଏ ମାୟା ସଂସାରରେ ପ୍ରତ୍ୟେକ ବ୍ୟକ୍ତି ନିରାଶ୍ରୟ । ସମସ୍ତଙ୍କର ଏକମାତ୍ର ଆଶ୍ରାଦାତା ହେଉଛନ୍ତି ପରମପୁରୁଷ, ବିଶ୍ୱ ଚିନ୍ତାମଣି ମହାପ୍ରଭୁ ଜଗନ୍ନାଥ ।
ଶ୍ରୀଜଗନ୍ନାଥଙ୍କୁ ଶ୍ରେଷ୍ଠ ଦେବତା ଭାବେ ଗ୍ରହଣ କରାଯିବା ସଙ୍ଗେ ସଙ୍ଗେ ତାଙ୍କୁ ଜଣେ ସାଧାରଣ ମଣିଷ ଭାବରେ ଚିତ୍ରଣ କରାଯିବା ଜଗନ୍ନାଥ ତତ୍ତ୍ୱର ଏକ ବିଶେଷତ୍ୱ । ଦେବତା ହିସାବରେ ସେ ଯେଭଳି ସମଗ୍ର ଜଗତର ନାଥ, ଶ୍ରେଷ୍ଠ ମଣିଷ ଭାବରେ ମଧ୍ୟ ସେ ପୁରୁଷ ତଥା ପୁରୁଷୋତ୍ତମ । ମଣିଷ ହିସାବରେ ତାଙ୍କ ଠାରେ ଅଭିଭାବକତ୍ୱ, ସ୍ୱାମୀତ୍ୱ, ତଥା ନାଥତ୍ୱ ଯେତିକି ଆରୋପ କରାଯାଏ, ସେତିକି ବରଂ ତଦପେକ୍ଷା ବେଶୀ ମାତ୍ରାରେ, ତାଙ୍କୁ ସଖା, ଭ୍ରାତା ବା ବନ୍ଧୁଭାବରେ ଗ୍ରହଣ କରାଯାଏ । ଅନ୍ୟାନ୍ୟ ଦେବ ମନ୍ଦିରକୁ ଯିବା ପାଇଁ ଯେଭଳି ବିିଭିନ୍ନ ବିଧି-ନିଷେଧ ଓ ବାରଣ ରହିଅଛି, ଏଠାରେ ସେଭଳି ବିଶେଷ କିଛି ନାହିଁ । ଯାହା କିଛି ରହିଛି, ତାହା କେବଳ ପବିତ୍ରତା, ଶୁଦ୍ଧତାର ସୁରକ୍ଷା ନିମିତ୍ତ ଉଦ୍ଦିଷ୍ଟ । ଜଗନ୍ନାଥ ମନ୍ଦିରକୁ ଦର୍ଶକ ଯେତେବେଳେ ଯେ କୌଣସି ଅବସ୍ଥାରେ ଯିବାରେ ବାଧା ନାହିଁ । କାରଣ ସେ ବନ୍ଧୁ ଅଟନ୍ତି । ବନ୍ଧୁ ସହ ସାକ୍ଷାତ ପାଇଁ ସ୍ଥାନ କାଳର କି ବାରଣ ରହିପାରେ । ସେଥିପାଇଁ "ଅପବିତ୍ରୋ ପବିତ୍ରୋ ବା ସର୍ବାବସ୍ଥାଂଗତେଦ୍ଧପି' ନିୟମ ପ୍ରଚଳିତ ଅଛି । ଭଗବାନଙ୍କର ଅନେକ ନାମ ମଧ୍ୟରୁ ଶ୍ରଦ୍ଧାପୂର୍ବକ ବିଶ୍ୱାସର ସହ ଯେ କୌଣସି ନାମ ସ୍ମରଣ ବା କୀର୍ତ୍ତନ କରିପାରିଲେ ତାହା ଯଥେଷ୍ଟ ହୋଇଥାଏ । କେତେକଙ୍କ ମତରେ ତାରକ ବ୍ରହ୍ମ ନାମ ବା ତାରକ ବ୍ରହ୍ମ ମନ୍ତ୍ର କଳିଯୁଗରେ ସହଜ ସାଧନଯୋଗ୍ୟ ନାମ ଅଟେ । ଏହାକୁ ମହାମନ୍ତ୍ର ମଧ୍ୟ କୁହାଯାଏ । ଯଥା - "ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ ରାମ ରାମ ହରେ ହରେ' ।
ସେ ଅନ୍ତର୍ଯ୍ୟାମୀ । ତାଙ୍କୁ ମୁହଁ ଖୋଲି କହିବା ଆବଶ୍ୟକ ପଡେ଼ନାହିଁ । ତେଣୁ ତାଙ୍କ ପାଖେ ଦୁଇ ହାତ ଟେକି କେବଳ ପ୍ରାର୍ଥନା କରିବା । "ହରେ ମୁରାରେ ମଧୁକୈଟଭାରେ, ଗୋବିନ୍ଦ ଗୋପାଳ ମୁକୁନ୍ଦ ସୌରେ, ଯଜେ୍ଞଶ ନାରାୟଣ କୃଷ୍ଣ ବିଷ୍ଣୋ, ନିରାଶ୍ରୟଂ ମାଂ ଜଗଦୀଶ ରକ୍ଷ ।'
ମୋ: ୯୪୩୭୨୨୫୬୮୯