ପରିମାର୍ଜିତ ଜୀବନର ସୂଚକାଙ୍କ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ଜୀବନରେ ଶ୍ରେଷ୍ଠଜନଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି ମଣିଷକୁ କେମିତି ମାର୍ଜିତ କରିଥାଏ, ସେନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଶିଶୁଟିଏ ଜନ୍ମ ହେବା ବେଳେ ତାହାର ମସ୍ତିଷ୍କର ଶାରୀରିକ ଅଭିବୃଦ୍ଧି ଘଟୁଥିଲେ ମାନସିକ ଅଭିବୃଦ୍ଧି ପାଇଁ ଅନେକ କିଛି ଆବଶ୍ୟକ କରେ । ସମାଜ ଭିତରେ ଏବଂ ପରିବାର ଭିତରେ ଶିଶୁ ସମାଜରେ ଚଳିବା ଭଳି ଶିକ୍ଷାଲାଭ କରେ । ଏହା ହେଉଛି ଶିଶୁ ପାଇଁ ଏକ ପରିମାର୍ଜିତ ଜୀବନ । ଏହି ପରିମାର୍ଜିତ ଜୀବନର ଶିକ୍ଷା ପରିବାରରୁ ହିଁ ପ୍ରଥମେ ଆରମ୍ଭ ହୁଏ । ଏହାକୁ ହିଁ କୁହାଯାଏ ପାରିବାରିକ ସଂସ୍କାର । ପାରିବାରିକ ସଂସ୍କାର ଭଲ ଥିଲେ ସେହି ସଂସ୍କାର ପାଇଥିବା ଶିଶୁ ଭବିଷ୍ୟତରେ ସମାଜରେ ଜଣେ ଭଲ ମଣିଷ ହୁଏ । ଏହି ସଂସ୍କାର ସମସ୍ତଙ୍କ ପାଇଁ ସମାନ ଭାବରେ ହୋଇପାରେ ନାହିଁ । ପରିବାରରେ ପରିବାର ସଦସ୍ୟମାନଙ୍କ ମଧ୍ୟରେ ସଦ୍ଭାବପୂର୍ଣ୍ଣ ସମ୍ପର୍କ ଶିଶୁମାନଙ୍କ ଉପରେ ଗଠନମୂଳକ ଓ ସକାରାକ୍ରମ ପ୍ରଭାବ ପକାଏ । ପରସ୍ପର ଭିତରେ ରହିଥିବା ସ୍ନେହଭାବ ଶିଶୁର ଭବିଷ୍ୟତ ଗଢ଼େ । ପରସ୍ପର ପ୍ରତି ରହିଥିବା ସ୍ନେହଶ୍ରଦ୍ଧା ଏକ ଉତ୍ତମ ନାଗରିକକୁ ଗଢ଼ି ତୋଳିବାରେ ସହାୟକ ହୁଏ ।
ସମାଜରେ ଯେଉଁମାନେ ପୂଜ୍ୟ, ନମସ୍ୟ ସେମାନଙ୍କୁ ଶ୍ରେଷ୍ଠ ବ୍ୟକ୍ତି ବୋଲି କୁହାଯାଏ । ସେମାନଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି ରହିବା ପ୍ରତ୍ୟେକ ବ୍ୟକ୍ତିର ଏକ ମୌଳିକ କର୍ତ୍ତବ୍ୟ । ସମାଜ ପ୍ରତି ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିବା ପୂର୍ବପୁରୁଷମାନେ ବର୍ତ୍ତମାନ ପୀଢ଼ିର ନମସ୍ୟ । ସେମାନଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧା ବର୍ତ୍ତମାନ ପୀଢ଼ିର ଏକ ପରିଚୟ । ଯେଉଁ ବ୍ୟକ୍ତି ପୂର୍ବପୀଢ଼ିକୁ ସମ୍ମାନ ଦିଏ ନାହିଁ, ତାହାର ଚରିତ୍ରକୁ ସମସ୍ତେ ଆଙ୍ଗୁଳି ଦେଖାନ୍ତି ।
ଶିଶୁଟିଏ ଜନ୍ମ ତ ହୋଇଛି । ବଡ଼ ହେବ ଏବଂ ଦିନେ ପରିଣତ ବୟସରେ ପହଞ୍ଚି ମୃତୁ୍ୟ ଲାଭ କରିବ । ଏହା ସମସ୍ତଙ୍କ କ୍ଷେତ୍ରରେ ହିଁ ଘଟିବ । ପୂର୍ବପୁରୁଷଙ୍କ ମଧ୍ୟରେ ଯେଉଁମାନଙ୍କୁ ଆମେ ପୂଜା କରୁ, ସେମାନଙ୍କ ଆଦର୍ଶ ଯେପରି ଗ୍ରହଣୀୟ, ସେମାନଙ୍କୁ ଶ୍ରଦ୍ଧାସମ୍ମାନ ଜଣାଇବା ଆମର କର୍ତ୍ତବ୍ୟ ଏବଂ ଦାୟିତ୍ୱ ମଧ୍ୟ । ଏହା ହିଁ ପରିମାର୍ଜିତ ଜୀବନର ଏକ ସୂଚକାଙ୍କ । ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।