ପିଚୁ ଉଠି ଗୋଡ଼ି ଗଡ଼ୁଛି : ବିପର୍ଯ୍ୟସ୍ତ ହୋଇପଡ଼ିଛି ଦାନଗଦୀ-ବାଙ୍ଗୋରୋକୋଟା ରାସ୍ତା
ଦାନଗଦୀ : ଠିକାଦାର-ବିଭାଗୀୟ ଅଧିକାରୀଙ୍କ ମିଲିଭଗତରୁ କୋଟି କୋଟି ଟଙ୍କାର ରାସ୍ତା ଅଢେଇଦିନ ଯାଉନି । ହେଲେ ଏକଥାକୁ ଅଧିକାରୀ କି ରାଜନେତା ମାନେ ଦୃଷ୍ଟି ଦେବାକୁ ନାରାଜ । କୋଉଠି ରାସ୍ତା ନିର୍ମାଣର ମାସ କେଇଟାରେ ବିପର୍ଯ୍ୟସ୍ତ ହୋଇପଡ଼ୁଛି ତ କେଉଁଠି ଆରମ୍ଭରୁ ହିଁ ନିର୍ମାଣର ତୁ୍ରଟି ଦେଖିବାକୁ ମିଳୁଛି । ଏମିତି ଏକ ରାସ୍ତା ଯାହା କେବଳ ବିପର୍ଯ୍ୟସ୍ତ ହୋଇପଡ଼ିନି ରାସ୍ତାରେ ଯିବା ଆସିବା କରିବା ଯାତ୍ରୀଙ୍କ ପାଇଁ ବିପଦର କାରଣ ପାଲଟିଛି । ଆମେ କହୁଛୁ ଦାନଗଦୀ-ବଙ୍ଗୋରୋକୋଟା ରାସ୍ତାର କଥା । ଯେଉଁ ରାସ୍ତା ଉପରେ ଦୈନିକ ହଜାର ହଜାର ଲୋକ ବ୍ଲକ, ବଜାର, ଶିଳ୍ପାଂଚଳକୁ ଯାତାୟାତ କରିଥାନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ଲାଇଫ ଲାଇନ ବୋଲି କୁହାଯାଉଥିବା ଏହି ରାସ୍ତାରୁ ପିଚୁ ଉଠି ରାସ୍ତାରେ ଗୋଡ଼ି ଗଡ଼ୁଛି । ରାସ୍ତାଟି କିଛି ଦୁର୍ନୀତିଖୋର ଅଫିସର ଓ ଠିକାଦାର, ନେତାଙ୍କ ପାଇଁ ମରଣଯନ୍ତାରେ ପରିଣତ ହୋଇଛି । ଲାଭଖୋର ମନୋଭାବ ପାଇଁ ଦୁଃଖ ଭୋଗୁଛନ୍ତି ସାଧାରଣ ଜନତା । ଖବର ମୁତାବକ, ୧୬ନମ୍ବର ଜାତୀୟ ରାଜପଥର ଦାନଗଦୀ ଛକ ଠାରୁ ବଙ୍ଗୋରକୋଟା ପର୍ଯ୍ୟନ୍ତ ରାସ୍ତା ଉନ୍ନତୀକରଣ କାର୍ଯ୍ୟ ଗତ ୪ବର୍ଷ ତଳୁ ଶେଷ ହୋଇଛି । ନିମ୍ନମାନର କାମ ଯୋଗୁଁ ପିଚୁ ରାସ୍ତା ନିର୍ମାଣର ଦିନ କେଇଟାରେ ରାସ୍ତା ବିଭିନ୍ନ ସ୍ଥାନରେ ସବୁ ଫାଟି ଅାଁ କରିଛି । ରାସ୍ତାର ଚିତ୍ରୀ ପଂଚାୟତର ନୂଆଗାଁ ଠାରୁ ରଣାଗୁଣ୍ଡି ମଧ୍ୟରେ ରାସ୍ତା ଫାଟି ୨ଶହ ମିଟର ଫାଟ ସୃଷ୍ଟି ହୋଇଛି । ରାସ୍ତାରେ ପିଚୁ ଉଠି ଗୋଡ଼ି ଗଡ଼ୁଛି । ସାଇକଲ ହେଉ କି ମଟର ସାଇକେଲ ଯାଉଥିବା ଯାତ୍ରୀ ହୁଅନ୍ତୁ କି ସ୍କୁଲ୍ ଯାଉଥିବା ଛାତ୍ରଛାତ୍ରୀ ବିପଦର ସମ୍ମୁଖୀନ ହେଉଛନ୍ତି । କୋଟିକୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣ କରାଯାଉଥିବା ଏହି ରାସ୍ତାଗୁଡ଼ିକ ମାତ୍ର କେଇଟା ବର୍ଷରେ କାହିଁକି ନଷ୍ଟ ହୋଇଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିୟମ ଅନୁଯାୟୀ ଏହାର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ସରକାର ୫ବର୍ଷ ସମୟ ଅବଧି ଦେଉଛନ୍ତି । କିନ୍ତୁ ରକ୍ଷଣାବେକ୍ଷଣ କରାଯାଉନି । ଜିଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି ହେଉଛି ।