ପାରିବାରିକ କଳହରୁ ୨ ଭାଇ ହଣା ହଣୀ
ବାଲିଅନ୍ତା : ଧଉଳି ଥାନା ଶିଶୁପାଳଗଡ ନାୟକ ସାହିରେ ପାରିବାରିକ କଳହରୁ ୨ ଭାଇ ମଧ୍ୟରେ ହଣା ହଣୀ ହୋଇଛନ୍ତି । ୨ ଭାଇ ହେଲେ ପ୍ରଦୀପ ବେହେରା ଓ ଅଜିତ ବେହେରା । ଖବର ନେବାରେ ଜଣାପଡିଛି ପ୍ରଦୀପ ସର୍ବଦା ନିଶା ସେବନ କରି ଘରକୁ ଆସି ସ୍ତ୍ରୀ ଓ ପିଲାଙ୍କୁ ମାରଧର କରିଥାନ୍ତି । ଏନେଇ ଗତ ୩ ମାସ ହେଲାଣି ସ୍ତ୍ରୀ ପିଲାକୁ ଧରି ବାପ ଘରକୁ ପଳାଇଥିଲା । ସ୍ତ୍ରୀଙ୍କୁ ଫେରାଇ ଆଣିବା ପାଇଁ ପ୍ରଦୀପ୍ତ ମା' ମଞ୍ଜୁଲତାଙ୍କୁ କହିଥିଲା । ମାତ୍ର ସର୍ବଦା ନିଶାସେବନ କରି ସେମାନଙ୍କୁ ମାଡ଼ ମାରୁଥିବାରୁ ମଞ୍ଜୁଲତା ଏଥିରେ ରାଜି ହୋଇ ନ ଥିଲେ । ଏଥିରେ ମାନସିକ ଭାରସାମ୍ୟ ହରାଇ ପ୍ରଦୀପ୍ତ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିବାକୁ ଯାଉଥିବା ବେଳେ ମଞ୍ଜୁଲତା ତାଙ୍କୁ ଧରି ପକାଇଥିଲେ । ତାଙ୍କ ଡାକ ଶୁଣି ସାନଭାଇ ଅଜିତ ଓ ମା ଦୁହେଁ ମିଶି ପ୍ରଦୀପ୍ତଙ୍କୁ ଅଟକାଇଥିଲେ ।
ମାତ୍ର ପ୍ରଦୀପ୍ତ ମୋତେ କାଇଁ ବଞ୍ଚାଇଲୁ ବୋଲି କହି ମା’ଙ୍କୁ ମାରିଥିଲେ । ବଡଭାଇ ଅଜିତ ବୋଉଙ୍କୁ ବଞ୍ଚାଇଥିଲା । ରାଗରେ ଜର୍ଜରିତ ହେଉଥିବା ପ୍ରଦୀପ୍ତ ସାନଭାଇ ଅଜିତଙ୍କ ମୁଣ୍ଡକୁ ଲୁହା ରଡ୍ରେ ଆକ୍ରମଣ କରିଥିଲା । ଅଜିତଙ୍କ ମୁଣ୍ଡରେ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଫଳରେ ଉତ୍କ୍ଷିପ୍ତ ହୋଇ ଅଜିତ ମଧ୍ୟ ପ୍ରଦୀପ୍ତଙ୍କ ମୁଣ୍ଡକୁ ଏକ ଲୁହା ରଡ୍ରେ ଆକ୍ରମଣ କରିଥିଲା । ୨ ଭାଇଙ୍କ ଏଭଳି ପାଟିତୁଣ୍ଡ ଦେଖି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ । ଖବରପାଇ ଧଉଳି ଥାନା ପୁଲିସ ପଇଁତରା ଗାଡି ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପୁଲିସ ୨ ଭାଇଙ୍କୁ ଥାନାରେ ପଚରା ଉଚରା କରୁଛି ।