ନୂତନ ବ୍ଲକ ଗଠନ ପାଇଁ ଏକାଠି ହେଲେ ୧୮ ପଞ୍ଚାୟତବାସୀ

  ବାସୁଦେବପୁର: ନୂତନ ବ୍ଲକ ଗଠନ ପାଇଁ ନାୟକାଣୀଡ଼ିହିରେ ଏକାଠି ହେଲେ ୧୮ ପଞ୍ଚାୟତବାସୀ । ବାସୁଦେବପୁର ଓ ଚାନ୍ଦବାଲି ବ୍ଲକର ୧୮ ଗୋଟି ପଞ୍ଚାୟତକୁ ନେଇ ଏକ ନୂତନ ବ୍ଲକ ଗଠନ କରିବା ପାଇଁ ରବିବାର ପୂର୍ବାହ୍ନ ୧୦ଟାରେ ନୂତନ ବ୍ଲକ୍ ଗଠନ ପାଇଁ ସ୍ଥାନୀୟ ନବଘନ କଲେଜ ପଡ଼ିଆଠାରେ ରବିବାର ୧୦ଟାରେ ବିଭିନ୍ନ ପଞ୍ଚାୟତର ବୁଦ୍ଧିଜୀବୀ, ଜନ ପ୍ରତିନିଧି ଓ ସମାଜସେବୀ ଏକାଠି ହେଇ ବୈଠକ କରିଛନ୍ତି । 
ଏହି ଅବସରରେ ବାସୁଦେବପୁର ବ୍ଲକର ଭେଡା ଅଞ୍ଚଳ ବୋଲି କୁହାଯାଉଥିବା କିଛି ପଞ୍ଚାୟତକୁ ନେଇ ଏକ ନୂତନ ବ୍ଲକ ଗଠନ ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଛି । ୧୯୯୩ ମସିହାରେ ତକôାଳୀନ ରାଜ୍ୟ ସରକାର ଜଷ୍ଟିସ୍ କୃଷ୍ଣପ୍ରସାଦ ମହାପାତ୍ର ଓ ପ୍ରଶାସନିକ ସଦସ୍ୟ ପୂର୍ବତନ ଆଇଏଏସ ନିହାର ରଞ୍ଜନ ହୋତାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ନୂତନ ବ୍ଲକ ଗଠନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । କିନ୍ତୁ ୧୯୯୫ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ବନ୍ଦ କରିଦିଆଯାଇଥିଲା । ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ହେଉଛି ରାଜ୍ୟର ଦ୍ୱିତୀୟ ବୃହତ୍ତର ବ୍ଲକ । ଏପଟେ ବ୍ଲକ୍ ପୁନର୍ଗଠନ ପ୍ରକିୟାକୁ ସକ୍ରିୟ କରିବା ପାଇଁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଏକ ପ୍ରେସ୍ ବିବୃତି ପରେ ଭେଡ଼ା ଅଞ୍ଚଳରେ ନୂତନ ବ୍ଲକ ଗଠନ ପାଇଁ ଲୋକଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି । ଏହି ସଭାରେ ଗୌରାଙ୍ଗ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ନୂତନ ବ୍ଲକ ଗଠନ ଆଧାରିତ ବିଭିନ୍ନ ବିନ୍ଦୁ ଉପରେ ଆଲୋଚନା ହୋଇଛି । ଉକ୍ତ ବୈଠକରେ ଜନସାଧାରଣଙ୍କ ସୁବିଧା ପାଇଁ ବାସୁଦେବପୁର ବ୍ଲକ୍ ଅଧିନସ୍ଥ ୧୫ ପଞ୍ଚାୟତ ଓ ଚାନ୍ଦବାଲି ବ୍ଲକ ଅଧୀନସ୍ଥ ୩ ଗୋଟି ପଞ୍ଚାୟତକୁ ନେଇ ଏକ ନୂତନ ବ୍ଲକ୍ ପ୍ରତିଷ୍ଠା ପାଇଁ ସରକାରଙ୍କୁ ଦାବି ଜଣାଇବାକୁ ବିଶଦ ଆଲୋଚନା ହୋଇଥିଲା । ୧୯୯୪ ମସିହାର ଏକ ଜନସ୍ୱାର୍ଥ ମାମଲାର ବିଚାର କରି ନାୟକାଣୀଡ଼ିହିଠାରେ ଏକ ବ୍ଲକ୍ ପ୍ରତିଷ୍ଠା ପାଇଁ ରହିଥିବା ନିଦେ୍ର୍ଦଶନାମାକୁ କାର୍ଯ୍ୟକାରୀ କରିବା ପାଇଁ ମତ ପ୍ରକାଶ ପାଇଥିଲା । ଆଗାମୀ ଦିନରେ ଏକ ନୂତନ କମିଟି ଗଠନ ହୋଇ ବିଭିନ୍ନ ଅଧିକାରୀ ଓ ଜନପ୍ରତିନିଧିମାନଙ୍କୁ ପତ୍ର ଲେଖି ଏହି ଯଥାର୍ଥ ଦାବୀ ବିଷୟରେ ଅବଗତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଏହି ବୈଠକରେ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ବୃଦ୍ଧିଜୀବୀ ଓ ସାମାଜିକ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।