ପିତାମାତା ଓ ସହଭାଗିତା କାର୍ଯ୍ୟକ୍ରମ
ବଡ଼ସାହି: ବଡ଼ସାହି ବ୍ଲକ ଅନ୍ତର୍ଗତ କୋଚିଳାଖୁଣ୍ଟା ଗ୍ରାମ ପଞ୍ଚାୟତର ବାଗୁଲି ଆଶ୍ରମ ବିଦ୍ୟାଳୟରେ ପିତାମାତା ଓ ସହଭାଗିତା (ପେରେଣ୍ଟସ୍ ଏଜ୍ ପାର୍ଟନର) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସରପଞ୍ଚ ନରେନ୍ଦ୍ର ସିଂଙ୍କ ସଭାପତିତ୍ୱରେ ଅୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବଡ଼ସାହି ବ୍ଲକରେ କାର୍ଯ୍ୟରତ ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ସୁଶ୍ରୀ ବାସନ୍ତୀ ସିଂ, ସରପଞ୍ଚ ତଅପୋଇ ସିଂ, ଶିକ୍ଷା କମିଟିର ସଭାପତି ଜାନକୀ କୁଅଁର, ବିଭିନ୍ନ ବିଭାଗୀୟ ଅଧିକାରୀ, ଗ୍ରାମର ବୁଦ୍ଧିଜୀବୀ ନିରଞ୍ଜନ ନାଏକ, ସର୍ବେଶ୍ୱର ନାଏକ, ମା’ମାନଙ୍କ ମଧ୍ୟରୁ ଜଣେ ମା ପ୍ରତିମା ଖଣ୍ଡେଇ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିଥିଲେ । ପ୍ରଧାନ ଶିକ୍ଷକ ବିଶ୍ୱନାଥ ସାହୁ ବିବରଣୀ ପାଠ କରିଥିଲେ । ଶିକ୍ଷକ ନାରାୟଣ ନାୟକ ବିଦ୍ୟାଳୟ ସୁରକ୍ଷା ଓ ନିରାପତ୍ତା, ଶିକ୍ଷୟିତ୍ରୀ ରଞ୍ଜିତା ଜେନା ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ସୁବିଧା ସୁଯୋଗ, ଶିକ୍ଷୟିତ୍ରୀ ଲିଲିମା ମଣ୍ଡଳ ଜୀବନ କୌଶଳ ଶିକ୍ଷା ସମ୍ପର୍କରେ ବିସ୍ତୃତ ଧାରଣା ପ୍ରଦାନ କରିଥିଲେ । ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀ ସରକାରୀ ଯୋଜନା ସମ୍ପର୍କରେ ଅଭିଭାବକଙ୍କୁ ଅବଗତ କରିଥିଲେ । ସପ୍ତମ ଶ୍ରେଣୀ ଛାତ୍ରୀ ଇନ୍ଦୁ ନାଏକ ଏବଂ ସ୍ମୃତିରେଖା ନାଏକଙ୍କ ଉପସ୍ଥାପନା ଶୈଳୀ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା । ବୈଠକର ଶେଷ ପର୍ଯ୍ୟାୟରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ଜୟନ୍ତ କୁମାର ଜେନା ମଞ୍ଚ ପରିଚାଳନା କରିଥିବା ବେଳେ ସସ୍ମିତା ସେଠୀ, ବନଜା ଦାଶ, କର୍ମଚାରୀ ସୁଜାତା ସେଠୀ, ପୂର୍ଣ୍ଣଚନ୍ଦ୍ର ନାଏକ, ବାସନ୍ତୀ ନାଏକ, ପାନ ମଣି ହେମ୍ବ୍ରମ, ଗିରୀଶ ଚନ୍ଦ୍ର ନାଏକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ଲୁଗୁ ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।