ପଞ୍ଚାୟତରାଜ ପ୍ରତିନିଧିଙ୍କୁ ବ୍ଲକ ପ୍ରଶାସନର ଅଣଦେଖା : ଜିଲ୍ଲାପାଳଙ୍କୁ ୪ ଦଫା ଦାବି ପ୍ରଦାନ 

 ଜଗତସିଂହପୁର:  ଜଗତସିଂହପୁର ଜÿିଲ୍ଲା ନାଉଗାଁ ବ୍ଲକ୍ର ଅଧ୍ୟକ୍ଷା, ଉପାଧ୍ୟକ୍ଷା ଓ ସମସ୍ତ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କୁ ବିଭିନ୍ନ ଉନ୍ନୟନମୂଳକ କାର୍ଯରେ ନାଉଗାଁ ବ୍ଲକ ପ୍ରଶାସନର ଅଣଦେଖା ନେଇ ଦସ୍ତଖତ ସମ୍ବଳିତ ଦାବିପତ୍ର ଜିଲ୍ଲାପାଳ ଜେ ସୋନାଲଙ୍କୁ ପ୍ରଦାନ କରାଯାଇଛି । ୨୦୨୪ ସାଧାରଣ ନିର୍ବାଚନରେ ସରକାର ବଦଳିବାପରେ ଅଦ୍ୟାବଧି ପଞ୍ଚାୟତରେ ଦୁବ କଅଁଳି ନାହିଁ । ବ୍ଲକ ପ୍ରଶାସନ ପଞ୍ଚାୟତ ପ୍ରତିନିଧିଙ୍କୁ ଅଣଦେଖାକରି ବେଆଇନି କାର୍ଯ୍ୟ କରୁଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ବିଭିନ୍ନ ପଞ୍ଚାୟତର ସମସ୍ୟା ବିଷୟରେ ବିଡିଓଙ୍କୁ ଅବଗତ କରାଗଲେ ମଧ୍ୟ କୌଣସି କଥା ଶୁଣୁନାହାନ୍ତି । ବିଭିନ୍ନ ପଂଚାୟତରେ କୋଟି କୋଟି ଟଙ୍କା ପଡିରହିଥିଲେ ମଧ୍ୟ କୌଣସି କାର୍ଯ୍ୟ ହେଉନାହିଁ । ଗାଁ ଗହଳିରେ ରାସ୍ତା ଅବସ୍ଥା ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ସରକାର ପଞ୍ଚାୟତର ଉନ୍ନତିକରଣ ନିମନ୍ତେ ବିଭିନ୍ନ ଅର୍ଥ ଆୟୋଗ ମାଧ୍ୟମରେ ଅର୍ଥ ବରାଦ କରୁଥିଲେ ମଧ୍ୟ ନାଉଗାଁ ବ୍ଲକ୍ର ସରକାରୀ ଅଧିକାରୀଙ୍କ ଅସହଯୋଗ ପାଇଁ ଉକ୍ତ ଅର୍ଥ କୌଣସି କାର୍ଯ୍ୟରେ ଲାଗୁ ନଥିବା ଚର୍ଚ୍ଚାର ବିଷୟ ପାଲଟିଛି । ୨୦୨୫-୨୬ ଆର୍ଥିକ ବର୍ଷପାଇଁ ଫିଫଥ ଏସ୍ଏଫ୍ସି, ଜିଆଇ ଏ ପ୍ରକଳ୍ପ ତାଲିକା ପ୍ରସ୍ତୁତିରେ ପଞ୍ଚାୟତ ପ୍ରତିନିଧିଙ୍କୁ ଅଣଦେଖା କରାଯାଇ, ନିୟମ ବିରୁଦ୍ଧରେ ପ୍ରକଳ୍ପ ତାଲିକା ପ୍ରସ୍ତୁତ କରାଯାଇଛି । ଏହି ପ୍ରକଳ୍ପ ତାଲିକାକୁ ପଞ୍ଚାୟତ ପ୍ରତିନିଧିଙ୍କ ମତାମତରେ ସଂଶୋଧନ କରାଯାଉ, ବ୍ଲକରେ ପଡିରହିଥିବା ଅର୍ଥ ରାଶିକୁ ଯଥାଶୀଘ୍ର କାର୍ଯ୍ୟାଦେଶ ଦେଇ କାର୍ଯ୍ୟ ଆରମ୍ଭ କରାଯାଉ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ପୂର୍ବରୁ କରାଯାଇଥିବା ବ୍ୟତିକ୍ରମ ପାଇଁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଯଥାଶୀଘ୍ର ଗୃହ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଉ, ପଂଚାୟତ ସମିତି ବିଭିନ୍ନ କାର୍ଯ୍ୟକ୍ରମରେ ପଞ୍ଚାୟତ ପ୍ରତିନିଧିଙ୍କୁ ସାମିଲ କରିବା ସହିତ ସେମାନଙ୍କୁ ଉପଯୁକ୍ତ ସମ୍ମାନ ଦେବାପାଇଁ ଦାବି କରାଯାଇଛି । ଏହି ଦାବିପତ୍ର ଜଲ୍ଲାପାଳଙ୍କୁ ପ୍ରଦାନ କରାଯିବା ସହିତ ଦାବିକୁ ଅଣଦେଖା ନକରି ସମସ୍ୟାର ସମାଧାନ କରି ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି । ଆଗାମୀ ଦିନରେ ଜିଲ୍ଲାପ୍ରଶାସନ କୌଣସି ପଦକ୍ଷେପ ନ ନିଏ ତେବେ ଗଣତାନ୍ତ୍ରିକ ଉପାୟରେ ବ୍ଲକ୍ ସମ୍ମୁଖରେ ଧାରଣା ଦେବା ସହିତ ଆଇନି ଅଦାଲତର ସହାୟତ ନିଆଯିବବୋଲି ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଉପାଧ୍ୟକ୍ଷା ସୁଜିତ ପୁହାଣ, ସରପଞ୍ଚ ନିହାର ରଞ୍ଜନ ବେହେରା, ପ୍ରିୟଦର୍ଶିନୀ ଲେଙ୍କା, ବବିତା ସ୍ୱାଇଁ, ଜୀନା ଲତା ସ୍ୱାଇଁ, ହେମାମାଳିନୀ ମହାନ୍ତି, ଲକ୍ଷ୍ମୀପ୍ରିୟା ମଲ୍ଲିକ, ଦୋଳଗୋବିନ୍ଦ ପଣ୍ଡା, ସନ୍ଧ୍ୟା ରାଣୀ ବେହେରା, ନାରାୟଣ ସ୍ୱାଇଁ, ଦିଲ୍ଲୀପ ନାୟକ, ସମିତି ସଭ୍ୟା ସାଗରିକା ଦାସ, ଲକ୍ଷ୍ମୀପ୍ରିୟା ପରିଡା, ସୁବଳ ବେହେରା, ତରୁଣ କାନ୍ତ ବାରିକ, ଚନ୍ଦନ ଲେଙ୍କା, ମାନସୀ ଲେଙ୍କା, ବିଜୟଲକ୍ଷ୍ମୀ ରାଉତ, ରିଲା ଦାସ ପ୍ରମୁଖ ସୂଚନା ପ୍ରଦାନ କରିଥିଲେ ।