ପାକିସ୍ତାନ ଟୋପି ପିନ୍ଧା ବ୍ୟକ୍ତିଙ୍କୁ ଧରିଲା ପୁଲିସ
ରାଜନଗର : ରାଜନଗର ବ୍ଲକ ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳରେ ପାକିସ୍ତାନ ଟୋପି ପିନ୍ଧିଥିବା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଏଭଳି ବ୍ୟକ୍ତିଙ୍କୁ ଦେଖି ତାଳଚୁଆ ସାମୁଦ୍ରିକ ଥାନା ପୁଲିସକୁ ଖବର ଦେଇଥିଲେ । ଖବରପାଇ ପୁଲିସ ତାଳଚୁଆ ଘାଟ ନିକଟରେ ପହଞ୍ଚି ସଂପୃକ୍ତ ବ୍ୟକ୍ତିଙ୍କୁ ଥାନାକୁ ନେଇ ପଚରା ଉଚରା କରିଥିଲେ । ବୋଟରେ ଧାମରା ପଟରୁ ଆସି ତାଳଚୁଆ ଘାଟରେ ଓହ୍ଲାଇଥିବା ଅନୱାର ଖାଁର ପରିଚୟ ଜାଣିବାକୁ ପୁଲିସ ଉଦ୍ୟମ କରିଥିଲା । ସଂପୃକ୍ତ ବ୍ୟକ୍ତିଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଏନଏସି ଅଞ୍ଚଳର ବୋଲି ସେ ପ୍ରକାଶ କରିବା ପରେ ପୁଲିସ ତାଙ୍କ ଘର ସହ ଯୋଗାଯୋଗ କରିଥିଲା । ତାଙ୍କ ଘରୁ ଫଟୋ ପରିଚୟପତ୍ର ଓ ଆଧାରକାର୍ଡ ପୁଲିସ ପାଇବା ପରେ ସଂପୃକ୍ତ ବ୍ୟକ୍ତିର ପରିଚୟ ଜଣାପଡିଥିଲା । ଅନୱାରଙ୍କର ମୁଣ୍ଡ ଦୋଷ ଅଛି ବୋଲି ପରିବାର ଲୋକ କହିଥିଲେ ।