ନୂଆ ରୂପ ନେବ ପୁରାତନ ସିଏଚ୍ସି
ଖଣ୍ଡପଡ଼ା : ଖଣ୍ଡପଡା ସହରାଞ୍ଚଳ ସ୍ଥିତ ପୁରାତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟି ଅବହେଳିତ ଅବସ୍ଥାରେ ପଡି ରହିଥିଲା । ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ରାଜ୍ୟ ସରକାର ପୁନର୍ବାସ ଅତ୍ୟାଧୁନିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ନିଷ୍ପତ୍ତି ନେବା ସହ ଏହାର ନବୀକରଣ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୩୦ ଲକ୍ଷ ଟଙ୍କା ମଞ୍ଜୁର କରିଥିବା ଜଣାଯାଇଛି । ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ପ୍ରକାଶିତ ଚିଠିରେ ଉକ୍ତ କେନ୍ଦ୍ରକୁ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଇଥିବାରୁ ଖଣ୍ଡପଡା ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଖୁବଶୀଘ୍ର ଖଣ୍ଡପଡା ପୂର୍ତ୍ତବିଭାଗ ଜରିଆରେ ପୁରାତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନବୀକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପୂର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଧେଶ୍ୟାମ କାଲୋ ପ୍ରକାଶ କରିଛନ୍ତି । ଖଣ୍ଡପଡାରେ ପୁନର୍ବାସ କେନ୍ଦ୍ରଟି କାର୍ଯ୍ୟକ୍ଷମ ହେଲେ ଭିନ୍ନକ୍ଷମ ବ୍ୟକ୍ତିମାନେ ଏଠାରେ ସମସ୍ତ ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇ ପାରିବେ । ନୟାଗଡ ଜିଲ୍ଲାର ଏକମାତ୍ର ପୁର୍ନବାସ କେନ୍ଦ୍ର ଭାବେ ଖଣ୍ଡପଡାରେ ଏହି କେନ୍ଦ୍ରଟି କାର୍ଯ୍ୟକ୍ଷମ ହେବାକୁ ଯାଉଛି ।