ନିୟମିତ ପାଇଁ କ୍ରୀଡ଼ାମନ୍ତ୍ରୀଙ୍କୁ ଶିକ୍ଷକଙ୍କ ଦାବି
ରାଜ୍ୟ ସରକାର ୨୦୧୩ ମସିହାରୁ ପର୍ଯ୍ୟାୟ କ୍ରମେ ଉଚ୍ଚ ପ୍ରଥାମିକ ବିଦ୍ୟାଳୟ ମାନଙ୍କରେ କଳା ଓ କ୍ରୀଡ଼ା ପ୍ରଶିକ୍ଷକ ମାନଙ୍କୁ ସାମୟିକ ଭାବେ ୨୦୧୮ପର୍ଯ୍ୟନ୍ତ ନିଯୁକ୍ତି ଦେଇ ଚାଲିଥିଲେ । ବର୍ତମାନ ସୁଦ୍ଧା ଓଡ଼ିଶାରେ ୪୭୮୧ଜଣ କାର୍ଯ୍ୟରତ ଅଛନ୍ତି । କେନ୍ଦ୍ର ସରକାରଙ୍କ ଆରଟିଇଏସ୍ଏସ୍ ଅଧିନସ୍ଥ ସମଗ୍ର ଶିକ୍ଷା ଅଭିଯାନରେ ଏମାନେ ବିନା ସର୍ତାବଳୀରେ ଦୀର୍ଘ ୧୨ବର୍ଷ ହେଲା କାମ କରିବା ସହିତ ସରକାରଙ୍କ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟ ଯଥା ସାଧାରଣ ନିର୍ବାଚନ, ଜନଗଣନା,ବିଏଲଓ କୋଭିଡ-୧୯ ଓ ପ୍ରାକୃତିକ ବିପର୍ଯ୍ୟୟ ଗୁଡ଼ିକରେ ମଧ୍ୟ ସାମିଲ ହେଉଛନ୍ତି । ହେଲେ ଇତିମଧ୍ୟରେ ଦୀର୍ଘ ୧୨ବର୍ଷ ବିତି ଯାଇଥିଲେ ମଧ୍ୟ ସରକାର ଏମାନଙ୍କ ପ୍ରତି ଏକ ବୈମାତୃକ ମନୋଭାବ ପୋଷଣ କରି ଏମାନଙ୍କୁ ନିୟମିତ କରିବା ପାଇଁ କୌଣସି ପ୍ରକ୍ରିୟା ଜାରି କରିନାହାଁନ୍ତି କି ଏମାନଙ୍କ ଦରମା ମଧ୍ୟ ଆଖି ଦ୍ରୁଶିଆ ଭାବେ କେବେ ବ୍ରୁଦ୍ଧି କରିନହାଁନ୍ତି । ଏମାନଙ୍କ ଦରମା ମାତ୍ର ୨୪୦୦ଟଙ୍କାରୁ ଆରମ୍ଭ ହୋଇ ଆଜିର ମହଙ୍ଗା ଦୁନିଆରେ ଏମାନେ ମାସକୁ ମାତ୍ର ୭୭୮୮ଟଙ୍କାରେ ନିଜର ପରିବାର ପ୍ରତିପୋଷଣ କରିବାରେ ଅକ୍ଷମ ହୋଇପଡିଛନ୍ତି । ରାଜ୍ୟ ସରକାର ଗତ ଅକ୍ଟୋବର ମାସରେ ସର୍ବନିମ୍ନ ମଜୁରୀ ୪୫୨ଟଙ୍କା ଘୋଷଣା କରିଥିବାବେଳେ ଏହି କଳା ଓ କ୍ରୀଡ଼ା ଶିକ୍ଷକ ଦିନକୁ ମାତ୍ର ୨୬୦ ଟଙ୍କାରେ କେମିତି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ଓ ଏହା ରାଜ୍ୟ ସରକାରଙ୍କ ନଜରରେ ଅଛି ନା ନାହିଁ ତାହା ଜଣାପଡୁନାହିଁ । ଏଥିପାଇଁ ଓଡିଶା କଳା ଓ କ୍ରୀଡ଼ା ମହାସଂଘର କୋଷାଧ୍ୟକ୍ଷ ରଘୁନାଥ ସାମଲ ଯାଜପୁର ଜିଲା କଳା ଓ କ୍ରୀଡା ମହାସଂଘର ସଭାପତି ଇନ୍ଦୁମତୀ ସାହୁ, ବରୀ ବ୍ଳକ ସଂଯୋଜକ ସରୋଜକାନ୍ତ ଦାଶ ପ୍ରମୁଖ କ୍ରୀଡା, ଯୁବ ବ୍ୟାପାର,କଳା ଓ ଭାଷା ସାହିତ୍ୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଭେଟି ଷଷ୍ଠଥର ପାଇଁ ଦାବିପତ୍ର ପ୍ରଦାନ କରି କରି ନିୟମିତ ନିମନ୍ତେ ଆଲୋଚନା କରିଛନ୍ତି । ଦାବିପତ୍ର ଗ୍ରହଣ କରି ମନ୍ତ୍ରୀ ଖୁବଶୀଘ୍ର କଳା ଓ କ୍ରୀଡା ଶିକ୍ଷକ ମାନଙ୍କ ଦାବିର ସ୍ଥାୟୀ ସମାଧାନ କରାଯିବ ବୋଲିପ୍ରତିଶ୍ରୁତି ଦେଇଥିଲେ ।