ପତ୍ର ପତ୍ରିକାରେ ଲେଖାଲେଖି

ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର : ସମାଜ ଗୋଟିଏ ଶୃଙ୍ଖଳିତ, ସଂଘବଦ୍ଧ ଓ ନୀତିଗତ ଅନୁଷ୍ଠାନ  । ଜୀବନ ନିର୍ମାଣର କଳା ସମୃଦ୍ଧ ହେବା ନିମିତ୍ତ ସମାଜ ଗୋଟିଏ କ୍ଷେତ୍ର  । ସମାଜର ଜାଗ୍ରତ ପ୍ରହରୀ ଭାବରେ ଏହାକୁ ଏକ ମାର୍ଜିତ, ଶୃଙ୍ଖଳିତ, ଦୃଢୀଭୂତ ତଥା କଲ୍ୟାଣମୁଖୀ କ୍ଷେତ୍ରରେ ପରିଣତ କରିବା ନିମିତ୍ତ ପତ୍ରପତ୍ରିକାର ଅବଦାନ ଅବର୍ଣ୍ଣନୀୟ  । ପତ୍ର ପ୍ରତିକା ହିଁ ଜାତିର ସାହିତ୍ୟ, ସଂସ୍କୃତି, ଐତିହ୍ୟ, ସାମାଜିକ ରୀତିନୀତି, ରାଜନୈତିକ ବିଚାରବିମର୍ଷ, ଆଭ୍ୟନ୍ତରୀଣ ରୁଚି ତଥା ପ୍ରକାର ଯଥାର୍ଥ ପରିଚୟ ପ୍ରଦାନ କରିଥାଏ  । ବୋ÷ଦ୍ଧିକ ପରିବର୍ତ୍ତନ ପ୍ରକ୍ରିୟା ମାଧ୍ୟମରେ ନୂତନ ସମ୍ଭାବନାର ଦ୍ୱାର ଉନ୍ମୋଚନ ନିମିତ୍ତ ପତ୍ରପତ୍ରିକା ଏକ ବଳିଷ୍ଠ ଗଣମାଧ୍ୟମର ଭୂମିକା ଗ୍ରହଣ କରିଥାଏ  । ବାଲ୍ୟକାଳରୁ ମୋତେ ଜଣେ ସ୍ୱାଧୀନଚେତା ଭାବରେ ମୋ ବାପା ଗଢିଥିଲେ ଏବଂ ନିର୍ଭୀକ ଭାବରେ ଲେଖନୀ ଚାଳନା କରିବାକୁ ଶିଖାଇଥିଲେ  । ମାନବିକ ମୂଲ୍ୟବୋଧ, ନୈତିକତା, ବ୍ୟକ୍ତି ସ୍ୱାଧୀନତା, ଗଣତନ୍ତ୍ର ଓ ସୁସ୍ଥ ସମାଜର କଲ୍ୟାଣ କାମନାରେ ଲେଖିବାକୁ ସେ ପ୍ରବର୍ତ୍ତାଇଥିଲେ  । ଏପରିକି ଶାସକ ଓ  ଶାସନତନ୍ତ୍ରର ଦୁର୍ବଳତା ଓ ଅବକ୍ଷୟ  ସୂଚାଇବାକୁ ସେ ଉପଦେଶ ଦେଇଥିଲେ  ।
ମାର୍ଥାପୁରରେ ପଢୁଥିବା ବେଳେ ମୁଁ ମୀନାବଜାର, ସୋ÷ରଭ, ଗୋ÷ରବ ଓ ବାଇଚଢେଇ ପ୍ରଭୃତି ପତ୍ରିକାରେ ଲେଖି ପାଠକୀୟ ଶ୍ରଦ୍ଧା ଲାଭ କରିଥିଲି  । ୧୯୬୭ରେ କଟକରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ଉକ୍ରଳମଣି ଗୋପବନ୍ଧୁଙ୍କ ମାନବ ସେବା’ ଉପରେ ଗୋଟିଏ ବକ୍ତୃତା ପ୍ରତିଯୋଗିତାରେ ମୁଁ ଅଂଶ ଗ୍ରହଣ କରିଥିଲି  । ସେହି ପ୍ରତିଯୋଗିତାରେ ମୁଁ ପ୍ରଥମ ହୋଇ ଏକଶହ ଟଙ୍କାର ପୁରସ୍କାର ଲାଭ କଲି  । ପୁରସ୍କାର ପ୍ରଦାନ ସମୟରେ ସମାଜ ସଂପାଦକ ରାଧାନାଥ ରଥ ଓ ତାଙ୍କର ସହଯୋଗୀ ଫକୀର ଚରଣ ଦାସ ମୋତେ ଦୈନିକ ସମାଜ ନିମିତ୍ତ ଲେଖିବାକୁ କହିଲେ  । ‘ସମାଜ’ରେ ଯେଉଁ ପ୍ରଥମ ଲେଖାଟି ମୋର ବାହାରିଥିଲା ତାହା ମୋ ବାପାଙ୍କ ଗୁରୁଦେବ ସ୍ୱାମୀ ଶିବାନନ୍ଦଙ୍କ ଉପରେ ଥିଲା  । ବାପାଙ୍କ ନିକଟରୁ ମୁଁ ସ୍ୱାମୀଜୀଙ୍କ  ସଂପର୍କରେ ବହୁତ କିଛି ଶୁଣିଥିଲି ଏବଂ ତାଙ୍କ ରଚିତ ପୁସ୍ତକ ପାଠ କରି ପ୍ରଭାବିତ ହୋଇଥିଲି  । ତେଣୁ ସ୍ୱାମୀଜୀଙ୍କ ଉପରେ ପ୍ରତିଷ୍ଠିତ ଖବର କାଗଜ ‘ସମାଜ’ରେ ପ୍ରଥମେ ଲେଖିବାକୁ ମୁଁ ଶ୍ରେୟ ମଣିଲି  । ଲେଖାଟିର ଶୀର୍ଷକ ଥିଲା, ‘ଦିବ୍ୟଜୀବନର ବାର୍ତ୍ତାବହ ସ୍ୱାମୀ ଶିବାନନ୍ଦ’ ଲେଖାଟି ସମାଜରେ ପ୍ରକାଶିତ ହେବା ପରେ ଭକ୍ତମଧୁ ବିଦ୍ୟାପୀଠରେ ପ୍ରଧାନଶିକ୍ଷକ ଚିନ୍ତାମଣି ପତି, ଅଧ୍ୟାପକ ରଙ୍ଗାଧର ଷଡଙ୍ଗୀ, ପଣ୍ଡିତ ବାନାମ୍ବର ଆଚାର୍ଯ୍ୟ, ଅଧ୍ୟାପକ ଶ୍ରୀଧର ଦାସ, ଅଧ୍ୟାପକ ଗୋଲୋକ ବିହାରୀ ଧଳ, ଅଧ୍ୟାପକ ଶ୍ରୀନିବାସ ମିଶ୍ର, ରାଧାଶ୍ୟାମ ନନ୍ଦ, ପ୍ରଫେସର ସର୍ବେଶ୍ୱର ଦାଶ, ପ୍ରଫେସର ହୃଦାନନ୍ଦ ରାୟ ପ୍ରଭୃତି ବହୁଜ୍ଞାନୀ ମୋତେ ଅଭିନନ୍ଦନ ଜଣାଇବା ସହିତ  ଆଶୀର୍ବାଦ ମଧ୍ୟ କରିଥିଲେ  । ମୁଁ ଉତ୍ସାହିତ ହୋଇ ନିୟମିତ ଭାବରେ ‘ସମାଜ’ରେ ଲେଖିଲି  । ବାପା ମୋତେ ସତର୍କ କରି କହିଲେ ‘ଅନ୍ତର୍ଯ୍ୟାମୀ ! ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ସମାଜରେ ତୋ ଲେଖା ବାହାରିଲା  । ଏହି ପତ୍ରିକାକୁ ଦଶଲକ୍ଷରୁ ଅଧିକ ଲୋକ ପାଠ କରନ୍ତି  । ଲୋକମାନେ କେବଳ ତୋ ଲେଖା ପଢିବେ ନାହିଁ, ତୁ କେତେ ଚରିତ୍ରବନ୍ତ ଓ ସତ୍ୟନିଷ୍ଠ ତାହା ମଧ୍ୟ ଲକ୍ଷ୍ୟ ରଖିବେ  । ଚରିତ୍ରବତ୍ତା ଓ ସତ୍ୟବତ୍ତାକୁ ବଜାୟ ରଖିପାରିଲେ ତୁ ‘ସମାଜ’ରେ ଲେଖ, ନଚେତ ଲେଖିବା ଛାଡିଦିଅ  । ବାପାଙ୍କର ସେହି ବାଣୀ ମୁଁ ଆଜି ପର୍ଯ୍ୟନ୍ତ ମନେ ରଖିଛି  । ୧୯୬୭ରୁ ଆଜି ପର୍ଯ୍ୟନ୍ତ ମୁଁ ଅଠାବନ ବର୍ଷ ଧରି ସମାଜରେ ଲେଖିଆସୁଛି, କିନ୍ତୁ କୋ÷ଣସି ପରିସ୍ଥିତିରେ ସତ୍ୟ ଓ ଚରିତ୍ରକୁ କଳୁଷିତ କରିନାହିଁ  । ବାପାଙ୍କର ସେହି ବାଣୀ ମୋ ନିମିତ୍ତ ଥିଲା ଆଶୀର୍ବାଦ  ।
ସମାଜରେ ଲେଖା ବାହାରିବା ପରେ ହରେକୃଷ୍ଣ ମହତାବ ମୋତେ ପ୍ରଜାତନ୍ତ୍ରରେ ଲେଖିବାକୁ କହିଲେ  । ବାପା ଓ ମହତାବ ବାବୁଙ୍କର ସ୍ୱାଧୀନତା ସଂଗ୍ରାମ ସମୟରୁ ବନ୍ଧୁତା ଥିଲା  । ମୁଁ ମଧ୍ୟ ମୀନାବଜାରରେ ଲେଖୁଥିଲି ଓ ନିୟମିତ ବିଷୁବ ମିଳନରେ ଯୋଗ ଦେଉଥିଲି  । ମହତାବ ବାବୁ ଓ ଜାନକୀବାବୁ ମୋତେ ଲେଖିବା ପାଇଁ ଉତ୍ସାହ ଦେଇଛନ୍ତି  । ମୁଁ କଳ୍ପନାଭିତ୍ତିକ ଅର୍ଥାତ୍ କବିତା ଓ ଗଳ୍ପ ପ୍ରଭୃତି ନଲେଖି ଜ୍ଞାନଭିତ୍ତିକ ସାହିତ୍ୟ ଅର୍ଥାତ୍ ପ୍ରବନ୍ଧ ଲେଖିବାକୁ ସେମାନେ ସବୁବେଳେ  ଉପଦେଶ ଦେଇଛନ୍ତି  । ମହତାବ ବାବୁଙ୍କ କଥା ମାନି ମୁଁ ପ୍ରଜାତନ୍ତ୍ରରେ ନିୟମିତ ଲେଖିଲି  । ସେତେବେଳେ କଟକରୁ ମାତୃଭୂମି ପ୍ରକାଶ ପାଉଥିଲା   । ସେଥିରେ ମଧ୍ୟ ମୁଁ ସମୟ ସମୟରେ ଲେଖୁଥିଲି  ।  ୧୯୬୭ରୁ ମୋ ଲେଖା ସମାଜ, ପ୍ରଜାତନ୍ତ୍ର ଓ ମାତୃଭୂମିରେ ପ୍ରକାଶ ପାଇଲା  । ଏହି ତିନିଗୋଟି ପତ୍ରିକାର ସଂପାଦକ ଡକ୍ଟର ରାଧାନାଥ ରଥ, ଡକ୍ଟର ହରେକୃଷ୍ଣ ମହତାବ ଓ ବିଚିତ୍ରା ନନ୍ଦ କର ଉଚ୍ଚକୋଟୀର ସଂପାଦକ ଥିଲେ  । ସେମାନେ ଲେଖକୀୟ ସ୍ୱାଧୀନତା ଉପରେ ଗୁରୁତ୍ୱ ଦେଉଥିଲେ  । ସେମାନେ ହୃଦୟଙ୍ଗମ କରିଥିଲେ ଯେ ଲେଖକୀୟ ସ୍ୱାଧୀନତା ଦ୍ୱାରା ଲେଖକ ଅନେକ କିଛି ଲେଖିବାକୁ ସମର୍ଥ ହୋଇଥାଏ  । ଲେଖକଙ୍କ ସ୍ୱାଧୀନତା କ୍ଷୁଣ୍ଣ ହେଲେ ସେ ସାରସ୍ୱତ ଅକର୍ମଣ୍ୟତା ଅନୁଭବ କରିଥାନ୍ତି  । ଏହାଦ୍ୱାରା ଲେଖକଙ୍କ ସୃଜନଶୀଳତା ବ୍ୟାହତ ହୁଏ ଓ ବୋ÷ଦ୍ଧିକ ଚେତନା ବାଧାପ୍ରାପ୍ତ ହୋଇଥାଏ  । ସଂପାଦକ ହେଉଛନ୍ତି ଳେଖକ ଓ ପାଠକ ମଧ୍ୟରେ ମୁଖ୍ୟ ସଂଯୋଗକାରୀ  । ଲେଖକ ଓ ଲେଖାକୁ ଅଗଣିତ ପାଠକଙ୍କ ନିକଟରେ ପରିଚିତ କରାଇବାର ମହାନ ଦାୟିତ୍ୱ ସଂପାଦକଙ୍କର   । ପାଠକୀୟ ରୁଚିକୁ ଆଖି ଆଗରେ ରଖି ଲେଖା ନିର୍ବାଚନ କରିବା ଜଣେ ସଂପାଦକଙ୍କର ମହତ୍ତ୍ୱପୂର୍ଣ୍ଣ କଳାକୋ÷ଶଳ  । ସଂପାଦକଙ୍କ ସଫଳ ଉଦ୍ୟମରେ ପତ୍ରପତ୍ରିକା ଉଚ୍ଚକୋଟୀର ଗଣମାଧ୍ୟମର ରୂପ ନେଇଥାଏ  । ଲେଖକଙ୍କ କ୍ଷମତା, ପଦବୀ ଓ ନାମକୁ ଗୁରୁତ୍ୱ ଦେଲେ ସଂପାଦକ ପାଠକଙ୍କ ନିଷ୍କ୍ରିୟତା ହିଁ ଅନୁଭବ କରନ୍ତି  ।  ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ, କିଛି ନିର୍ଦ୍ଦିଷ୍ଟ ଲେଖକଙ୍କର ଲେଖା ପ୍ରକାଶନ, ଆତ୍ମ ପ୍ରଚାର ସର୍ବସ୍ୱ ଓ ପାଠକୀୟ ରୁଚିକୁ ଆଖି ଆଗରେ ନରଖିଲେ ସଂପାଦକଙ୍କୁ ଅନେକ ପ୍ରଶ୍ନ ନିମିତ୍ତ ଉତ୍ତରଦାୟୀ କରାଯାଏ  । ପାଠକଙ୍କୁ ଆତ୍ମସନ୍ତୋଷ ନମିଳିଲେ  ସେମାନେ ପ୍ରଥମ ଅଭିଯୋଗ ସଂପାଦକଙ୍କ ବିରୋଧରେ ହିଁ କରିଥାନ୍ତି  । ମୁଁ ଛଅଦଶନ୍ଧିର ଲେଖକ ଏବଂ ଦଶଗୋଟି ଦୈନିକ, ପ୍ରାୟ ପଚିଶି ଗୋଟି ମାସିକ ଓ ଅନେକ ସାମୟିକ ପତ୍ରପତ୍ରିକାରେ ଲେଖିଛି  । ମୋ ଆଖି ଆଗରେ ଅନେକ ପତ୍ରିକାର ଜନ୍ମ, ଅନେକ ପତ୍ରିକାର ମୃତୁ୍ୟ ଏବଂ ଅନେକ ପତ୍ରିକା ପାଠକୀୟ ଶ୍ରଦ୍ଧା ଲାଭ ନକରିପାରିବା ମୁଁ ଦେଖିଛି ଏବଂ ଏହାର କାରଣ ଅନୁସନ୍ଧାନ କରି ହୃଦବୋଧ କରିଛି ଯେ  ପତ୍ରିପତ୍ରିକାର ଅଧୋଗତି ପାଇଁ ସଂପାଦକମାନେ ହିଁ ଦାୟୀ  । ମୁଁ ଯେତେବେଳେ ପ୍ରଥମେ ପତ୍ର ପତ୍ରିକାରେ ଲେଖାଲେଖି ଆରମ୍ଭ କଲି ସଂପାଦକମାନେ ମୋତେ ବହୁ ଉପଦେଶ ଦେଇଛନ୍ତି  । କିପରି ଲେଖିବାକୁ , କେଉଁ ବିଷୟରେ ଲେଖିବାକୁ ହେବ  । କିପରି ପରିବେଷଣ କରିବାକୁ ହେବ ସେମାନେ ମୋତେ ବତାଇ ଦେଉଥିଲେ  । ସେମାନଙ୍କ ପ୍ରଚେଷ୍ଟା ଓ ପ୍ରୋତ୍ସାହନରେ ମୁଁ ଜଣେ ଲେଖକ ହେଲି  । ଆଜିର ସଂପାଦକମାନେ ସେମାନଙ୍କୁ ଅନୁସରଣ କରିବା ସମୀଚୀନ ମନେହୁଏ  ।
ମୁଁ କେବଳ ଦୈନିକ ପତ୍ରିକାରେ ଲେଖୁନଥିଲି, ପ୍ରଥମେ ସହକାର, ଆସନ୍ତାକାଲି ଓ ମାନସରେ ଲେଖୁଥିଲି  । ପରବର୍ତ୍ତୀ ପର୍ଯ୍ୟାୟରେ ଝଙ୍କାର, ରାଷ୍ଟ୍ରଦୀପ, କୋଣାର୍କ, ପ୍ରଜାତନ୍ତ୍ର ପ୍ରତିଭା, ଆଲୋକ ଉକ୍ରଳ ପ୍ରସଙ୍ଗ, ଶ୍ରୀମନ୍ଦିର ପ୍ରଭୃତି ପତ୍ରିକାରେ ଲେଖି ପାଠକଙ୍କର ଶ୍ରଦ୍ଧାଭାଜନ ହେଲି  । ମୁଁ କେବଳ ଲେଖକ ନଥିଲି  । ପାଠକ ମଧ୍ୟ ଥିଲି  । ବରିଷ୍ଠ ଲେଖକମାନଙ୍କର ଲେଖା ପଢି ସେମାନଙ୍କର ବୋ÷ଦ୍ଧିକ ଚେତନା, ଭାବ, ଭାଷା, ପରିବେଷଣ ଶୈଳୀ, ପ୍ରଜ୍ଞା ଓ ପରିଭାଷା, ବିଚାର ବିମର୍ଷ ପ୍ରଭୃତିକୁ ଅନୁଧ୍ୟାନ ଓ ଅନୁଶୀଳନ କରୁଥିଲି  । ବହୁପାଠୀ ହେବା ଫଳରେ ମୁଁ ଅନୁଭବ କଲି ଯେ ସାହିତ୍ୟର ଏପରି ଅସୀମ ଶକ୍ତି ଅଛି ଯେ ତା ଉପରେ କୋ÷ଣସି ଅଦରକାରୀ ବିଚାରଧାରାକୁ ଜବରଦସ୍ତ ଚାପିଦେଲେ ଓ ଗୋଟିଏ ବୈଚାରିକ କାରାବାସରେ ତାକୁ ଆବଦ୍ଧ କରି ରଖିଦେଲେ ତାହା ଦିନେ ନା ଦିନେ କାରା ପ୍ରାଚୀର ଭାଙ୍ଗି ମୁକ୍ତ ହୋଇଯାଏ  । ସାହିତ୍ୟ ବିଚାରଧାରା ଦ୍ୱାରା ପ୍ରଭାବିତ ହୁଏ ସତ୍ୟ, ମାତ୍ର ତାହା ଯଦି ମନୁଷ୍ୟର ମୁକ୍ତିର ମାର୍ଗକୁ ଅବରୋଧ କରିଦିଏ,  ତେବେ ମଧ୍ୟ ସାହିତ୍ୟ ସେହି ବିଚାରଧାରାକୁ ଅସ୍ୱୀକାର କରିଦିଏ  । ସର୍ବଦା ମନେ ରଖିବାକୁ ହେବ ଯେ, ସାହିତ୍ୟ ହିଁ ସଭ୍ୟତାର ଉଜ୍ଜଳ ସ୍ୱାକ୍ଷର  । କୋ÷ଣସି ଜାତି, ସମାଜ ବା ବ୍ୟକ୍ତିର ପ୍ରଜ୍ଞାର ଐଶ୍ୱର୍ଯ୍ୟମୟ ଆଭାସ ସାହିତ୍ୟରୁ ହିଁ ଉପଲବଧ ହୋଇଥାଏ  । ସଂପ୍ରତି ଅନେକ ଲେଖକ ଜାତି ଓ ସଂସ୍କୃତିର ପୁନଃନିର୍ମାଣ ଲକ୍ଷ୍ୟରେ ଲେଖନୀ ଚାଳନା ନକରି ଆପଣାକୁ ପ୍ରକାଶିତ ତଥା ବିଜ୍ଞପିତ କରିବାରେ ମନୋନିବେଶ କରୁଛନ୍ତି  । ପାଠକର ରୁଚିକୁ ଆଖି ଆଗରେ ରଖି ଯୁଗୋପଯୋଗୀ ଚେତନଶୀଳ ସାହିତ୍ୟ ସୃଷ୍ଟି ପ୍ରତି ଅନେକ ଲେଖକ ସଚେତନ ନୁହନ୍ତି  । ଅଧିକନ୍ତୁ ସାଂପ୍ରତିକ ସାହିତ୍ୟରେ ଆଧୁନିକତା ନାମରେ ବିଲକ୍ଷଣତା ପ୍ରକାଶ ପାଉଛି  । ଜୀବନଯାପନ ଧାରା ଠାରୁ ସଂପୂର୍ଣ୍ଣ ବେଖାପ କେତୋଟି ଅବାନ୍ତର ଘଟଣା ସାହିତ୍ୟରେ ଚିତ୍ରଣ କରି ଲେଖକମାନେ ଆତ୍ମସନ୍ତୋଷ ଲାଭ କରୁଛନ୍ତି  । ଲେଖକଙ୍କର ସତେଜ ଅନୁଭୂତି, ମୋ÷ଳିକ ଅଭିବ୍ୟକ୍ତି ଓ ପ୍ରାଣସ୍ପର୍ଶୀ ଭାଷା ସାହିତ୍ୟରେ ପ୍ରତିଫଳିତ ହେଉନଥିବାରୁ ଲେଖକ ଓ ପାଠକ ମଧ୍ୟରେ ଦୂରତ୍ୱ ବୃଦ୍ଧି ପାଇବାରେ ଲାଗିଛି  । କେତେକ ଅନଭିଜ୍ଞ ଓ ଆତ୍ମପ୍ରଚାରଧର୍ମୀ ସଂପାଦକ ଏତାଦୃଶ ଲେଖକମାନଙ୍କର ଲେଖା ଛାପି ବହୁ ଲେଖକଙ୍କ ସହିତ ସଂପର୍କ, ବହୁ ସାହିତ୍ୟ ସଭାରେ ନିଜ ପତ୍ରିକାର ଯଶଗାନ ଓ ଅନ୍ୟାନ୍ୟ ପତ୍ରିକାକୁ ପରୋକ୍ଷରେ ନୁ୍ୟନ ଦୃଷ୍ଟିରେ ଦେଖୁଛନ୍ତି  । ସେମାନେ ନିଜ ପତ୍ରିକାର ପ୍ରସାର ଓ ପ୍ରଚାର ନିମିତ୍ତ ବ୍ୟଗ୍ର ହେଲେ ହେଁ ପାଠକ ସଚେତନତା ସୃଷ୍ଟି ନିମିତ୍ତ ଆଦୋ÷ ଧ୍ୟାନ ଦେଉନାହାନ୍ତି  । ଫଳରେ ଭିନ୍ନ ଭିନ୍ନ ରଙ୍ଗତରଙ୍ଗ, ରୂପସଜ୍ଜା, ଅଳଙ୍କାରଣ, ଉଦ୍ଭଟ ଚିନ୍ତାଚେତନା ଓ ଭିନ୍ନ ଭିନ୍ନ ବିଚାର ବିମର୍ଷ ନେଇ ପତ୍ରିକା ଯେପରି ଆବିର୍ଭାବ ହେଉଛି ସେହିପରି ମଧ୍ୟ ଅନ୍ତର୍ଦ୍ଧାନ ହେଉଛି  ।
ମୋର ଦୀର୍ଘ ଅଭିଜ୍ଞତାରୁ ମୁଁ ଅନୁଭବ କରିଛି, କେହି ରାତି ରାତି ଲେଖକ ହୋଇପାରେ ନାହିଁ  । ଲେଖକ ହେବା ପାଇଁ ତପସ୍ୟା କରିବାକୁ ପଡେ ଓ ସାଧନାରେ ମଗ୍ନ ହେବାକୁ ପଡେ  । ଲେଖକ ହେଉଛନ୍ତି  ସ୍ରଷ୍ଟା ଏବଂ ତାଙ୍କର ମନେ ରଖିବା ଉଚିତ ଯେ ସୃଷ୍ଟି ପ୍ରକ୍ରିୟା ଐଶ୍ୱରୀୟ  । ଐଶ୍ୱରୀୟ ଦିବ୍ୟାନୁଭୂତି ବ୍ୟତିରେକ ସାହିତ୍ୟ ସୃଷ୍ଟି ଅସମ୍ଭବ  । ଜୀବନଧର୍ମୀ ସାହିତ୍ୟ ସୃଷ୍ଟି ପୂର୍ବକ ପାଠକଙ୍କୁ ସଚେତନ କରାଇବା ଏକ ମହତ୍ତ୍ୱପୂର୍ଣ୍ଣ କଳାକୋ÷ଶଳ  । ସଂପ୍ରତି ଅନେକ ଏହି କଳାକୋ÷ଶଳ ନଜାଣି କେବଳ ନିଜକୁ ପ୍ରତିଷ୍ଠିତ କରାଇବାର କାମନାରେ ଲେଖକ ବୋଲାଉଛନ୍ତି ଏବଂ ଯେନତେନ ପ୍ରକାରରେ ସଂପାଦକଙ୍କୁ କହି ନିଜର ଲେଖା  ପତ୍ରପତ୍ରିକାରେ ପ୍ରକାଶ କରାଉଛନ୍ତି  । ଯାହା ପାଠକୀୟ ଆଦୃତିରୁ ବଞ୍ଚôତ ହେଉଛି  । ଚେତନଶୀଳ ଲେଖା ଦ୍ୱାରା ପାଠକଙ୍କୁ ପ୍ରଭାବିତ କରିବା ଲେଖକର ଧର୍ମ ହେବା ବା‚ନୀୟ  । ସଂପ୍ରତି ଅନେକ ଲେଖକ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ରଖୁନାହାନ୍ତି  । ସାହିତ୍ୟରେ ଆଧୁନିକତା ନାମରେ ଯେଉଁ ବିଲକ୍ଷଣତା ପ୍ରକାଶ ପାଉଛି ତାହାକୁ ପ୍ରତ୍ୟେକ ଲେଖକ ଲକ୍ଷ୍ୟ କରିବାର କଥା  । ଆଧୁନିକତା ଏକ ଆତ୍ମିକ ସନନ୍ଦ  । ଉଚ୍ଚକୋଟୀର ଉପସ୍ଥାପନା ଶୈଳୀ ଏହି ସାହିତ୍ୟକୁ ମର୍ଯ୍ୟାଦାବନ୍ତ କରିଥାଏ  । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଜୀବନ ଯାପନ ଧାରା ଠାରୁ ସଂପୂର୍ଣ୍ଣ  ବେଖାପ କେତୋଟି ଅବାନ୍ତର ଘଟଣା ଚିତ୍ରଣ ସାହିତ୍ୟକୁ ସମୃଦ୍ଧ କରିପାରିବ  । ପ୍ରତ୍ୟେକ ଲେଖକ ମନେ ରଖିବା ଉଚିତ ଯେ ଆଧୁନିକତା ଏକ ଅନୁକରଣ ସର୍ବସ୍ୱ କଳା ନୁହେଁ  । ଏହା ପରିସ୍ଥିତି ଓ ପରିବେଶର ସରହଦରୁ ପ୍ରକଟିତ ହେବା ସମୀଚୀନ  । ଅନ୍ୟଥା ଏହା ପରମ୍ପରାର ପରିଧି ବାହାରକୁ ଚାଲିଯାଇ ଦୁର୍ଘଟଣା ଘଟାଇବାର ସମ୍ଭାବନା ଅଧିକ  । ଏଦିଗରେ ଲେଖକୀୟ ସଚେତନତା ଆବଶ୍ୟକ  । ଅନେକ ଲେଖକ ପୁରସ୍କାର, ସମ୍ମାନ ବା ସମ୍ବର୍ଦ୍ଧନା ନିମିତ୍ତ ଲାଳାୟିତ ହୋଇ ବିଭିନ୍ନ ପତ୍ରପତ୍ରିକାରେ ବହୁ ଲେଖା ପ୍ରକାଶ କରୁଛନ୍ତି  । ପୁରସ୍କାର ଆଶାୟୀ ଲେଖକଙ୍କର ସ୍ମରଣ ରଖିବା ଉଚିତ ଯେ ପାଠକ ପାଠିକାଙ୍କ  ସ୍ନେହ ଶ୍ରଦ୍ଧା ହିଁ ସର୍ବଶ୍ରେଷ୍ଠ ପୁରସ୍କାର  । ପାଠକୀୟ ସ୍ୱୀକୃତି ସାହିତି୍ୟକ ମୂଲ୍ୟ ଦୃଷ୍ଟିରୁ ପୁରସ୍କାର ଅପେକ୍ଷା ଅଧିକ ସମ୍ମାନଜନକ  ।
ମୁଁ କେବଳ ପତ୍ରପତ୍ରିକାରେ ଦୀର୍ଘଦିନ ଧରି ଲେଖୁଛି, ତାହା ନୁହେଁ, ମୋର ମଧ୍ୟ ଚାଳିଶିଗୋଟି ପୁସ୍ତକ ଅଦ୍ୟାବଧି ପ୍ରକାଶିତ  । ବର୍ତ୍ତମାନ ଲେଖକମାନେ ପ୍ରକାଶନ ଖର୍ଚ୍ଚ ବହନ କରି ପୁସ୍ତକ ପ୍ରକାଶନ କରୁଛନ୍ତି  । ମୋର ଚାଳିଶ ଖଣ୍ଡ ପୁସ୍ତକ ମଧ୍ୟରୁ କୋ÷ଣସି ପୁସ୍ତକର ପ୍ରକାଶନ ଖର୍ଚ୍ଚ ମୁଁ ବହନ କରିନାହିଁ  । ପ୍ରକାଶମାନେ ଆଗ୍ରହର ସହିତ ମୋ ପୁସ୍ତକ ପ୍ରକାଶ କରିଛନ୍ତି  । ଏହା ବାଗ୍ଦେବୀଙ୍କ କରୁଣା  । ବାଗବେଦୀଙ୍କ କୃପାରୁ ମୁଁ କୋ÷ଣସି ଗୋଷ୍ଠୀ ସହ ସଂପୃକ୍ତ ହୋଇନାହିଁ ବା କୋ÷ଣସି ସାହିତ୍ୟ ସଂସଦର ସଦସ୍ୟ ହୋଇନାହିଁ  । ସ୍ୱାଧୀନ ଭାବରେ ଯାତାୟାତ କ୍ଷମ ନଥିବାରୁ ମୁଁ କାହା ନିକଟକୁ ଯାଇପାରେନି  । ସଭାସମିତିକୁ ଗଲେ ଦୁଇଜଣ ମୋର ଧରିନେଇ ମଞ୍ଚରେ ବସାଇ ଦିଅନ୍ତି ଏବଂ ବକ୍ତବ୍ୟ ପ୍ରଦାନ ପରେ ଆଣି କାର୍ରେ ବସାଇ ଦିଅନ୍ତି  । ବ୍ୟକ୍ତିଗତ ଭାବରେ କାହା ସହିତ ସଂପର୍କ ନରଖି ପାରିଲେ ମଧ୍ୟ ମୁଁ ସମସ୍ତଙ୍କର ମଙ୍ଗଳ କାମନା କରିଥାଏ  । ମୁଁ କୌଣସି ବାଦ, ବିବାଦ ବା ବିସମ୍ବାଦରେ ବିଶ୍ୱାସ କରେ ନାହିଁ  । ମୋତେ ଈର୍ଷା କରୁଥିବା ବ୍ୟକ୍ତିମାନଙ୍କୁ ମୁଁ ମଧ୍ୟ ଭଲପାଏ  । ମୁଁ ଭାବେ ସେହିମାନେ ହିଁ ମୋତେ ଅଧିକରୁ ଅଧିକ ଲେଖିବାକୁ ଉତ୍ସାହିତ କରୁଛନ୍ତି  । ଈର୍ଷା, ରାଗ, ଦ୍ୱେଷ, ଶତ୍ରୁତା ସବୁକୁ ଭୁଲି ମୁଁ କେବଳ ଲେଖିବା ଓ ପଢିବାରେ ମଜ୍ଜି ରହେ  ।  ବିପର୍ଯ୍ୟସ୍ତ ରାଜନୈତିକ ଜୀବନ, ଶଙ୍କାଗ୍ରସ୍ତ ସାମାଜିକ ଜୀବନ, ଅଭାବ ଗ୍ରସ୍ତ ଅର୍ଥନୈତିକ ଜୀବନ ଓ ମୋହଗ୍ରସ୍ତ ଆଧ୍ୟାତ୍ମିକ ଜୀବନର ସକଳ ଦୂରତା ଓ ଦୁଷ୍ଟତାକୁ ଅପସାରଣ କରିବା କାମନାରେ ମୁଁ ଦୀର୍ଘଦିନ ଧରି ଲେଖନୀଚାଳନା କରୁଛି  । ଶାସନତନ୍ତ୍ର, ଅନୁଷ୍ଠାନ, ସଂଘ, ସଂପ୍ରଦାୟ ତଥା ବ୍ୟକ୍ତିବିଶେଷଙ୍କ ଆଲୋଚନା, ସମାଲୋଚନା, ବ୍ୟଙ୍ଗବିଦ୍ରୂପ ପ୍ରଭୃତିକୁ ଭ୍ରୂକ୍ଷେପ ନକରି ମାନବିକ ମୂଲ୍ୟବୋଧ, ନୈତିକତା, ବ୍ୟକ୍ତି ସ୍ୱାଧୀନତା, ଗଣତନ୍ତ୍ର ଓ ସୁସ୍ଥ ସମାଜର କଲ୍ୟାଣ କାମନାରେ ମୋ ଲେଖନୀ ଚଳଚଞ୍ଚଳ  । ସମାଜର ସକଳ ସ୍ତରରେ ସାହିତ୍ୟର ନିରଙ୍କୁଶ ପ୍ରବେଶ ଓ ପ୍ରଚଳନ ନିମିତ୍ତ ମୋ ପ୍ରଚେଷ୍ଟା ଜାରି ରହିଛି  । ସଂସ୍କୃତିର କ୍ରାନ୍ତିକାରୀ ରୂପାନ୍ତର ଓ ବୈପ୍ଲବିକ ପରିବର୍ତ୍ତନ ନିମିତ୍ତ ସାହିତ୍ୟକୁ ଏକ ଶକ୍ତିଶାଳୀ ବୋ÷ଦ୍ଧିକ ମାଧ୍ୟମ ଭାବରେ ପ୍ରୟୋଗ କରିଛି  । ମୋର ଲକ୍ଷ୍ୟ ହେଉଛି, ପାଠକୀୟ ଚେତନାକୁ ସଳଖ ଓ ଶାଣିତ କରିବା  ।
ଆନନ୍ଦନଗର, କାଠଗଡା, ଢେଙ୍କାନାଳ, ମୋ-୮୮୯୫୨୩୦୭୨୨