ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ
ବଡ଼ସାହି: ସ୍ଥାନୀୟ ବଡ଼ସାହି ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ କୃପାସିନ୍ଧୁ ମହାକୁଡ ଦାୟିତ୍ୱ ଗ୍ରହଣ କରିଛନ୍ତି । ଉଚ୍ଚଶିକ୍ଷା ବିଭାଗର ପତ୍ର ସଂଖ୍ୟା ୫୧୭୫୧/୨୧.୧୨.୨୪ରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ତାଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ । ଗତ ଡିସେମ୍ବର ୩୧ତାରିଖରେ ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ତାଙ୍କ ସ୍ଥାନରେ ତାଙ୍କ ସହଯୋଗୀ ଶ୍ରୀ ମହାକୁଡ ନୂତନ ଅଧ୍ୟକ୍ଷ ହୋଇଥିବା ଜଣାଯାଇଛି । ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପଣ୍ଡା ୧୯୯୦ ମସିହାରେ ବଡ଼ସାହି କଲେଜରେ ରାଜନୀତି ବିଜ୍ଞାନ ବିଭାଗରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିବା ବେଳେ ୨୦୨୩ମସିହାରେ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ । ସେହିପରି ନୂତନ ଅଧ୍ୟକ୍ଷ ଶ୍ରୀ ମହାକୁଡ ୧୯୯୨ମସିହାରେ ଉକ୍ତ କଲେଜରେ ଇଂରାଜୀ ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିବାବେଳେ ୨୦୧୯ରେ ପ୍ରାଧ୍ୟାପକ ଭାବେ ତାଙ୍କ ପଦୋନ୍ନତି ଘଟିଥିଲା । କଲେଜ୍ ପକ୍ଷରୁ ପୂର୍ବତନ ଅଧ୍ୟକ୍ଷଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବାବେଳେ ନୂତନ ଅଧ୍ୟକ୍ଷଙ୍କୁ କାର୍ଯ୍ୟରତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିଛନ୍ତି ।