‘ପଶ୍ଚିମ ଓଡ଼ିଶାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେଉ’
ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟଙ୍କ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ପୂର୍ବତନମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ ପ୍ରସ୍ତାବ ଦେଇଛନ୍ତି । କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଥିବାରୁ ଆଉ କୌଣସି ଆଳ ରହିବା ଅନାବଶ୍ୟକ । ଯଦି ମହାରାଷ୍ଟ୍ରର କୋଲ୍ହାପୁରକୁ ହାଇକୋର୍ଟ ବେଞ୍ଚ ମିଳିପାରିବ, ତେବେ ମୂଳପୀଠରୁ ୩ରୁ ୫ ଶହ କିଲୋମିଟର ଦୂର ପଶ୍ଚିମ ଓଡ଼ିଶାକୁ କାହିଁକି ନୁହେଁ ସେ କହିଛନ୍ତି । ଦଶନ୍ଧି ଧରି ଆମ ଅଞ୍ଚଳର ଜନସାଧାରଣ, ବାର୍ ଆସୋସିଏସନ୍ର ବନ୍ଧୁମାନେ, ବିଭିନ୍ନ ସଂଗଠନମାନେ ନିଜର ହକ୍ ପାଇଁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ବିଭିନ୍ନ ପ୍ରକାର ଆନେ୍ଦାଳନ ଏବଂ ଅନଶନ କରି ଆସୁଛନ୍ତି । ଯାହାକି ମାନବିକ ଦୃଷ୍ଟିରୁ ଯଥାର୍ଥ ଅଟେ । ପଶ୍ଚିମ ଓଡ଼ିଶାର ଦଶରୁ ଊର୍ଦ୍ଧ୍ୱ ଜିଲ୍ଲା ପାଇଁ ଆଇନ କମିଶନ ଏବଂ ଜସବନ୍ତ ସିଂହ କମିଶନଙ୍କ ମାପକାଠି ଅନୁସାରେ ହାଇକୋର୍ଟ ବେଞ୍ଚ ହୋଇପାରିବ । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଅନେକ ଥର ଚିଠି ଲେଖି ପଶ୍ଚିମ ଓଡ଼ିଶାରେ ଏକ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ । ବିଜେଡି ସରକାର ସାମ୍ବିଧାନିକ ଉପାୟରେ ଏହି ଦାବି ପାଇଁ ଗମ୍ଭୀର ପ୍ରୟାସ କରିଥିଲେ । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଭଳି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏ ସଂକ୍ରାନ୍ତରେ ପଦକ୍ଷେପ ଗ୍ରହଣ କରି ପଶ୍ଚିମ ଓଡ଼ିଶାର ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଦେବା କଥା ବୋଲି ଇଂ. ପୂଜାରୀ କହିଛନ୍ତି ।