ସମ୍ବଲପୁରରେ ବିକାଶର ଅପାର ସମ୍ଭାବନା: ଧର୍ମେନ୍ଦ୍ର
ସମ୍ବଲପୁର : ସମ୍ଭାବନାରେ ପରିପୂର୍ଣ୍ଣ ସମ୍ବଲପୁର ଭଳି ଏକ ପୁରାତନ ସହରର ଆକାଂକ୍ଷିତ ବିକାଶ ହୋଇପାରି ନାହିଁ । ସମ୍ବଲପୁରରେ ଭତ୍ତିଭୂମିର ବିକାଶକୁ ଅଗ୍ରାଧିକାର ଦେବାକୁ ସେ ଏକ ବିସ୍ତୃତ କାର୍ଯ୍ୟ ଯୋଜନା ପ୍ରଣୟନ କରିଥିବା ସମ୍ବଲପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଗୁରୁବାର ଦିନ ବରିଷ୍ଠ ନାଗରିକଙ୍କ ଏକ ବୈଠକରେ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ, ନବେ ଦଶକରେ ତିନିବର୍ଷର ସମ୍ବଲପୁର ଅବସ୍ଥାନ କାଳରେ ସେ ଯେଉଁ ଆଭ୍ୟନ୍ତରୀଣ ସମ୍ବଲପୁର ସହରକୁ ଦେଖି ଥିଲେ ସେଥିରେ ବିଶେଷ କିଛି ପରିବର୍ତ୍ତନ ହୋଇପାରି ନାହିଁ । ଆଜି ବି ବହୁ ବସତି ଅଞ୍ଚଳକୁ ରାସ୍ତା ନାହିଁ, ସଠିକ ନାଳ ନର୍ଦ୍ଦମା ବ୍ୟବସ୍ଥା ନାହିଁ । ଆଭ୍ୟନ୍ତରୀଣ ଗମନାଗମନର ବିକାଶ ଓ ଯୋଜନାବଦ୍ଧ ସମ୍ପ୍ରସାରଣ ପ୍ରାଥମିକତା ହେଲେ ସମ୍ବଲପୁରର ପ୍ରକୃଷ୍ଟ ବିକାଶ ତଥା ଅନେକ ସମସ୍ୟାର ନିରାକରଣରେ ସହାୟକ ହେବ ବୋଲି ଧର୍ମେନ୍ଦ୍ର କହିଥିଲେ । ହୀରାକୁଦ ନଦୀବନ୍ଧ ନିକଟରେ ଥିବା ହୀରାକୁଦରେ ହଇଜା ହେବା ଦୁର୍ଭାଗ୍ୟପୂର୍ଣ୍ଣ ଅଟେ । ତେଣୁ ଘରେ ଘରେ ସ୍ୱଚ୍ଛ ଜଳ ଯୋଗାଣକୁ ସୁନିଶ୍ଚିତ ଓ ନର୍ଦ୍ଦମା ବ୍ୟବସ୍ଥାର ଉନ୍ନତିକରଣ କରିବାକୁ ହେବ । ସମ୍ବଲପୁରୀ ଭାଷା ସଂସ୍କୃତି କ୍ଷେତ୍ରରେ ଅଧିକ ଉପଲବ୍ଧିତା ପାଇଁ ବୈଜ୍ଞାନିକ ପଦ୍ଧତିରେ ଅଧିକ କାର୍ଯ୍ୟ କରିବାକୁ ପଡ଼ିବ । କ୍ରୀଡ଼ାର ବିକାଶ ଯୋଜନା ପ୍ରଣୟନ ଓ ଭିତ୍ତିଭୂମିର ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି । ବିଭିନ୍ନ କ୍ଷେତ୍ରରେ ସମ୍ବଲପୁର ପାଇଁ ଅନେକ ସୁଯୋଗ ଓ ସମ୍ଭାବନା ରହିଛି । ଏହାର ସୁବିନିଯୋଗ କରି ସମ୍ବଲପୁରର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ କାର୍ଯ୍ୟ କରିବାର ଆମକୁ ଅଛି ।
ସମ୍ବଲପୁର, ହୀରାକୁଦ ଓ ସମ୍ବଲପୁର ସିଟି ରେଳ ଷ୍ଟେସନର ବିକାଶ ପାଇଁ ଆଗକୁ ପ୍ରାୟ ୪୫୦ କୋଟି ଟଙ୍କା ବିନିଯୋଗ କରାଯିବ । ସେଇଭଳି ଅଧିକ ସ୍ଥାନକୁ ଝାରସୁଗୁଡ଼ା ସହ ଯୋଡ଼ି ବିମାନ ଚଳାଚଳ କ୍ଷେତ୍ରରେ ମଧ୍ୟ ପ୍ରଗତି ହାସଲ କରାଯିବ । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ସମ୍ବଲପୁରରେ ସଠିକ ଯୋଜନା ଦ୍ୱାରା ମହତତ୍ତ୍ୱପୂର୍ଣ୍ଣ ହାସଲ କରିହେବ । ସମ୍ବଲପୁରରେ ମହାନଦୀରେ ଜଳଧାରଣ କ୍ଷମତାରେ ବୃଦ୍ଧି ଦ୍ୱାରା ଚାଷ ଉପଯୋଗୀ କରାଯାଇପାରିବ । ସମ୍ବଲପୁର ଏକ ଶିକ୍ଷା କେନ୍ଦ୍ର ଅଟେ । ଏ ଅଞ୍ଚଳର ଅର୍ଥନୀତି ସହ ବିଶ୍ୱବିଦ୍ୟାଳୟଗୁଡିକୁ ଯୋଡିବାକୁ ପଡ଼ିବ । ସେହିଭଳି ପର୍ଯ୍ୟଟନ ଓ ସ୍ୱାସ୍ଥ୍ୟ ବିକାଶ କ୍ଷେତ୍ରରେ ମଧ୍ୟ ସଠିକ ଯୋଜନା ଜରିଆରେ ଉପଲବ୍ଧ ସମ୍ଭବ ହେବ । ଧର୍ମେନ୍ଦ୍ର ଆହୁରୀ କହିଥିଲେ ଯେ ଆଇଆଇଏମରେ ରଙ୍ଗବତୀ ନାମରେ ସମ୍ବଲପୁରୀ ଭାଷା ସଂସ୍କୃତି କ୍ଷେତ୍ରରେ କାର୍ଯ୍ୟ ପାଇଁ ଏକ ବିଭାଗ ଖୋଲାଯାଇଛି । ସାଂସଦ ପ୍ରାର୍ଥୀ ଶ୍ରୀ ପ୍ରଧାନ ଉପସ୍ଥିତ ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀମାନେ ବହୁବିଧ ସମସ୍ୟା ନେଇ ଆବଶ୍ୟକତା ବାବଦରେ ଉଲ୍ଲେଖ କରି ସେଗୁଡ଼ିକର ନିରାକରଣ ପାଇଁ ଆଗକୁ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।