ପଞ୍ଚାୟତ ସମିତି ଅଧିବେଶନ ଶେଷ

 ନିଶ୍ଚିନ୍ତକୋଇଲି:  ନିଶ୍ଚିନ୍ତକେବ୍ଲି ବ୍ଲକ ସମ୍ମିଳନୀ କକ୍ଷରେ ଷଷ୍ଠ ପଞ୍ଚାୟତ ସମିତି ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ପଂଚାୟତ ସମିତି ଅଧ୍ୟକ୍ଷା ରୋଜି ସେଠୀ ସଭାପତିତ୍ୱରେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ନିଶ୍ଚିନ୍ତକୋଇଲି ତହସିଲଦାର ଦମୟନ୍ତୀ ସାହୁ ପ୍ରମୁଖ ଯୋଗଦେଇଥିଲେ । ୧୧ ମାସ ପରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିବାରୁ ସାଧାରଣରେ ସଭ୍ୟସଭ୍ୟାମାନଙ୍କ ମହଲରେ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା । ଅଧ୍ୟକ୍ଷା ଶ୍ରୀମତୀ ସେଠୀ ସଭା ପରିଚାଳନା କରିବା ପାଇଁ ବିଡିଓ ଦ୍ୱିବେନ୍ଦୁ ଦାସ ମହୋଦୟଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଅତିଥିଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ  ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏଥିରେ ମୁଖ୍ୟତଃ ୯ଟି କାର୍ଯ୍ୟସୂଚୀ ଉପରେ ଆଲୋଚନା କରାଯାଇଥିଲା ଅନ୍ତ୍ୟୋଦୟ ଗୃହ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ, ସମନ୍ୱିତ ଶିଶୁ ବିକାଶ ଯୋଜନାରେ ଅଙ୍ଗନୱାଡି କେନ୍ଦ୍ର ନଥିବା ଜାଗାରେ ନୂତନ ଘର ନିର୍ମାଣ କରାଯିବା ପାଇଁ ପ୍ରସ୍ତାବ ରଖାଯାଇଥିଲା । ଶିକ୍ଷା ବିଭାଗର ବ୍ଲକ ଅଧିକାରୀ ଅନୁପସ୍ଥିତ ରହି ତାଙ୍କର ଅନ୍ୟ ଅଧିକାରୀଙ୍କୁ ପଠାଇଥିଲେ । ସେ କୌଣସି ସନ୍ତୋଷଜନକ ଉତର ଦେଇ ପାରିନଥିଲେ । ସ୍ୱଚ୍ଛ ଭାରତ ମିଶନ, ଆରଡବ୍ଲୁଏସ୍ଏସ୍ ଯଥାଶୀଘ୍ର ପିଇପା ପାଣି ଯୋଗାଇ ଦେବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ସେହିପରି ଗ୍ରାମ ପଂଚାୟତ ଡେଭଲପ୍ମେଣ୍ଟ ପ୍ଲାନ୍ ୨୦୨୫-୨୬, କଟକ ସଦର ବିଧାୟକ ଶ୍ରୀ ସେଠୀ ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ପଂଚାୟତକୁ ବିକଶିତ କରାଯିବା ପାଇଁ ପ୍ରସ୍ତାବ ରଖିବା ସହିତ ବିଧାନସଭାରେ ପଂଚାୟତକୁ ଅଧିକ ଅଗ୍ରାଧିକାର ଦେବାକୁ କହିଥିଲୋ । ମାହାଙ୍ଗା ବିଧାୟକ ଶ୍ରୀ ପ୍ରଧାନ ନିଶ୍ଚିନ୍ତକୋଇଲି ବ୍ଲକରେ କୌଣସି କାର୍ଯ୍ୟରେ ଦୁର୍ନୀତି ନ ଆସିବା ପାଇଁ ମତ ରଖିଥିଲେ । ଏହା ସହ ତାଙ୍କର ଅଗ୍ନିବର୍ଷୀ ଭାଷଣରେ ସଭାସ୍ଥଳ ସ୍ତବ୍ଧ ହୋଇ ରହିଥିଲା । ସଭାକାର୍ଯ୍ୟ ଚାଲୁଥିଲା ସମୟରେ ପିଏସ୍ଆର ଅର୍ଥ ସମିତି ସଭ୍ୟଙ୍କ ଅଗୋଚରରେ ଖର୍ଚ୍ଚ ହେଉଥିବା କହି କିଛି ସଭ୍ୟ ସଭା ସ୍ଥଳରେ ବସିରହିଥିଲେ । ସଭା ସରିବାର କିଛି ସମୟ ପରେ ବିଡିଓ ଶ୍ରୀ ଦାସଙ୍କ ଆଲୋଚନା ଓ ବୁଝାସୁଝା କରି ସଭ୍ୟମାନଙ୍କୁ ଉଠାଇଥିଲେ ।