ନୂତନ ବ୍ଲକ ଦାବିରେ ମନ୍ତ୍ରୀଙ୍କୁ ସ୍ମାରକପତ୍ର

 ପଟ୍ଟାମୁଣ୍ଡାଇ :  ନୂତନ ବ୍ଲକ ଗଠନ କରିବାକୁ ଅଭିମନ୍ୟୁ ମଲ୍ଲିକଙ୍କ ନେତୃତ୍ୱରେ ପ୍ରସ୍ତାବିତ ବ୍ରାହ୍ମଣୀ ବ୍ଲକ୍ ଗଣ ସଂଗ୍ରାମ ସିମିତିର ଏକ ପ୍ରତିନିଧିମଣ୍ଡଳୀ ପଞ୍ଚାୟତ ରାଜ ମନ୍ତ୍ରୀ ରବିନାରାୟଣ ନାଏକଙ୍କୁ ତାଙ୍କର ଭୁବନେଶ୍ୱର ସ୍ଥିତ ବାସଭବନରେ ପହଁଞ୍ଚି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତଗର୍ତ ପଟ୍ଟାମୁଣ୍ଡାଇ ବ୍ଲକର ସାତଗୋଟି ପଞ୍ଚାୟତ ଓଆଳି ବ୍ଲକ୍ ଅନ୍ତର୍ଗତ ୧୧ ଗୋଟି ପଞ୍ଚାୟତ ଏବଂ ପଟ୍ଟାମୁଣ୍ଡା ତହସିଲର ୨ଗୋଟି ଆରଆର୍ଇ ସର୍କଲ ଓ ଆଳି ତହସିଲର ୫ ଗୋଟି ଆରାଇ ସର୍କଲକୁ ନେଇ ଏକ ନୂତନ ବ୍ଲକ ଏବଂ ତହସିଲ ଗଠନ କରିବାକୁ ଦାବି କରାଯାଇଛି  । ପ୍ରଥମେ ବ୍ରାହ୍ମଣୀ ବ୍ଲକ ଗଣସଂଗ୍ରାମ ସମିତି ତରଫରୁ ଆବାହକ ଅଭିମନ୍ୟୁ ମଲ୍ଲିକ ଓ ଦିଲ୍ଲିପ ବିଶ୍ୱାଳ ପୁଷ୍ପଗୁଚ୍ଛଦେଇ ସମ୍ବର୍ଦ୍ଧିତ କରିବା ପରେ ବରିଷ୍ଠ ନେତୃତ୍ୱ ଡ଼କ୍ଟର ଚକ୍ରଧର ଦାଶ ଏବଂ ଅଶୋକ ମଲ୍ଲିକ ଉତ୍ତରୀୟ ଦେବା ସହିତ ସମିତି ତରଫରୁ ଏକ ସ୍ମାରକ ପତ୍ର ମାଧ୍ୟମରେ ଦାବୀପତ୍ର ପ୍ରଦାନ କରାଯାଇଥିଲା । ପ୍ରତିନିଧି ମଣ୍ଡଳୀ ମନ୍ତ୍ରୀଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରି ବନ୍ୟା, ବାତ୍ୟା ଓ ମରୁଡ଼ି କିଭଳି ଭାବରେ ଉକ୍ତ ଅଞ୍ଚଳର ଅର୍ଥନୀତିକୁ ଦୋହଲାଇ ଦେଉଛି ଯାହାଫଳରେ ଶିକ୍ଷିତ ଯୁବଶକ୍ତି ସେମାନଙ୍କ କାର୍ଯ୍ୟ ଅନ୍ୱେଷଣରେ ଅନ୍ୟାନ୍ୟ ରାଜ୍ୟ ତଥା ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଯେଉଁସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହାର ବସ୍ତୃତ ବିବରଣୀ ପ୍ରଦାନକରିଥିଲେ । ଆହୁରି ମଧ୍ୟ ନିର୍ବାଚନ ମଣ୍ଡଳୀ ଗୋଟିଏ ବ୍ଳକ୍ ଓ ତହସିଲ କାର୍ଯ୍ୟାଳୟ ଅନ୍ୟତ୍ର ହୋଇଥିବାରୁ ବିଗତ ସରକାରଙ୍କ ସମୟରେ ରାଜନେତା ଓ ପ୍ରଶାସନ ଦ୍ୱାରା ହେଉଥିବା ବାଛ ବିଚାର ନୀତି ଓ ବିଷମ ବଣ୍ଟନର ବ୍ୟଥା କିଭଳି ପଞ୍ଚାୟତର ଜନପ୍ରତିନିଧି ମାନଙ୍କୁ ଆନେ୍ଦାଳିତ କରେ ତାହାର ସୂଚନା ପ୍ରଦାନ କରିଥିଲେ  । ବର୍ତ୍ତମାନର ସରକାର ନୂତନ ଗ୍ରାମ,ପଞ୍ଚାୟତ, ବିଜ୍ଞାପିତ ଅଞ୍ଚଳ, ବ୍ଳକ, ତହସିଲ ଓ ଜିଲ୍ଲା ଗଠନ ପାଇଁ ନେଇଥିବା ନିଷ୍କରିକୁ ସ୍ୱାଗତ କରିବା ସହିତ ମାନ୍ୟବର ମନ୍ତ୍ରୀ ସମୟ ଦେଇ ଆମ ଅଞ୍ଚଳର ଦୁଃଖ ସହିତ ସହଭାଗିତାକୁ ପ୍ରଶଂସା କରିଥିଲେ  ।